Latest Odisha News

ଜୀବନର ସନ୍ଧାନ ପାଇଁ ବୃହସ୍ପତିର ଉପଗ୍ରହ ଅଭିମୁଖେ ‘ୟୁରୋପା କ୍ଲିପର’

ନୂଆଦିଲ୍ଲୀ: ମହାକାଶ ଓ ସୌର ମଣ୍ଡଳ ଗବେଷଣା ନେଇ ଆଉ ଏକ ରୋମାଂଚକର ଖବର । ବୃହସ୍ପତି ଗ୍ରହର ଉପଗ୍ରହ ୟୁରୋପାକୁ ମିଶନ ଲଂଚ୍ କରିଛି ନାସା । ୟୁରୋପା ଅଭିମୁଖେ ଯାତ୍ରାରମ୍ଭ କରିଛି ନାସା ମହାକାଶ ଯାନ । ୟୁରୋପାରେ ରହିଥିବା ବିଶାଳ ମହାସାଗରରେ ଜୀବନର ସନ୍ଧାନ କରିବ ମହାକାଶ ଯାନ ‘ୟୁରୋପା କ୍ଲିପର’ । ପୃଥିବୀ ଛଡା ଅନ୍ୟ ଗ୍ରହରେ ବି ଜୀବନର ସତ୍ତା ରହିଛି କି ନାହିଁ, ତାହା ସବୁବେଳେ ଉତ୍କଣ୍ଠାର ବିଷୟ ହୋଇ ରହିଛି । ବିଶ୍ୱ ବ୍ରହ୍ମାଣ୍ଡରେ ଏଲିୟନମାନଙ୍କ ଅସ୍ତିତ୍ୱ ନେଇ ବି ପ୍ରଶ୍ନ ଉଠିଛି। ଏ ବାବଦରେ ଜାରି ରହିଛିି ବୈଜ୍ଞାନିକଙ୍କ ଗବେଷଣା ଓ ଅନ୍ୱେଷଣ । ମଙ୍ଗଳ ଗ୍ରହରେ ଜୀବନର ଅସ୍ତିତ୍ୱ ଖୋଜୁଛନ୍ତି ବୈଜ୍ଞାନିକ । ଏଣେ ସୌର ମଣ୍ଡଳର ସବୁଠୁ ବଡ ଗ୍ରହ ବୃହସ୍ପତିର ଉପଗ୍ରହ ୟୁରୋପାକୁ ନାସା ପଠାଇଛି ମହାକାଶ ଯାନ । ୟୁରୋପା ହେଉଛି ବୃହସ୍ପତିର ଚତୁର୍ଥ ବଡ ଉପଗ୍ରହ । ଏଠାରେ ରହିଥିବା ବିଶାଳ ମହାସାଗରରେ ଜୀବନ ପାଇଁ ଉପଯୁକ୍ତ ପରିସ୍ଥିତିର ସନ୍ଧାନ କରିବ ନାସାର ଅନ୍ତରୀକ୍ଷ ଯାନ ୟୁରୋପା କ୍ଲିପର । ଏଲିୟନ୍‌ମାନଙ୍କର ଉପସ୍ଥିତି ନେଇ ବି ସନ୍ଧାନ କରିବ ୟୁରୋପା କ୍ଲିପର୍ ।

କେମିତି ରହିବ ମିଶନ ?
ପ୍ରାକୃତିକ ଗ୍ୟାସର ଗ୍ରହ ହେଉଛି ବୃହସ୍ପତି । ବୃହସ୍ପତିର ଚାରିପାଖ କକ୍ଷରେ ପ୍ରବେଶ କରିବ ୟୁରୋପା କ୍ଲିପର । ବିକିରଣ ଯୁକ୍ତ କିରଣ ମଧ୍ୟ ଦେଇ ଗତି କରି ୟୁରୋପା ନିକଟରେ ପହଂଚିବ ମହାକାଶ ଯାନ । ୟୁରୋପାର ବରଫାବୃତ୍ତ ଆସ୍ତରଣ ତଳେ ଏକ ବିଶାଳ ଓ ଗଭୀର ମହାସାଗର ରହିଛି ବୋଲି ବୈଜ୍ଞାନିକମାନଙ୍କ ବିଶ୍ୱାସ । ସେଠାରେ ଜଳ ଓ ଜୀବନର ଉପସ୍ଥିତି ଥାଇପାରେ । ସ୍ପେସଏକ୍ସ ପକ୍ଷରୁ ଉତକ୍ଷେପଣ କରାଯାଇଛି ୟୁରୋପା କ୍ଲିପର, ଯାହା କି ୧୮ ଲକ୍ଷ ମାଇଲ ଯାତ୍ରା କରିବ । ନାସାର ଏହି ବଡ ଧରଣର ମିଶନରେ ଖର୍ଚ୍ଚ ହେବ ୫ ଦଶମିକ ୨ ବିଲିଅନ ଡଲାର । ୨୦୩୦ ସୁଦ୍ଧା ୟୁରୋପାରେ ପଂହଚିବ ୟୁରୋପା କ୍ଲିପର ଯାନ । ସ୍ପେସକ୍ରାଫ୍ଟ ୟୁରୋପାରେ ଲ୍ୟାଣ୍ଡ୍ କରିବ ନାହିଁ । କିନ୍ତୁ ଚାରିବର୍ଷ ଯାଏଁ ୟୁରୋପା ଉପଗ୍ରହ ଦେଇ ୫୦ ଥର ଗତି କରିବା ସ୍ପେସକ୍ରାଫ୍ଟ ।

ୟୁରୋପା କ୍ଲିପର ସ୍ପେସକ୍ରାଫ୍‌ଟରେ ରହିଛି ଅତ୍ୟାଧୁନିକ ଉପକରଣ
ୟୁରୋପାରେ ଜୀବନର ସନ୍ଧାନ ପାଇଁ ବାହାରିଥିବା ସ୍ପେସକ୍ରାଫ୍ଟ ୟୁରୋପା କ୍ଲିପରରେ ଲାଗିଛି ଅତ୍ୟାଧୁନିକ ଉପକରଣ । ୟୁରୋପା ଭୂପୃଷ୍ଠର କମ୍ପୋଜିସନ ମାପିବାକୁ ସ୍ପେସକ୍ରାଫ୍ଟରେ ଲାଗିଛି ସ୍ପେକ୍ଟୋମିଟର ଯନ୍ତ୍ର । ୟୁରୋପାରେ ହଟସ୍ପଟ୍ ଖୋଜିବା ପାଇଁ ଏକ ଥର୍ମାଲ କ୍ୟାମେରା ମଧ୍ୟ ଯାନରେ ଖଞ୍ଜା ଯାଇଛି । ଏହି କ୍ୟାମେରା ୟୁରୋପା ଉପଗ୍ରହର ଚୁମ୍ବକୀୟ କ୍ଷେତ୍ର ଓ ଗ୍ରାଭିଟି ନେଇ ସୂଚନା ସଂଗ୍ରହ କରିବ ।

ନାସାର ବିଶାଳ ସ୍ପେସକ୍ରାଫ୍ଟ
ୟୁରୋପା କ୍ଲିପର ହେଉଛି ନାସାର ସବୁଠାରୁ ବଡ ମିଶନ ସ୍ପେସକ୍ରାଫ୍ଟ । ଏହାର ମୁଖ୍ୟ ଢାଂଚା କୌଣସି ଏସୟୁଭି ଭଳି ହେବ । ଏଥିରେ ଲାଗିଛି ୧୦୦ ଫୁଟରୁ ଅଧିକ ଉଚ୍ଚତାର ସୋଲାର ପ୍ୟାନେଲ୍‌, ଯାହା କି ଏକ ବାସ୍କେଟବଲ୍ କୋର୍ଟରୁ ବି ବଡ ହେବ । ଏହାଛଡା ସ୍ପେସକ୍ରାଫ୍ଟରେ ଆଲୁମିନିୟମ –ଜିଙ୍କର ଭଲ୍ଟ ରଖାଯାଇଛି, ଯାହା କି ଏହାକୁ ବୃହସ୍ପତିର ବିପଜ୍ଜନକ ରେଡିଏସନରୁ ରକ୍ଷା କରିବ ।

ଗ୍ୟାଲିଲିଓ ଆବିଷ୍କାର କରିଥିଲେ ୟୁରୋପା ଉପଗ୍ରହ
ବୈଜ୍ଞାନିକଙ୍କ ମତରେ ୟୁରୋପାରେ ୧୦ରୁ ୨୦ ମାଇଲ ମୋଟା ବରଫର ମହାସାଗର ରହିଛି । ପୃଥିବୀର ସବୁ ସମୁଦ୍ରର ପାଣିର ଦୁଇଗୁଣା ପାଣି ୟୁରୋପାରେ ରହିଛି ବୋଲି ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି । ୧୬୧୦ ମସିହାରେ ପ୍ରସିଦ୍ଧ ଇଟାଲୀୟ ବୈଜ୍ଞାନିକ ଗ୍ୟାଲିଲିଓଙ୍କ ଦ୍ୱାରା ଆବିଷ୍କାର ହୋଇଥିଲା ୟୁରୋପା ଉପଗ୍ରହ । ଏହାର ଆକାର ଆମ ଚନ୍ଦ୍ରମା ଭଳି ହେବ । ୟୁରୋପା ହେଉଛି ବୃହସ୍ପତିର ଦ୍ୱିତୀୟ ନିକଟତମ ଉପଗ୍ରହ ।

Leave A Reply

Your email address will not be published.