Latest Odisha News

BREAKING NEWS

ଡି.ଏ.ଭି କଳିଙ୍ଗନଗରରେ ଜାତୀୟ କ୍ରୀଡା ଦିବସ ପାଳିତ

ଭୁବନେଶ୍ୱର: ଅଧ୍ୟୟନ ସହିତ କ୍ରୀଡାର ବିଶେଷ ଗୁରୁତ୍ୱ ରହିଛି । ଏହା ବିଦ୍ୟାର୍ଥୀର ଉତ୍ତମ ସ୍ୱାସ୍ଥ୍ୟ ଓ ମାନସିକ ସ୍ଥିରତା ଆଣିବାରେ ସହାୟକ ହୋଇଥାଏ ।ଏହାକୁ ଜୀବନର ଏକ ଅଙ୍ଗ ରୂପେ ଗ୍ରହଣ କରିବା ଉଚିତ । ଏହି ଲକ୍ଷ୍ୟ ନେଇ ସ୍ଥାନୀୟ ଡି.ଏ.ଭି ସ୍କୁଲ କଳିଙ୍ଗନଗରଠାରେ ଜାତୀୟ କ୍ରୀଡା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ।

ଏହି ଉପଲକ୍ଷେ କାର୍ଯ୍ୟକ୍ରମ ପ୍ରାରମ୍ଭରେ କିମ୍ବଦନ୍ତୀ କ୍ରୀଡାବିତ୍ ମେଜର ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇ ବିଭିନ୍ନ ବର୍ଗର ୩୦୦ରୁ ଊଦ୍ଧ୍ୱର୍ ବିଦ୍ୟାର୍ଥୀ, ଅଭିଭାବକ, ବରିଷ୍ଠ ନାଗରିକଙ୍କୁ ନେଇ ଏକ ବିଶାଳ ଗଣଦୌଡର ଆୟୋଜନ କରାଯାଇଥିଲା । ଏହାକୁ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ୍ କୁମାର ସାହୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ଏହି ଦିବସର ତାତ୍ପର୍ଯ୍ୟ ଉପରେ ଗୁରୁତ୍ୱଆରୋପ କରିଥିଲେ । ପରେ ପରେ ସମସ୍ତ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଗଣଦୌଡର ବିଜେତାମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏଥିରେ ଗଣଦୌଡର ବିଶେଷ ଆକର୍ଷଣ ଭାବେ ଭାଗ ନେଇଥିବା ୭୦ ବର୍ଷୀୟ ରଘୁନାଥ ପୃଷ୍ଟିଙ୍କୁ ବିଶେଷ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଦ୍ୟାଳୟର ପୁରାତନ ଛାତ୍ର ବିଶ୍ୱପ୍ରଜ୍ଞା ପଟ୍ଟନାୟକଙ୍କୁ ଶ୍ରେଷ୍ଠ କ୍ରୀଡାବିତ୍ ଭାବେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ସ୍କେଟିଙ୍ଗ ସୋ ପ୍ରଦର୍ଶିତ ହୋଇଥିଲା ।

ଏଥି ସହ ସ୍ୱଚ୍ଛ ଭାରତ ଶ୍ରେଷ୍ଠ ଭାରତ ଆଭିମୁଖ୍ୟ ନେଇ ସିଭିଲ୍ ଡିଫେନସ୍ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟ ସଂପାଦିତ ହୋଇଥିଲା । ଏଥିରେ ବିଦ୍ୟାଳୟର ଶାରୀରିକ ଶିକ୍ଷା ବିଭାଗର ମୁଖ୍ୟ ଡଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଏବଂ ଏ. ରବିଶଙ୍କରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ପରିଚାଳନା କରିଥିଲେ ।

 

ଶେଷରେ ବିଦ୍ୟାଳୟର ତତ୍ତ୍ୱାବଧାରିକା ଦୀପାଞ୍ଜଳି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.