ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀ ମାନଙ୍କୁ ଜୀବିକା ପାଇଁ ଏକ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । କୋଭିଡ ସମୟରେ ଗରିବ ଲୋକଙ୍କ ଆର୍ଥିକ ଦୂରାବସ୍ଥାକୁ ଦେଖି ମୁଖ୍ୟମନ୍ତ୍ରୀ ଏହି ସହାୟତା ଦେଇଛନ୍ତି। ବିଜୁ ସ୍ବାସ୍ଥ କଲ୍ୟାଣ କାର୍ଡ ନ ଥିବା କ୍ଷେତ୍ରରେ, ଜାତୀୟ ଖାଦ୍ୟ ସୁରକ୍ଷା କିମ୍ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନେ ମଧ୍ୟ ଏହି ସହାୟତା ପାଇପାରିବେ ।
ସାରା ରାଜ୍ୟର ୯୬ ଲକ୍ଷ ପରିବାର ଏହି ସହାୟତା ପାଇବେ । ଏଥିପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ୯୬୦ କୋଟି ଟଙ୍କା ଖର୍ଚ୍ଚ କରିବେ। ସାତ ଦିନ ମଧ୍ୟରେ ଏହି ସହାୟତା ସମସ୍ତ ହିତାଧିକାରୀ ମାନଙ୍କୁ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗରିବ ଲୋକଙ୍କ କଲ୍ୟାଣ ରାଜ୍ୟ ସରକାରଙ୍କ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ। କୋଭିଡର ପ୍ରଥମ ଓ ଦ୍ବିତୀୟ ଲହରୀ ଆମ ପାଇଁ ଆହ୍ବାନ ସୃଷ୍ଟି କରିଥିଲା । ଏହା ସେମାନଙ୍କ ଅର୍ଥିକ ଓ ସାମାଜିକ ଜୀବନ ଉପରେ ଗଭୀର ପ୍ରଭାବ ପକାଇଛି । ଗରିବ ଲୋକମାନେ ଏଥିରେ ବହୁତ କ୍ଷତି ସହିଛନ୍ତି ତେଣୁ ।ସେମାନଙ୍କର କଷ୍ଟକୁ ଦୂର କରିବା ପାଇଁ ରାଜ୍ୟ ସରକାର ଏହି ସହାୟତା ଯୋଗାଇ ଦେଉଛନ୍ତି।
ବର୍ତ୍ତମାନ କୋଭିଡର ନୂଆ ଭାରିଏଣ୍ଟ ଓମିକ୍ରନ ତାର କାୟା ବିସ୍ତାର କରୁଛି । ତେଣୁ ଜନସାଧାରଣ ସତର୍କ ରହି କୋଭିଡ ନିୟମ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ । ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତ୍ବ ରକ୍ଷା କରିବା ଓ ଅତି ଆବଶ୍ୟକ ନ ହେଲେ ଭିଡକୁ ନ ଯିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଶ୍ରୀ ବୀର ବିକ୍ରମ ଯାଦବ ସ୍ବାଗତ ଭାଷଣ ଦେଇଥିଲେ ଓ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମନ୍ତ୍ରୀ ଓ ବିଧାୟକଗଣ, ୩୧୪ ବ୍ଲକ୍ର ହିତାଧିକାରୀ ମାନଙ୍କ ସହ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଖାଦ୍ୟ ଉତ୍ପାଦନ କମିଶନର ଶ୍ରୀ ଆର୍.କେ. ଶର୍ମା ପ୍ରମୁଖ ଯୋଗ ଦେଇଥିଲେ।
Comments are closed.