Latest Odisha News

BREAKING NEWS

ବିଜେପୁରରେ ଆଜି ନବୀନ-ଧର୍ମେନ୍ଦ୍ରଙ୍କ ଜୋରଦାର୍ ପ୍ରଚାର

ଭୁବନେଶ୍ୱର: ପ୍ରଚାର ମଇଦାନରେ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁହାଁମୁହିଁ ହୋଇଛନ୍ତି । ତିନି ଦଳର ତୁଙ୍ଗନେତାଙ୍କ ଜୋରଦାର୍ ପ୍ରଚାରରେ ବିଜେପୁର ଉପନିର୍ବାଚନ ସରଗରମ ହୋଇଛି । ଆଗାମୀ ଅକ୍ଟୋବର ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଜେପୁର ଉପନିର୍ବାଚନ ଲାଗି ଆସନ୍ତାକାଲି ନିର୍ବାଚନ ପ୍ରଚାର ଶେଷ ହେଉଛି ।

ଯାହାକୁ ନେଇ ରାଜ୍ୟ ରାଜନୀତିରେ ଏବେ ଉଷ୍ଣତା ବୃଦ୍ଧି ପାଇଥିବା ବେଳେ ଶାସକ ବିଜେଡି, ବିରୋଧି ବିଜେପି ଓ କଂଗ୍ରେସ ଭଳି ଦଳର ବରିଷ୍ଠ ନେତାମାନେ ନିଜନିଜ ପ୍ରାର୍ଥୀଙ୍କ ଲାଗି ଜୋରସୋର ପ୍ରଚାର ଚଳାଇଛନ୍ତି ।

ଏହାକୁ ଦୃଷ୍ଟିରେ ରଖି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ଦିନିଆ ବିଜେପୁର ଗସ୍ତରେ ଯାଇ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଖୋଦ୍ ପ୍ରଚାର କରୁଛନ୍ତି । ଏପରିକି ବରପାଲି ଓ ବିଜେପୁରର ବିଭିନ୍ନ ସ୍ଥାନରେ ରୋଡ୍ ଶୋ’ ମଧ୍ୟ କରୁଛନ୍ତି ।

ସେହିପରି ବିଜେପି ପକ୍ଷରୁ ଦଳୀୟ ପ୍ରାର୍ଥୀ ସନତ ଗଡତିଆଙ୍କ ପାଇଁ ପ୍ରଚାର କରିବେ ୨ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀ । ଆଜି ଏହି ଦୁଇ ଜଣ ନେତା ପ୍ରଚାର ମଇଦାନକୁ ଓହ୍ଲାଇବା ସହ ବିଭିନ୍ନ ସ୍ଥାନରେ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି ।

ତେବେ ପୂର୍ବରୁ ବିଜେପୁର କଂଗ୍ରେସର ଗଡ ରହିଥିବା ବେଳେ ଏଥର ଏହି ଆସନ ହାତେଇବା କଂଗ୍ରେସ ପାଇଁ ଏତେଟା ସହଜସାଧ୍ୟ ହେବ ନାହିଁ । ହେଲେବି ଦଳୀୟ ପ୍ରାର୍ଥୀ ଦିଲୀପ ପଣ୍ଡାଙ୍କ ଲାଗି ପ୍ରଚାର ତଥା ଦଳର ଅମାନତ ରକ୍ଷା କରିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ସମେତ ବହୁ ନେତା ଜୋରଦାର ପ୍ରଚାର ସହ ଜନସମର୍ଥନ ଲୋଡୁଛନ୍ତି ।

ଉଲ୍ଲେଖଯୋଗ୍ୟ, ଏଥିଲାଗି ସବୁ ରାଜନୈତିକ ଦଳ ଜୋରଦାର୍ ପ୍ରଚାର ଜାରି ରଖିଛନ୍ତି । କିଛି ଦଳ ବିଜେପୁରେ ଡେରା ପକାଇଥିବାବେଳେ ଗତକାଲି ବିଜେଡି ସୁପ୍ରିମୋ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଲାଗି ଏକ ରୋଡ୍ ଶୋ’ ମଧ୍ୟ କରିଥିଲେ ।

ନିକଟରେ ବିଜେପୁର ଉପନିର୍ବାଚନ ଲାଗି ସମସ୍ତ ରାଜନୈତିକ ଦଳ ପକ୍ଷରୁ ନିର୍ବାଚନ ପ୍ରଚାର ଲାଗି ହେଭିୱେଟ୍ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.