ଭୁବନେଶ୍ବର: ଡିଲିମିଟେସନ ବା ସୀମା ପୁନଃନିର୍ଦ୍ଧାରଣକୁ ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ବିରୋଧ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଜନସଂଖ୍ୟା ଆଧାରରେ ସୀମା ନିର୍ଦ୍ଧାରଣକୁ ବିରୋଧ କରିବା ନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ନୀବନ । ଜନସଂଖ୍ୟା ନିୟନ୍ତ୍ରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଓଡିଶା ଭଳି ରାଜ୍ୟ ପାଇଁ ଏହା ଅନ୍ୟାୟ ବୋଲି କହିଛନ୍ତି ନବୀନ ।
ତେବେ ବର୍ତ୍ତମାନ କେନ୍ଦ୍ର ସରକାର ଜନସଂଖ୍ୟା ଆଧାରରେ ସଂସଦୀୟ କ୍ଷେତ୍ରଗୁଡ଼ିକର ସୀମା ପୁନଃନିର୍ଦ୍ଧାରଣ କରିବାକୁ ଯୋଜନା ରଖିଛନ୍ତି । ଯାହାକୁ ବର୍ତ୍ତମାନ ବିଭିନ୍ନ ରାଜ୍ୟ ବିଶେଷ କରି ଅଣବିଜେପି ଶାସିତ ରାଜ୍ୟଗୁଡ଼ିକ ପକ୍ଷରୁ ବିରୋଧ କରାଯାଉଛି । ଏନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କ ଦ୍ବାରା ଚେନ୍ନାଇରେ ଏକ ବୈଠକ ଡକାଯାଇଛି । ଯେଉଁଥିରେ ବିଭିନ୍ନ ଅଣବିଜେପି ଶାସିତ ରାଜ୍ୟର ମୁଖିଆ ଏବଂ କଂଗ୍ରେସ ସମେତ ଅନ୍ୟ ଦଳର ନେତାମାନେ ସାମିଲ ହୋଇଛନ୍ତି । ଆମ ରାଜ୍ୟରୁ ମଧ୍ୟ ବିଜେଡିର ଦୁଇ ନେତାଙ୍କ ସହିତ କଂଗ୍ରେସ ସଭାପତି ଏହି ବୈଠକରେ ସାମିଲ ଅଛନ୍ତି । ଯେଉଁଠାକୁ ନବୀନ ଏକ ଭିଡିଓ ବାର୍ତ୍ତା ଜାରି କରି ଏହି ଡିଲିମିଟେସନକୁ ବିରୋଧ କରିଛନ୍ତି ।
ଏନେଇ ନବୀନ କହିଛନ୍ତି, ଦେଶର ବିକାଶରେ ଜନସଂଖ୍ୟା ନିୟନ୍ତ୍ରଣ ଏକ ଗୁରୁତ୍ଵପୂର୍ଣ୍ଣ ଏଜେଣ୍ଡା । ହେଲେ ସୀମା ନିର୍ଦ୍ଧାରଣରେ ଜନସଂଖ୍ୟା ଏକମାତ୍ର ଆଧାର ହେବା ଅନୁଚିତ୍ । ଜନସଂଖ୍ୟା ଆଧାରରେ ଆସନ ନିର୍ଦ୍ଧାରଣ କରିବା ଜନସଂଖ୍ୟା ହ୍ରାସ ଦିଗରେ କାର୍ଯ୍ୟ କରିଥିବା, ଓଡିଶା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟଗୁଡ଼ିକ ପ୍ରତି ଅନ୍ୟାୟ ହେବ । ଓଡ଼ିଶା ଜନସଂଖ୍ୟା ନିୟନ୍ତ୍ରଣରେ ଅଗ୍ରଣୀ ଭୂମିକା ନେଇଛି । ଯଦି ସୀମା ନିର୍ଦ୍ଧାରଣରେ ସଂସଦ ଓ ବିଧାନସଭା ସିଟ୍ କମେ, ତାହେଲେ ଓଡ଼ିଶାବାସୀଙ୍କ ସ୍ବାର୍ଥରେ ହାନି ପହଞ୍ଚାଇବ । କେନ୍ଦ୍ର ସରକାର ଏନେଇ ସବୁ ରାଜନୈତିକ ଦଳ ସହ ବୈଠକ କରି ବିସ୍ତୃତ ଆଲୋଚନା କରି ନିଷ୍ପତ୍ତି ନେବାକୁ ପରାମର୍ଶ ଦେଇଛନ୍ତି ନବୀନ ।
ସେପଟେ ନବୀନଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛି ବିଜେପି । ନବୀନ ନଈ ନଦେଖୁଣୁ ଲଙ୍ଗଳା ହେଉଛନ୍ତି ବୋଲି କହି କଟାକ୍ଷ କରିଛନ୍ତି ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ । ସେ କହିଛନ୍ତି, ବିଜେପିକୁ ବିରୋଧ କରିବାକୁ ଯାଇ ତାମିଲନାଡୁର ଶରଣ ପଶିଛନ୍ତି ନବୀନ । ବିଜେପି ବିରୋଧରେ ମେଣ୍ଟ କରୁଛନ୍ତି, ହେଲେ ଏହା ପୂର୍ବରୁ ନବୀନ ଆତ୍ମସମୀକ୍ଷା କରିବା ଦରକାର । ଡିଲିମିଟେସନ୍ ପାଇଁ କୌଣସି ଗାଇଡଲାଇନ୍ ଆସିନି । ଡିଲିମିଟେସନ ନିୟମିତ ପ୍ରକ୍ରିୟା, ନବୀନ ନଈ ନ ଦେଖି ଲଙ୍ଗଳା ହେଉଛନ୍ତି । ଏହାଦ୍ବାରା ଓଡ଼ିଶାର କ୍ଷତି ହେବନି, ବରଂ ଲାଭ ହେବ । ବିଜେଡି ଏହାକୁ ବିରୋଧ କରି ଓଡ଼ିଶା ବିରୋଧୀ ପାଲଟୁଛି । ବିଜେପିକୁ ବିରୋଧ କରିବା ପାଇଁ କଂଗ୍ରେସ-ବିଜେଡି ଅଘୋଷିତ ମେଣ୍ଟ କରୁଛନ୍ତି ବୋଲି କହିଛନ୍ତି ସୁକାନ୍ତ ।