ବୁବନେଶ୍ଵର: ସଂସଦରେ ୮ମ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହା ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ।ଏହି ବଜେଟରେ ୧୦ଟି ଦିଗ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଗରିବ, ଯୁବକ, ଅନ୍ନଦାତା, ମହିଳା ଓ ଏମଏସଏମଇ ଆଦି ଉପରେ ଫୋକସ ରହିଛି। ଅନ୍ୟପଟେ ଏହାକୁ ନେଇ ସୋସିଆଲ ମିଡିଆରେ ଅସନ୍ତୋଷ ଜାହିର କରିଛନ୍ତି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ।
ସେ ଲେଖିଛନ୍ତି, ଆଜି ଦେଶର ଯୁବପିଢ଼ି ପାଇଁ ଚାକିରିର ଆବଶ୍ୟକତା ଥିବା ବେଳେ ସାଧାରଣ ଲୋକେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧିର ଶିକାର ହେଉଛନ୍ତି। ଏହି ଦୁଇ ବିଷୟକୁ ବଜେଟରେ ଉପସ୍ଥାପିତ ନକରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।
ନବୀନ ଆହୁରି କହିଛନ୍ତି, ପ୍ରତିବର୍ଷ ଅନେକ ପ୍ରାକୃତିକ ବିପର୍ଯ୍ୟୟର ସାମନା କରୁଥିବା ଓଡ଼ିଶା ସ୍ୱତନ୍ତ୍ର ବର୍ଗର ମାନ୍ୟତା ପାଇଁ ଦାବି କରିଆସୁଛି। ହେଲେ ଅନ୍ୟ ରାଜ୍ୟଗୁଡ଼ିକ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା ପାଉଥିବାବେଳେ, କେନ୍ଦ୍ର ସରକାର ଓଡିଶାର ପ୍ରକୃତ ଦାବିକୁ ସମ୍ପୂର୍ଣ୍ଣ ଅଣଦେଖା କରିଛନ୍ତି ବୋଲି ସେ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ପେଡି ଖୋଲିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଲଗାତର ଅଷ୍ଟମ ଥର ପାଇଁ ସେ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥର ବଜେଟ୍ରେ ମଧ୍ୟବିତ୍ତ, ମହିଳା ଏବଂ ଗରିବଙ୍କୁ ସର୍ବାଧିକ ପ୍ରାଧାନ୍ୟ ମିଳିଛି। ବିଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଅର୍ଥନୀତିରେ ସମୃଦ୍ଧି ସାରା ବିଶ୍ଵକୁ ଚକିତ କରିଛି। ଗତ ୧୦ ବର୍ଷରେ ଅନେକ ସଂସ୍କାର କରାଯାଇଛି। ଏଥର ବଜେଟ୍ରେ ୧୦ଟି କ୍ଷେତ୍ରକୁ ଗୁରୁତ୍ଵ ଦିଆଯାଇଛି। ମଧ୍ୟମ ଶ୍ରେଣୀ ଲୋକଙ୍କ ବିକାଶକୁ ବେଶୀ ଗୁରୁତ୍ଵ ଦିଆଯାଇଛି। ପ୍ରଧାନମନ୍ତ୍ରୀ କୃଷି ଧନଜନ ଯୋଜନାକୁ ପ୍ରାଥମିକତା ଦିଆଯାଇଛି। କୃଷି ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ଵ ରହିଛି। ଏହାଦ୍ଵାରା ୧.୭ କୋଟି କୃଷକ ଉପକୃତ ହେବେ।
Comments are closed.