ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦଙ୍କ ମହିମା ଅପାର ପରମ ଶାସ୍ତ୍ର ଭାଗବତ କହିଥାଏ । ହୃଦିରୁପଂ. ମୁଖେ ନାମ ନୈବେଦ୍ୟମୁଦ ରେ ହରେ, ପାଦୋଦକଞ୍ଚ ନିର୍ମାଲ୍ୟ ମସ୍ତକେୟସ୍ୟ ସୋଅମୃତ “ଅର୍ଥାତ ହରିଙ୍କ ରୁପକୁ ହୃଦୟରେ ଧାରଣ କରି ମୁଖରେ ନାମ ଉଚ୍ଚାରଣ ପୂର୍ବକ, ଉଦରରେ ନୈବେଦ୍ୟ ଗ୍ରହଣ କରି ମସ୍ତକରେ ପାଦୋଦକ ଓ ନିର୍ମାଲ୍ୟ ରଖିଲେ ବ୍ୟକ୍ତି ଅମର ନହୋଇ ଆଉ କଣ ହେବ ?ଏବେ ଆସନ୍ତୁ ଜାଣିବା ଭକ୍ତଙ୍କୁ ଅମର କରିବା ପାଇଁ ମୁଖ୍ୟତଃ ନୈବେଦ୍ୟର ବ୍ୟବସ୍ଥା କେବେ ହେଲା । ମାଦଳା ପାଞ୍ଜି (ଦ୍ଵିତୀୟ )ର ଉଲ୍ଲେଖ ପ୍ରକାରେ “ଅନଙ୍ଗଭୀମ ଦେବଙ୍କ ସମୟରେ ମହାପ୍ରଭୁଙ୍କୁ ରତ୍ନସିଂହାସନ ବିଜେ କରାଇଲା ଉତ୍ତାରୁ ଚୌରାଶୀ (୮୪ )ମଢ଼ଫୁଲ ଶଙ୍ଖୁଡି ଭୋଗ କଲା ।”
ଏହି ଉକ୍ତିର ସତ୍ୟତା ଏବେ ବି ମକର ସଂକ୍ରାନ୍ତି ଦିନ ଶ୍ରୀମନ୍ଦିରରେ ବିପୁଳ ପରିମାଣରେ ପ୍ରାୟ ୮୪ ପ୍ରକାରର ଭୋଗ ନୈବେଦ୍ୟ ହେଉଛି। ଏହାକୁ ସାଧାରଣରେ “ମକର ଚଉରାଶି ” ଭୋଗ ନାମରେ ଅଭିହିତ ହୋଇଛି. ବର୍ଷକରେ ଏହି ଗୋଟିଏ ଦିନ ସର୍ବାଧିକ ସଂଖ୍ୟକ ଭୋଗ ପଦାର୍ଥ ପ୍ରସ୍ତୁତ ହେବାର ପରମ୍ପରା ଥିଲେ ମଧ୍ୟ ଅନ୍ୟ ଦିନ ମାନଙ୍କରେ ଦୈନିକ ତିନୋଟି ଧୂପରେ ଅନ୍ନ ମହାପ୍ରସାଦ ବ୍ୟବସ୍ଥା ସୋମବଂଶୀୟ ରାଜାମାନଙ୍କ ଦ୍ୱାରା ହୋଇଥିବାର ଐତିହାସିକ ପ୍ରମାଣ ମିଳେ। ନାଗରା ତାମ୍ର ଶାସନର ସୂଚନା ଅନୁଯାୟୀ ଗଙ୍ଗବଂଶର ପ୍ରଖ୍ୟାତ ନରପତି ଅନଙ୍ଗଭୀମ ଦେବ ୧୨୩୦ ଖ୍ରୀଷ୍ଟାବ୍ଦରେ ବର୍ତ୍ତମାନ ପରିଦୃଶ୍ୟମାନ ଶ୍ରୀମନ୍ଦିରର ପ୍ରତିଷ୍ଠା କାର୍ଯ୍ୟ କରାଇ ଶ୍ରୀଜୀଉମାନଙ୍କୁ ରତ୍ନସିଂହାସନ ବିଜେ କରାଇଲେ ଓ ବିଭିନ୍ନ ଭୋଗ ପ୍ରସାଦର ବ୍ୟବସ୍ଥା କରି ଶ୍ରୀମନ୍ଦିରରେ ସେବା ପାଇଁ “ଛତିଶା ନିଯୋଗ ” ବ୍ୟବସ୍ଥା କରାଇଲେ. ସେହି ନାଗରା ତାମ୍ର ଶାସନରେ ପୁନଶ୍ଚ ଉଲ୍ଲେଖ ଅଛି ଶ୍ରୀଜଗନ୍ନାଥଙ୍କୁ ରାଜାଧୀରାଜ ଭାବେ ଉପାସନା କରାଯାଉଥିବାରୁ ତାଙ୍କ ନିମିତ୍ତ “ରାଜଭୋଗ “ର ବ୍ୟବସ୍ଥା ହୋଇଥିଲା। ଆଗାମୀ ଅଧ୍ୟାୟରେ ଏହି ରାଜଭୋଗ ର ପ୍ରକୃତ ସ୍ୱରୂପ ଜାଣିବା, କିନ୍ତୁ ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ ।
” କୁସଙ୍ଗେ ସର୍ବ ନାଶ ହୁଏ
ପଡଇ ମିଥ୍ୟା ମାୟା ମୋହେ ।
ଯେ ପ୍ରାଣୀ ଜୀବ ବଧ କରେ
ସେ ପଶୁ ଯୋନି ରେ ବିହରେ ।”
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )