Latest Odisha News

BREAKING NEWS

ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ: ଆଜିଠାରୁ ଆରମ୍ଭ ହେଲା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’

ଭୁବନେଶ୍ୱର : ସ୍ୱାଧୀନତା ଦିବସର ଶୁଭ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିଭାଷଣ ଜଣାଇଛନ୍ତି । ଏହି ଅବସରରେ ଜାତିର ପିତା ମହାତ୍ମାଗାନ୍ଧୀ, ପଣ୍ଡିତ ଜବାହରଲାଲ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଉତ୍କଳମଣୀ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୁଦନ ଦାସ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ରମାଦେବୀ,ମାଳତୀ ଚୌଧୁରୀ, ପାର୍ବତୀ ଗିରି, ସହୀଦ ଲକ୍ଷ୍ମଣ ନାଏକ, ଡଃ ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ପରି ମହାନ୍ ଦେଶଭକ୍ତଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ସଂଗ୍ରାମ କରି ସହୀଦ ହୋଇଥିବା ଆମର ବୀର ଜବାନମାନଙ୍କ ପ୍ରତି ମଧ୍ୟ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସ୍ୱାଧୀନତା ସଂଗ୍ରାମ ପରି ଭାରତର ବିକାଶ ଯାତ୍ରାରେ ଓଡିଶା ବିଶେଷ ଯୋଗଦାନ ରଖିଆସିଛି । ସେହିପରି ବିଭିନ୍ନ କ୍ଷେତ୍ରରେ ପ୍ରଗତି ଆଜି ସାରା ଦେଶରେ ଓଡିଶା ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି ।

“ଭିତ୍ତିଭୂମି ବିକାଶ, ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ହେଉଛି ଆମ ପ୍ରଗତିର ମୂଳମନ୍ତ୍ର । ଓଡିଶା ଆଜି ଆଗକୁ ବଢିଛି ଏବଂ ଆମକୁ ଆହୁରି ଆଗକୁ ଯିବାକୁ ହେବ । ଏଥିପାଇଁ ମୁଁ ଚାଷୀ, ମହିଳା, ଓ ଯୁବ ସମାଜର ବିକାଶ ଉପରେ ଗୁରୁତ୍ୱ ଦେଇଆସିଛି । ସେମାନଙ୍କୁ ୧ପ୍ରତିଶତ ସୁଦ୍ଧରେ ଋଣ ପ୍ରଦାନ କରାଯାଉଛି” । ଏହିମାନେ ଆମ ବିକାଶର ମୁଖ୍ୟ ଆଧାର ବୋଲି ନିଜ ଅଭିଭାଷଣରେ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଗଣତନ୍ତ୍ରରେ ଲୋକ କଲ୍ୟାଣ ସହ ଲୋକଙ୍କ ସଶକ୍ତି କରଣ ସବୁଠାରୁ ଗୁରୁତ୍ୱପୂର୍ଣ୍ର । ତେଣୁ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ ଆମେ ସମାଜର ସବୁ ବର୍ଗର କଲ୍ୟାଣ ଉପରେ ଜୋର ଦେଇଆସିଛୁ । ମୁଁ ବହୁତ ଖୁସି ଯେ ଆପଣଙ୍କୁ ଦେଇଥିବା କଥା ମୁଁ ଆଜି ରଖିପାରିଛି ।

ଆଜିଠାରୁ ସାରା ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ ହେଉଛି । କିଏ ସହଯୋଗ କରୁ ବା ନକରୁ । ଆପଣମାନଙ୍କ ଟଙ୍କା, ଓଡିଶାବାସୀଙ୍କ ଟଙ୍କା ଓ ଆପଣଙ୍କ ସହଯୋଗରେ ଏ ଯୋଜନା କାର୍ଯ୍ୟକାରୀ ହେବ । ଓଡିଶାର ୭୦ଲକ୍ଷ ପରିବାର ଉପକାର ପାଇବେ । ସୁସ୍ଥ ଓଡିଶା-ସୁଖି ଓଡିଶା ହେଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣର ମୂଳମନ୍ତ୍ର ।

ଓଡିଶାର ବିକାଶ ପାଇଁ ଆମର କାର୍ଯ୍ୟକ୍ରମ ସରକାରଙ୍କ ପ୍ରତି ଥିବା ଲୋକଙ୍କର ଆସ୍ଥା ଆହୁରି ବୃଦ୍ଧି କରିଛି । ଦେଶର ବିକାଶ କ୍ଷେତ୍ରରେ ଇତିହାସରେ ଓଡିଶା ତାର ସ୍ଥାନ ମଜଭୁତ କରିପାରିଛି । ଆସନ୍ତୁ ଏକ ସମୃଦ୍ଧ ଓ ଶକ୍ତିଶାଳୀ ଓଡିଶା ଗଠନ ପାଇଁ ଆମର ମିଳିତ ଉଦ୍ୟମ ଜାରି ରଖିବା ବୋଲି ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେଇଛନ୍ତି ।

ଏଥିସହିତ ଏସିଆନ୍ ଆଥଲେଟିକ୍ ମିଟର ସଫଳତା ପରେ ଓଡିଶାରେ ଆଗାମୀ ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ୍ ହକି ଆମ ପାଇଁ ଏକ ଗର୍ବର ବିଷୟବୋଲି ମଧ୍ୟ ନିଜ ଅଭିଭାଷଣରେ କହିଥିଲେ ।

Leave A Reply

Your email address will not be published.