ଭୁବନେଶ୍ବର: ଓ୍ବାକଫ୍ ନେଇ ଏବେ ବଢିଛି ବିଜେଡି ଦଳରେ ତାତି । କାହିଁକି ଦଳୀୟ ନିଷ୍ପତ୍ତି ବାହାରକୁ ଯାଇ ଏମିତି କଲେ ସସ୍ମିତ୍ ପାତ୍ର?, ତାକୁ ନେଇ ଦଳର ବିଭିନ୍ନ ନେତା ଉତ୍ତର ମାଗୁଛନ୍ତି । ଦଳୀୟ କାମରେ ଟିକିଏ ଖଇଚା ଦେଖିଲେ, ସିଧା ସିଧା ଦଳରୁ ବାହାର କରୁଥିବା, ସୁପ୍ରିମୋ ନବୀନ, କାହିଁକି ସସ୍ମିତଙ୍କ ଦଳ ବିରୋଧୀ କାର୍ଯ୍ୟ ଉପରେ କିଛି କହିନାହାନ୍ତି, ନା ସବୁ କିଛି ଜାଣିଶୁଣି କରାଇଛନ୍ତି ନବୀନ, ତାକୁ ନେଇ ପ୍ରଶ୍ନ ଉଠିଲାଣି । ଦୀର୍ଘ ଦିନ ଧରି ଚୁପ୍ ବସିଥିବା ବରିଷ୍ଠ ନେତାମାନେ, ଏବେ ସିଧା ଆଗକୁ ଆସି ପ୍ରଶ୍ନ କଲେଣି ।
ପ୍ରଥମେ ଭୂପିନ୍ଦର ସିଂ, ପରେ ପ୍ରଭାତ ତ୍ରିପାଠୀ, ପ୍ରସନ୍ନ ଆଚାର୍ଯ୍ୟ, ଆଉ ଏବେ ବରିଷ୍ଠ ନେତା ପ୍ରଫୁଲ୍ଲ ଘଡେଇ । ଓ୍ବାକଫ୍ ବିଲ ଉପରେ ବିଜେଡିର ଆଭିମୁଖ୍ୟ ନେଇ ସିଧା ନବୀନଙ୍କୁ ନିଶାନା କରିଚନ୍ତି ପ୍ରଫୁଲ୍ଲ । ପ୍ରଫୁଲ୍ଲ କହିଛନ୍ତି, ୱାକଫ୍ ବିଲକୁ ନେଇ କାହିଁକି ନିଷ୍ପତ୍ତି ବଦଳିଲା, କିଏ ବଦଳାଇଲା, ଏନେଇ ସଭାପତି ନବୀନ ପଟ୍ଟନାୟକ ସାମ୍ନାକୁ ଆସି ସ୍ପଷ୍ଟ କରିବା ଦରକାର । ଏହି ଘଟଣାକୁ ନେଇ ବିଜେଡି ବ୍ୟାକ୍ ଫୁଟ୍କୁ ଯାଇଛି । ଦଳରେ ଦ୍ବନ୍ଦ୍ବ ଦୂର ହେବା ଦରକାର, ବାଦଲ ଦୂର ହେବା ଦରକାର । କାହିଁକି ନିଷ୍ପତ୍ତି ବଦଳିଲା, ତାହା ପ୍ରକୃତ କାରଣ କ’ଣ ନବୀନ ହିଁ କହିପାରିବେ, ନବୀନ ସବୁ ଜାଣନ୍ତି ବୋଲି ଦାବି କରିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଘଡ଼ାଇ ।
ସେପଟେ ବିରୋଧୀ ବିଜେଡିର ଓ୍ବାକଫ୍ ବିଲ୍ ନିଷ୍ପତ୍ତିକୁ କଡା ସମୋଲୋଚନା କରିଛନ୍ତି । ବିଜେଡି ଦ୍ବନ୍ଦ୍ବରେ ରହିଛି, ଏହା ଅତି ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜେପି ସାଂସଦ ସୁଜିତ୍ କୁମାର । ବିଜେଡିର ପ୍ରକୃତ ଅସଲ ଚେହେରା ପର୍ଦ୍ଦାଫାସ ହୋଇଯାଇଛି । ଦଳର କୌଣସି ନୀତି କି ଆଦର୍ଶ ନାହିଁ । ସେମାନେ ମେଲୋଡ୍ରାମା କରୁଛନ୍ତି । ୭ ବିଜେଡି ସାଂସଦରୁ ଦେବାଶିଷ ସାମନ୍ତରାୟ ଭୋଟ୍ ଦେବାରୁ ବିରତ ରହିଛନ୍ତି, ମୁନା ଖାଁ ବିରୋଧ କରିଛନ୍ତି ଏବଂ ସସ୍ମିତ ପାତ୍ର ସମର୍ଥନ କରିଛନ୍ତି । କିନ୍ତୁ ଅନ୍ୟ ବିଜେଡି ସାଂସଦମାନେ କ’ଣ କରିଛନ୍ତି, ସେମାନେ ସର୍ବସମ୍ମୁଖକୁ ଆସି ପ୍ରକାଶ କରିବା ଦରକାର । ସେମାନେ ଯଦି ସମର୍ଥନ କରିଛନ୍ତି କିମ୍ବା ବିରୋଧ କରିଛନ୍ତି, ଏହାର କାରଣ କ’ଣ, ଓଡ଼ିଶା ବାସୀଙ୍କର ଜାଣିବାର ଅଧିକାର ଅଛି ବୋଲି କହିଛନ୍ତି ସୁଜିତ ।
Comments are closed.