Latest Odisha News

BREAKING NEWS

୫-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି । ଏହି ପର୍ଯ୍ୟାୟର ପ୍ରଥମ ଦିନରେ ଆଜି ୪ଟି ଜିଲ୍ଲାର ୩୫୭ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିରେ ଗଞ୍ଜାମ ଜିଲ୍ଲାର ୧୦୬ଟି ହାଇସ୍କୁଲ, ଅନୁଗୁଳର ୮୭ଟି, କେନ୍ଦୁଝରର ୫୭ଟି ଓ ଜଗତସିଂହପୁରର ୧୦୭ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ତୃତୀୟ ପର୍ଯ୍ୟାୟରେ ସମୁଦାୟ ୨୧୫୧ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ।

ସୂଚନାଯୋଗ୍ୟ ଯେ ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଛି । ତିନୋଟି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬୧୩୨ଟି ସ୍କୁଲ ରୂପାନ୍ତରିତ ହେବ।

ଏହି ଅବସରରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଡି ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଛାତ୍ରଛାତ୍ରୀ ମାନଙ୍କ ସଫଳତା ହେଉଛି ଓଡିଶାର ସଫଳତା । ୫-ଟି ସ୍କୁଲ ଗୁଡିକରେ ପିଲାମାନଙ୍କୁ ସବୁ ପ୍ରକାର ଆଧୁନିକ ସୁବିଧା ଦେବା ପାଇଁ ପ୍ରଚେଷ୍ଟା କରାଯାଇଛି। ପିଲାମାନେ ଏହାର ସୁଯୋଗ ନେଇ ନିଜ ପ୍ରତିଭାର ପରିଚୟ ପ୍ରଦାନ କରିପାରିଲେ, ସେମାନଙ୍କ ନିଜର ଓ ପରିବାରର ଗୌରବ ବୃଦ୍ଧି ହେବା ସହିତ ସାରା ଓଡିଶାର ଗୌରବ ବୃଦ୍ଧି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କ ସହ ମତ ବିନିମୟ କରି ସେମାନେ ଭବିଷ୍ୟତରେ କଣ ହେବାକୁ ଚାହାନ୍ତି ବୋଲି ପଚାରିବାରୁ, ସେମାନେ ସମସ୍ତେ ପ୍ରଶାସନିକ ଅଧିକାରୀ, ଡାକ୍ତର ଓ ଇଂଜିନିଅର ହେବେ ବୋଲି ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲାରେ ବିଧାନସଭାର ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ, ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ, ଜଗତସିଂହପୁର ବିଧାୟକ ତଥା ସରକାରୀ ମୁଖ୍ୟ ସଚେତନ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ଏବଂ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀ ଜଗନ୍ନାଥ ନାୟକ ପ୍ରମୁଖ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ଉଚ୍ଚ ପ୍ରଶଂସା କରିଥିଲେ । କେବଳ ସ୍କୁଲ ରୂପାନ୍ତର ନୁହେଁ, ବିଭିନ୍ନ କ୍ଷେତ୍ରରେ ଆଜି ଓଡିଶା ସାରା ଦେଶରେ ଓ ବିଦେଶରେ ସୁନାମ ଅର୍ଜନ କରୁଛି । ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି ସେମାନେ କହିଥିଲେ । ଆଜିର ଛାତ୍ରଛାତ୍ରୀମାନେ ଉନ୍ନତ ଶିକ୍ଷା ସୁବିଧା ପାଇ ଓଡିଶାର ଟେକ ରଖିବେ ବୋଲି ସେମାନେ ଦୃଢ ବିଶ୍ବାସ ପ୍ରକଟ କରିଥିଲେ ।

Comments are closed.