Latest Odisha News

BREAKING NEWS

National Lok Adalat:ଏହି ଦିନ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ଓ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ।

ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍ ଯୋଗ୍ୟ), ଚେକ୍ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ ।

କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍, ବିଦ୍ୟୁତ, ପାନୀୟ ଜଳ ବିଲ୍ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ ।

ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.