Latest Odisha News

BREAKING NEWS

ଭାରତର ଏହି ସ୍ଥାନକୁ ଏକୁଟିଆ ଯାଆନ୍ତୁନି ମହିଳା; ନିଜ ନାଗରିକଙ୍କୁ ସତର୍କ କରାଇଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ଭାରତ ଯାତ୍ରା କରୁଥିବା ତାର ନାଗରିକମାନଙ୍କ ପାଇଁ ଏକ ଲେବଲ-୨ ଯାତ୍ରା ସତର୍କତା ଜାରି କରିଛି । ଏଥିରେ ଭାରତରେ ଅପରାଧ ଏବଂ ଆତଙ୍କବାଦ ହେତୁ ଆମେରିକୀୟ ନାଗରିକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଜାରି ଏହି ନିର୍ଦ୍ଦେଶିକାରେ କୁହାଯାଇଛି ଯେ, ଭାରତରେ “ଅପରାଧ, ବଳାତ୍କାର ଏବଂ ଆତଙ୍କବାଦ” କାରଣରୁ ଏହା ଜାରି କରାଯାଇଛି, ଏବଂ କେତେକ ଅଞ୍ଚଳରେ ବିପଦ ଅଧିକ ରହିଛି ।

ନିର୍ଦ୍ଦେଶିକାରେ ଏହା ମଧ୍ୟ କୁହାଯାଇଛି ଯେ, ଆତଙ୍କବାଦୀମାନେ କୌଣସି ପୂର୍ବ ସୂଚନା ବିନା ଆକ୍ରମଣ କରୁଛନ୍ତି । ସେମାନେ ପର୍ଯ୍ୟଟନ ସ୍ଥାନ, ପରିବହନ କେନ୍ଦ୍ର, ବଜାର, ସପିଂ ମଲ୍, ସରକାରୀ ପ୍ରତିଷ୍ଠାନକୁ ଟାର୍ଗେଟ କରନ୍ତି । ଏହି ବିପଦ ଯୋଗୁଁ, ଭାରତରେ କାର୍ଯ୍ୟରତ ଆମେରିକୀୟ ସରକାରୀ କର୍ମଚାରୀମାନଙ୍କୁ ଯାତ୍ରା କରିବା ପାଇଁ ସ୍ୱତନ୍ତ୍ର ଅନୁମତି ନେବାକୁ ପଡିବ ।

ବିଦେଶ ମନ୍ତ୍ରଳାୟ କହିଛି ଯେ, ଗ୍ରାମାଞ୍ଚଳରେ ଆମେରିକୀୟ ନାଗରିକଙ୍କୁ ଜରୁରୀକାଳୀନ ସେବା ଯୋଗାଇବାରେ ଆମେରିକୀୟ ସରକାରଙ୍କର ସୀମିତ କ୍ଷମତା ଅଛି । ବିପଦପୂର୍ଣ୍ଣ ରାଜ୍ୟଗୁଡ଼ିକ ପୂର୍ବ ମହାରାଷ୍ଟ୍ର ଏବଂ ଉତ୍ତର ତେଲେଙ୍ଗାନାରୁ ପଶ୍ଚିମ ବଙ୍ଗ ପର୍ଯ୍ୟନ୍ତ ବ୍ୟାପିଛି । ନିର୍ଦ୍ଦେଶିକାରେ ବିଶେଷ ଭାବରେ କୁହାଯାଇଛି ଯେ ଏକା ଯାତ୍ରା କରନ୍ତୁ ନାହିଁ, ବିଶେଷକରି ଯଦି ଆପଣ ଜଣେ ମହିଳା ଅଟନ୍ତି । କାରଣ ଭାରତରେ ବଳାତ୍କାର ଦ୍ରୁତ ଗତରେ ବୃଦ୍ଧି ପାଉଛି । ଏହା ଦ୍ରୁତ ଗତରେ ବୃଦ୍ଧି ପାଉଥିବ ଅପରାଧ ମଧ୍ୟରେ ଅନ୍ୟତମ ।

ଆମେରିକାର ବୈଦେଶିକ ମନ୍ତ୍ରାଳୟ ଜମ୍ମୁ-କଶ୍ମୀର, ଭାରତ-ପାକିସ୍ତାନ ସୀମା ଏବଂ ମଧ୍ୟ ଏବଂ ପୂର୍ବ ଭାରତର କିଛି ଅଂଶକୁ ସୁରକ୍ଷା ଦୃଷ୍ଟିକୋଣରୁ ସମ୍ବେଦନଶୀଳ ଘୋଷଣା କରିଛି ଏବଂ ସେଠାକୁ ଯାତ୍ରା କରୁଥିବା ଲୋକମାନଙ୍କୁ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ କହିଛି ।

ଏହା ବ୍ୟତୀତ, ନିର୍ଦ୍ଦେଶିକାରେ ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, ମେଘାଳୟ, ଓଡ଼ିଶା ଉଲ୍ଲେଖ କରାଯାଇଛି ଏବଂ ଲେଖାଯାଇଛି ଯେ ଯଦି କର୍ମଚାରୀମାନେ ଏହି ରାଜ୍ୟଗୁଡ଼ିକର ରାଜଧାନୀ ବ୍ୟତୀତ ଅନ୍ୟ କୌଣସି ସହରକୁ ଯାତ୍ରା କରିବାକୁ ଚାହାଁନ୍ତି, ତେବେ ଏଥିପାଇଁ ଅନୁମତି ନେବା ଆବଶ୍ୟକ । ସ୍ଥଳପଥ ଦେଇ ନେପାଳ-ଭାରତ ସୀମା ପାର କରନ୍ତୁ ନାହିଁ ବୋଲି ମଧ୍ୟ ଉଲ୍ଲେଖ ରହିଛି ।

ଏହା ପୂର୍ବରୁ ମଧ୍ୟ, ୨୦୧୯ ଏବଂ ୨୦୨୧ରେ ଆମେରିକା ଦୂତାବାସ ମହିଳା ନିରାପତ୍ତା ନେଇ ସମାନ ସତର୍କତା ଜାରି କରିଥିଲା। ନିର୍ଦ୍ଦେଶିକାରେ ଆହୁରି କୁହାଯାଇଛି ଯେ ଯାତ୍ରୀମାନେ ସେଟେଲାଇଟ ଫୋନ ବା GPS ଡିଭାଇସ ସାଙ୍ଗରେ ନ ଆଣିବା ଉଚିତ, କାରଣ ଏହା ଭାରତରେ ବେଆଇନ ଏବଂ $200,000 ଜରିମାନା ବା ଜେଲ ଦଣ୍ଡ ହୋଇପାରେ ।

Comments are closed.