୪୯ ବର୍ଷ ପୂର୍ବ ଯାତ୍ରା ଆରମ୍ଭ…ପୃଥିବୀଠାରୁ ୨୬ ଅରବ କିମି ଦୂରରେ ପହଞ୍ଚିବ Voyager-1, ମାନବ ଇତିହାସରେ କେବେ ଯାଇନଥିଲା ଏତେ ଦୂରତା!
ନୂଆଦିଲ୍ଲୀ: ମହାକାଶରେ ପୁଣି ଏକ ନୂଆ ଇତିହାସ ରଚିବାକୁ ଯାଉଛି ନାସାର ଅନ୍ତରୀକ୍ଷ ଯାନ Voyager-1। ୧୯୭୭ ମସିହାରେ ଯାତ୍ରା ଆରମ୍ଭ କରିଥିବା ଏହି ଯାନ ନଭେମ୍ବର ୧୮ରେ ପୃଥିବୀଠାରୁ ଏକ ଆଲୋକ ଦିନର ଦୂରତା ଅତିକ୍ରମ କରିବାକୁ ଯାଉଛି। ଏପରି ସଫଳତା ହାସଲ କରିବାରେ ଏହା ହେବ ପ୍ରଥମ ମାନବ ନିର୍ମିତ ଯନ୍ତ୍ର। ନାସାର ଆକଳନ ଅନୁସାରେ, ଆମେରିକା ସମୟ ସକାଳ ୫ଟା ୧୬ ମିନିଟ୍ ୭ ସେକେଣ୍ଡ ଏବଂ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩ଟା ୪୬ ମିନିଟ୍ ୭ ସେକେଣ୍ଡରେ ଏହି ଐତିହାସିକ ମୁହୂର୍ତ୍ତ ଆସିପାରେ।
ଏକ ଆଲୋକ ଦିନ ଅର୍ଥାତ୍ ଆଲୋକ ୨୪ ଘଣ୍ଟାରେ ଅତିକ୍ରମ କରୁଥିବା ଦୂରତା। ଏହା ପ୍ରାୟ ୨୬ ଅରବ କିଲୋମିଟର। ଏହି ଦୂରତା ଅତିକ୍ରମ କରିବାକୁ Voyager-1କୁ ୪୯ ବର୍ଷ, ୨ ମାସ ଓ ୧୧ ଦିନ ଲାଗିବ। ବର୍ତ୍ତମାନ ଏହା ଘଣ୍ଟାପ୍ରତି ପ୍ରାୟ ୬୧ ହଜାର କିଲୋମିଟର ବେଗରେ ଆଗକୁ ବଢ଼ୁଛି। ୧୯୭୭ରେ ସୌରମଣ୍ଡଳର ବାହ୍ୟ ଗ୍ରହଗୁଡ଼ିକର ଅଧ୍ୟୟନ ପାଇଁ ନାସା ଏହାକୁ ମହାକାଶକୁ ପଠାଇଥିଲା। ୨୦୧୨ରେ ଏହା ସୌରମଣ୍ଡଳର ସୀମା ଅତିକ୍ରମ କରି ତାରାମାନଙ୍କ ମଧ୍ୟବର୍ତ୍ତୀ ମହାକାଶ ବା ଇଣ୍ଟରଷ୍ଟେଲାର ସ୍ପେସ୍ରେ ପ୍ରବେଶ କରିଥିଲା। ସେଠାରୁ ଏବେ ମଧ୍ୟ ତଥ୍ୟ ପଠାଉଛି। ମହାକାଶର ବିଶାଳ ଦୂରତା ବୁଝିବାକୁ ହେଲେ, ସୂର୍ଯ୍ୟଙ୍କ ଆଲୋକ ପୃଥିବୀରେ ପହଞ୍ଚିବାକୁ ୮ ମିନିଟ୍ ୨୦ ସେକେଣ୍ଡ ଏବଂ ନେପଚ୍ୟୁନ୍ଠାରୁ ପୃଥିବୀରେ ପହଞ୍ଚିବାକୁ ପ୍ରାୟ ୪ ଘଣ୍ଟା ୧୦ ମିନିଟ୍ ଲାଗେ।
Voyager-1ର ଯମଜ ଯାନ Voyager-2 ମଧ୍ୟ ୧୯୭୭ରେ ଉତ୍କ୍ଷେପଣ ହୋଇଥିଲା। ଏହା ୟୁରେନସ୍ ଓ ନେପଚ୍ୟୁନ୍ର ଅଧ୍ୟୟନ କରିଥିଲା। ନାସା ଅନୁସାରେ, Voyager-2 ୨୦୩୫ ନଭେମ୍ବରରେ ଏକ ଆଲୋକ ଦିନର ଦୂରତା ଛୁଇଁପାରେ। ଅନ୍ୟପଟେ Voyager-1 ବର୍ତ୍ତମାନ Gliese 445 ନାମକ ତାରା ଦିଗରେ ଗତି କରୁଛି। ପ୍ରାୟ ୪୦ ହଜାର ବର୍ଷ ପରେ ଏହା ଏହି ତାରାର ୧.୭ ଆଲୋକ ବର୍ଷ ନିକଟ ଦେଇ ଅତିକ୍ରମ କରିବାର ଅନୁମାନ ରହିଛି।
ପ୍ରାୟ ୫୦ ବର୍ଷ ଧରି ମହାକାଶରେ ଯାତ୍ରା ଜାରି ରଖିଥିବା Voyager-1ର ଏହି ସଫଳତା ମାନବ ମହାକାଶ ଅନୁସନ୍ଧାନ ଇତିହାସରେ ଆଉ ଏକ ବଡ଼ ମାଇଲଖୁଣ୍ଟ ହେବ।
