Latest Odisha News

ଏହି ଦିନ ପହଞ୍ଚିବେ ସୁନୀତା, ନାସା ଜାରି କଲା ସମୟ..

ନୂଆଦିଲ୍ଲୀ: ଶେଷରେ ଘର ବାହୁଡିବେ ସୁନୀତା । ବୁଧବାର ବଡି ଭୋର ସକାଳୁ ପୃଥିବୀରେ ପହଞ୍ଚିବେ । ଏନେଇ ନାସା ଏକ ନିର୍ଦ୍ଦିଷ୍ଟ ସମୟ ଜାରି କରିଛି । ନାସା ନିଶ୍ଚିତ କରିଛି ଯେ, ଷ୍ଟାରଲାଇନର୍ ମହାକାଶଯାନର ଯାନ୍ତ୍ରିକ ସମସ୍ୟା ଯୋଗୁଁ ନଅ ମାସରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ଫସି ରହିଥିବା ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ବୁଧବାର ସକାଳେ ପୃଥିବୀକୁ ଫେରୁଛନ୍ତି ।

ଏନେଇ ନାସା ଦେଇଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟା ୫.୫୭ ET ରେ ଫ୍ଲୋରିଡା ଉପକୂଳ ନିକଟରେ ସମୁଦ୍ରରେ ସ୍ପଲାସ୍ ଡାଉନ ହେବାର ଆଶା ରହିଛି । ସେହିସମୟରେ ଅର୍ଥାତ୍ ୨୧୫୭ GMT ଏବଂ ୧୯ ମାର୍ଚ୍ଚ ୩.୨୭ ଏଏମ୍ ISTରେ ପୃଥିବୀରେ ଅବତରଣ କରିପାରନ୍ତି ସୁନୀତା ଏବଂ ତାଙ୍କ ସାଥି ସଦସ୍ୟ । ତେବେ ପ୍ରତ୍ୟାବର୍ତ୍ତନକୁ ପ୍ରଥମେ ବୁଧବାର ପାଇଁ ସ୍ଥିର କରାଯାଇଥିଲା କିନ୍ତୁ ଅବତରଣ ପାଇଁ ଉତ୍ତମ ପାଗ ପରିସ୍ଥିତି ସୁନିଶ୍ଚିତ ହେବା ପରେ ଏହା ଆହୁରି ଜଲଦି ହୋଇଛି ବୋଲି କହିଛି ନାସା ।

ମାତ୍ର ୮ ଦିନର ଯାତ୍ରା ପାଇଁ ମହାକାଶ ଷ୍ଟେସନ୍ ଯାଇଥିବା ଭାରତୀୟ ବଂଶୋଦ୍ଭବ ସୁନୀତା ଓ୍ବିଲିୟମ୍ସ ଏବଂ ତାଙ୍କ ସାଥି ବୁଚ ଓ୍ବିଲମୋର ଦୀର୍ଘ ୯ମାସ ସେଠି ରହି ଶେଷରେ ପୃଥିବୀକୁ ଫେରୁଛନ୍ତି । ଏଇ ଗଲା ରବିବାର ନାସା ଏବଂ ସ୍ପେସଏକ୍ସ ନେତୃତ୍ବରେ ଯାଇଥିବା କ୍ରୁ ଡ୍ରାଗନ ମହାକାଶଯାନ, ସଫଳତାର ସହ ଆଇଏସଏସରେ ଡକିଂ କରିଥିଲା । ଏହାପରେ ମିଶନ ହସ୍ତାନ୍ତର କରି ପୃଥିବୀ ଫେରିବେ ସୁନୀତା ।

ସେପଟେ ସୁନୀତାଙ୍କ ଫେରିବା ନେଇ ନାସାର ସୂଚନା ପରେ ଆଶା ଅଧିକ ବଢିଥିବା ବେଳେ, ଏନେଇ ଖୁସି ବ୍ୟକ୍ତ କରିଛନ୍ତି ସୁନୀତା । ଏଲୋନ୍ ମସ୍କ ଦୁଇ ମହାକାଶଚାରୀଙ୍କର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଦୁଇ ମହାକାଶଚାରୀ, ମସ୍କ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସେମାନଙ୍କ ପ୍ରତ୍ୟାବର୍ତ୍ତନରେ ସହାୟତା କରିବା ପାଇଁ କୃତଜ୍ଞତା ଜ୍ଞାପନ କରୁଛନ୍ତି ।  ପୋଷ୍ଟ ହୋଇଥିବା ଏହି ୨୫5 ସେକେଣ୍ଡର କ୍ଲିପରେ ୱିଲିୟମ୍ସ କହୁଛନ୍ତି, ଆମେ ବହୁତ ଶୀଘ୍ର ଫେରି ଆସୁଛୁ, ତେଣୁ ମୋ ବିନା କିଛି ବି ଯୋଜନା କରନ୍ତୁ ନାହିଁ। ଆମେ ବହୁତ ଶୀଘ୍ର ଫେରି ଆସିବୁ। ଏହାପରେ ତାଙ୍କ ସାଥି ୱିଲମୋର ମସ୍କ ଏବଂ ଟ୍ରମ୍ପଙ୍କୁ ଧନ୍ୟବାଦ ଦେଇ କହିଛନ୍ତି, ଆମ ସମସ୍ତଙ୍କର ମସ୍କ ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିଙ୍କ ପ୍ରତି ଅତ୍ୟନ୍ତ ସମ୍ମାନ ରହିଛି । ଆମେ ସେମାନଙ୍କୁ ପ୍ରଶଂସା କରୁଛୁ, ସେମାନେ ଆମ ପାଇଁ ଯାହା କରିଛନ୍ତି, ତାହା ପାଇଁ ଆମେ କୃତଜ୍ଞ ବୋଲି ସେ କହିଥିଲେ ।

ତେବେ ପୂର୍ବରୁ ଓଭାଲ ଅଫିସରେ ଏକ ଭାଷଣରେ ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ଦୁଇ ମହାକାଶଚାରୀଙ୍କୁ ବାର୍ତ୍ତା ଦେଇଥିଲେ । ସେମାନଙ୍କୁ ଏଭଳି ସେଠି ଛାଡିବା ପାଇଁ ପୂର୍ବ ବାଇଡେନ୍ ପ୍ରଶାସନକୁ ନିନ୍ଦା କରିଥିଲେ । କହିଥିଲେ, ଆମେ ତୁମକୁ ଭଲ ପାଉ, ଏବଂ ଆମେ ତୁମକୁ ଫେରାଇ ଆଣିବା ପାଇଁ ଆସୁଛୁ। ତୁମେ ଏତେ ଦିନ ପର୍ଯ୍ୟନ୍ତ ସେଠାରେ ରହିବା ଉଚିତ୍ ନଥିଲା । କିନ୍ତୁ ଆମ ଇତିହାସର ସବୁଠାରୁ ଅକ୍ଷମ ରାଷ୍ଟ୍ରପତି ତୁମ ସହିତ ଏହା ହେବାକୁ ଦେଇଥିଲେ, କିନ୍ତୁ ଏହି ରାଷ୍ଟ୍ରପତି ତାହା ହେବାକୁ ଦେବ ନାହିଁ । ଆମେ ତୁମକୁ ବାହାରକୁ ଆଣିବାକୁ ଯାଉଛୁ ବୋଲି କହିଥିଲେ ଟ୍ରମ୍ପ ।

ଏଥିସହିତ ଟ୍ରମ୍ପ ୱିଲିୟମ୍ସଙ୍କ ବିଷୟରେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ମନ୍ତବ୍ୟ ରଖିଥିଲେ ।  ତାଙ୍କ କେଶ ଶୂନ୍ୟ ଗୁରୁତ୍ୱାକର୍ଷଣ ପ୍ରଭାବରେ କିପରି ରିଆକ୍ଟ କରୁଛି ସେନେଇ ଉଲ୍ଲେଖ କରିଥିଲେ । କହିଥିଲେ, ମୁଁ ସେହି ମହିଳାଙ୍କୁ ଦେଖିପାରୁଛି, ଯାହାଙ୍କର କେଶ ବହୁତ ଭଲ, ସୁଦୃଢ଼ । ଏଥିରେ କୌଣସି ମଜାକ୍ ନାହିଁ । କିନ୍ତୁ, ଆପଣ ଜାଣନ୍ତି, ସେଠାରେ ମଧ୍ୟ ଏକ ବିପଦ ଅଛି । ସେମାନେ ବିଫଳତାର ସମ୍ମୁଖୀନ ହୋଇପାରନ୍ତି, ଯାହା ବହୁତ ଖରାପ ହେବ । ଆମକୁ ସେମାନଙ୍କୁ ବାହାର କରିବାକୁ ପଡିବ ବୋଲି ମନ୍ତବ୍ୟ ରଖିଥିଲେ ଟ୍ରମ୍ପ ।

ତେବେ କହିରଖୁଛୁ, ଗତ ବର୍ଷ ଜୁନ ମାସରେ ୮ ଦିନ ପାଇଁ ବୋଇଙ୍ଗ ଷ୍ଟାରଲାଇନର କ୍ୟାପସୁଲ୍‌ରେ ମହାକାଶକୁ ଯାତ୍ରା କରିଥିଲେ ସୁନୀତା ଓ ତାଙ୍କ ସାଥି ଓ୍ବିଲମୋର । କିନ୍ତୁ ବୋଇଙ୍ଗ ଷ୍ଟାରଲାଇନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ  ପ୍ରାୟ ୯ ମାସ ହେଲା ସେଠି ଫସିରହିଛନ୍ତି ସୁନୀତା ଓ ସହଯୋଗୀ ୱିଲମୋର । ତେବେ ପରେ ସ୍ପେଶଏକ୍ସ ମହାକାଶ ଯାନରେ ଫେରିବାର ଥିଲା । କିନ୍ତୁ ଏହି ଯାନ ଲଞ୍ଚରେ ବିଳମ୍ବ ଯୋଗୁଁ ସେମାନଙ୍କ ଫେରିବା ବିଳମ୍ବ ହୋଇଥିଲା । ହେଲେ ଶନିବାର କ୍ରୁ-୧୦ ମିଶନ ମହାକାଶ ଅନ୍ତର୍ଜାତୀୟ ଷ୍ଟେସନରେ ସଫଳ ପ୍ରବେଶ କରିବା ପରେ ଏବେ ୧୯ରେ ସୋମନେ ଘଣକୁ ଫେରିବେ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.