ଭୁବନେଶ୍ୱର: କିଟ୍ ପରିସରରେ ଆୟୋଜିତ ହୋଇଯାଇଛି ଜାତୀୟ ମେଗା ସାଂସ୍କୃତିକ ଓ ନୃତ୍ୟ ମହୋତ୍ସବ । ଏହି ମହୋତ୍ସବରେ ଓଡ଼ିଶା ସମେତ ୨୫ଟି ରାଜ୍ୟର ନୃତ୍ୟଦଳ ଯୋଗଦେଇ ଚମକ୍ଦାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶୀ ସମେତ କୁଚିପୁଡ଼ି, କଥକ, ଭାରତନାଟ୍ୟମ୍, କଥକଲି ଆଦି ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରାଯାଇଥିଲା । ଏଥିସହ ପାନ୍ଥି, ଝୁମର, ଛଉ, ଗାସିୟାରୀ, ସାମେଇ, ନାଟି, ବିହୁ, ଲାବନୀ, ଭାଙ୍ଗଡ଼ା ଆଦି ବିଭିନ୍ନ ରାଜ୍ୟର ଲୋକନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ଚମତ୍କୃତ କରିଥିଲା । ଗୋଟିଏ ସ୍ଥାନରେ ଏତେ ସଂଖ୍ୟକ ରାଜ୍ୟର ନୃତ୍ୟ ଦେଖିବା ପାଇଁ କିଟ୍ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଏହି ମେଗା ନୃତ୍ୟ ମହୋତ୍ସବ ଭାରତର ଏକତା ଓ ଜାତୀୟ ସଂହତିର ଝଲକ ହେବାସହ ଏକ ମିନି ଭାରତର ପରିବେଶ ସୃଷ୍ଟି କରିଥିଲା । କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ସଭାପତି ଶାଶ୍ୱତୀ ବଳ, ଉପସଭାପତି ଉମାପଦ ବୋଷ, ସମ୍ପାଦକ ଆର.ଏନ୍ ଦାଶ, କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତଙ୍କ ସମେତ କିଟ୍ ଓ କିସ୍ର ବରିଷ୍ଠ ପଦାଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ନୃତ୍ୟଦଳକୁ ଉତ୍ସାହିତ କରିଥିଲେ ।
କିଟ୍ର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଗତ ନଭେମ୍ବର ୧୬ରୁ ୩ମାସ ଧରି ରୌପ୍ୟ ଜୟନ୍ତୀ ଉତ୍ସବ ପାଳନ କରାଯାଉଛି । ଏହାର ନାମ ରଖାଯାଇଛି ‘ସଏଲ ଟୁ ସିଲଭର’ । ଏହି ଅବସରରେ ଫେବୃଆରୀ ପହିଲାରୁ କିଟ୍ କାର୍ଣ୍ଣିଭାଲ କାର୍ଯ୍ୟକ୍ରମ ଚାଲୁ ରହିଛି । ଏଥିସହ ଅନ୍ୟ ଏକ ନୂତନ କାର୍ଯ୍ୟକ୍ରମ ‘କନ୍ର୍ଭଜେନ୍ସ’ ମଧ୍ୟ ଆୟୋଜନ କରାଯାଇଛି ।
Comments are closed.