Latest Odisha News

BREAKING NEWS

ମଧ୍ୟପ୍ରଦେଶ ବିଜେପିରେ ବିଦ୍ରୋହ: ନରୋତ୍ତମ ମିଶ୍ରଙ୍କୁ ମିଳିଲାନି ଟିକେଟ୍, ଜିଲ୍ଲା ସଭାପତିଙ୍କ ସମେତ ପୂରା କମିଟିର ସାମୂହିକ ଇସ୍ତଫା

ଭୋପାଳ: ମଧ୍ୟପ୍ରଦେଶର ଦତିଆ ବିଧାନସଭା ଉପନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) କୁ ଏକ ବଡ଼ ଝଟକା ଲାଗିଛି। ଦଳର ବରିଷ୍ଠ ନେତା ତଥା ପୂର୍ବତନ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କୁ ଟିକେଟ୍ ନମିଳିବାରୁ ଦଳ ଭିତରେ ତୀବ୍ର ଅସନ୍ତୋଷ ତେଜିଛି। ଏହି ନିଷ୍ପତ୍ତିର ପ୍ରତିବାଦରେ ଦତିଆ ଜିଲ୍ଲା ବିଜେପି ସଭାପତି ରଘୁବୀର କୁଶୱାହାଙ୍କ ସମେତ ସମ୍ପୂର୍ଣ୍ଣ ଜିଲ୍ଲା କାର୍ଯ୍ୟକାରିଣୀ କମିଟି ସାମୂହିକ ଭାବେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଉପନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଦଳ ଭିତରେ ଉପୁଜିଥିବା ଏହି ଗୋଷ୍ଠୀ କନ୍ଦଳ ରାଜ୍ୟର ଶୀର୍ଷ ନେତୃତ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।

ସୂଚନାଯୋଗ୍ୟ, ୨୦୨୩ ବିଧାନସଭା ନିର୍ବାଚନରେ ନରୋତ୍ତମ ମିଶ୍ର କଂଗ୍ରେସ ପ୍ରାର୍ଥୀ ରାଜେନ୍ଦ୍ର ଭାରତୀଙ୍କ ଠାରୁ ପରାସ୍ତ ହୋଇଥିଲେ। କିନ୍ତୁ ନିକଟରେ ଏକ ପୁରୁଣା ବ୍ୟାଙ୍କ୍ ଜାଲିଆତି ମାମଲାରେ ରାଜେନ୍ଦ୍ର ଭାରତୀ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ବିଧାୟକ ପଦ ବାତିଲ ହୋଇଥିଲା। ଫଳରେ ଦତିଆ ଆସନଟି ଖାଲି ପଡ଼ିଥିଲା।

ଏହି ଉପନିର୍ବାଚନରେ ନରୋତ୍ତମ ମିଶ୍ର ପୁଣି ଥରେ ପ୍ରାର୍ଥୀ ହେବେ ବୋଲି ସମସ୍ତେ ଆଶା କରିଥିଲେ। ଏପରିକି ସେ ନିଜର ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଥିଲେ। ସେ ନାମାଙ୍କନ ପତ୍ର ଆଣିବା ସହ ଦୈନନ୍ଦିନ ଶହ ଶହ କର୍ମୀଙ୍କୁ ଭେଟି ମାରାଥନ୍ ବୈଠକ ଜାରି ରଖିଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ଦଳର କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ଟିକେଟ୍ ନଦେଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଘନିଷ୍ଠ ବୋଲାଉଥିବା ଆଶୁତୋଷ ତିୱାରୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା।

ଆଶୁତୋଷଙ୍କ ନାମ ଘୋଷଣା ହେବା ମାତ୍ରେ ହିଁ ଦତିଆରେ ରାଜନୈତିକ ବାତାବରଣ ଉତ୍ତପ୍ତ ହୋଇଉଠିଥିଲା। ନରୋତ୍ତମଙ୍କ ଟିକେଟ୍ କଟିବା ଖବର ପାଇ ତାଙ୍କ ହଜାର ହଜାର ସମର୍ଥକ ରାସ୍ତାକୁ ଓହ୍ଲାଇ ପ୍ରବଳ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ ହାଇୱେରେ କିଛି ସମୟ ପାଇଁ ଟ୍ରାଫିକ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିଲା। ସମର୍ଥକମାନଙ୍କ ଅଭିଯୋଗ ହେଲା, ୨୦୨୩ ରେ ନରୋତ୍ତମ ମିଶ୍ରଙ୍କ ପରାଜୟ ପରଠାରୁ ଦତିଆରେ ସବୁ ବିକାଶମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ଏବଂ କେବଳ ସେ ହିଁ ଏହି ଅଞ୍ଚଳର ଉନ୍ନତି କରିପାରିବେ।

ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ, ନେତା ଓ କର୍ମୀଙ୍କ ସାମୂହିକ ଇସ୍ତଫା ବିଜେପି ପାଇଁ ଉପନିର୍ବାଚନ ବୈତରଣୀ ପାର୍ ହେବା କଷ୍ଟକର କରିଦେଇପାରେ। ବିଜେପିର ଉଚ୍ଚ କର୍ତ୍ତୃପକ୍ଷ ଏବେ ଅସନ୍ତୁଷ୍ଟ ନେତାଙ୍କୁ ମନାଇବା ପାଇଁ କି ପ୍ରକାର ଉଦ୍ୟମ କରୁଛନ୍ତି, ତାହା ଦେଖିବା ବାକି ରହିଲା।

Leave A Reply

Your email address will not be published.