Latest Odisha News

‘ଭୂମି ସମ୍ମାନ’ ପାଇଥିବା ୧୯ଟି ଜିଲ୍ଲାକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜମି ରେକର୍ଡର ଶତପ୍ରତିଶତ କମ୍ପ୍ୟୁଟରୀକରଣ ବା ଡିଜିଟାଇଜେସନ ପାଇଁ ‘ଭୂମି ସମ୍ମାନ’ ପାଇଥିବା ଓଡ଼ିଶାର ୧୯ଟି ଜିଲ୍ଲାକୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି।

ଭୁବନେଶ୍ୱରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାର ପାଇଁ ରାଜସ୍ୱ ପ୍ରଶାସନ ଓ ଜିଲ୍ଲାଗୁଡ଼ିକୁ ଅଭିନନ୍ଦନ ଜଣାଇଛନ୍ତି। ଏହି ପୁରସ୍କାର ପାଇଁ ଦେଶର ୬୮ଟି ଜିଲ୍ଲାରୁ ଚୟନ ହୋଇଥିବା ଜିଲ୍ଲାଗୁଡ଼ିକ ପାଇଁ ସେ ଖୁସି ବ୍ୟକ୍ତ କରିଛନ୍ତି। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାଗୁଡ଼ିକରେ ଜମି ରେକର୍ଡର ଶତ ପ୍ରତିଶତ ଡିଜିଟାଇଜେସନ୍ କାମ ଶେଷ ହେବ ବୋଲି ସେ କହିଛନ୍ତି।

୫-ଟି ଚାର୍ଟର କାର୍ଯ୍ୟକାରୀ ହେବା ପରେ ଏବଂ ମୋ ସରକାର ନୀତିକୁ ପାଳନ କରି ଓଡ଼ିଶା ଭୂମି ରେକର୍ଡର ଆଧୁନିକୀକରଣରେ ଅନ୍ୟତମ ଅଗ୍ରଣୀ ହୋଇପାରିଛି। ସରକାରୀ କାର୍ଯ୍ୟାଳୟକୁ ଆସିବା ଏବେ ବାଧ୍ୟବାଧକତା ଅପେକ୍ଷା ପସନ୍ଦର ବିଷୟ। ଲୋକମାନେ ଯେକୌଣସି ସ୍ଥାନରୁ ଇ-ଗଭର୍ଣ୍ଣାନ୍ସ ଆପ୍ଲିକେସନ୍ ଜରିଆରେ ବିଭିନ୍ନ ସରକାରୀ ସେବା ପାଇପାରିବେ।

ସେ ଆହୁରି ମଧ୍ୟ କହିଛନ୍ତି, ଲୋକଙ୍କ ଉପରେ ଧ୍ୟାନ ଦେଇ ଏବଂ ସେମାନଙ୍କ ସମସ୍ୟାର ସମାଧାନ ଖୋଜି ଆମେ ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମରେ ଶ୍ରେଷ୍ଠ ରାଜ୍ୟ ହୋଇପାରିଛୁ।

ମୁଖ୍ୟମନ୍ତ୍ରୀ ଏହି ଅବସରରେ ଅନୁଗୁଳ, ବୌଦ୍ଧ, ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡା ଓ ସମ୍ବଲପୁର ଜିଲ୍ଲାପାଳଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିଛନ୍ତି।

ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକୀକରଣରେ ଶତ ପ୍ରତିଶତ ସଫଳତା ହାସଲ କରିଥିବାରୁ ଏହି ଜିଲ୍ଲାଗୁଡିକ ଜୁଲାଇ ମାସରେ ରାଷ୍ଟ୍ରପତିଙ୍କ ଠାରୁ ଭୂମି ସମ୍ମାନ ପୁରସ୍କାର ପାଇଥିଲେ। ଜମିଜମା ରେକର୍ଡର ଡିଜିଟାଇଜେସନ୍ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାକୁ ଭାରତର ଶ୍ରେଷ୍ଠ ରାଜ୍ୟ ଭାବେ ସମ୍ମାନଜନକ ଭୂମି ସମ୍ମାନ ପ୍ରଦାନ କରାଯାଇଛି।

ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ, ମୁଖ୍ୟ ଶାସନ ସଚିବ ପି. କେ. ଜେନା, ରାଜସ୍ୱ ଓ ବିପର୍ଯ୍ଯୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଆଇଜି ରାଜସ୍ୱ ଜ୍ୟୋତିପ୍ରକାଶ ଦାସ, ରାୟଗଡ଼ା ଓ ନୂଆପଡ଼ା ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି. କେ. ପାଣ୍ଡିଆନଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.