Latest Odisha News

BREAKING NEWS

ବିଜେଡି ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ନବୀନ, ଏପ୍ରିଲ ୧୯ରେ ହେବ ନାଁ ଘୋଷଣା

ଭୁବନେଶ୍ବର: ଆଜି ବିଜେଡିର ସଭାପତି ପ୍ରାର୍ଥୀ ଭାବେ ପୁଣି ପ୍ରାର୍ଥୀପତ୍ର ଦାଖଲ କଲେ ନବୀନ ପଟ୍ଟନାୟକ। ଅନ୍ୟ କେହି ବିଜେଡି ସଭାପତି ପଦ ଲାଗି ନାମାଙ୍କନ ଭରିବାର ସମ୍ଭାବନା ନଥିବାରୁ ସେ ପୁଣି ଥରେ ବିଜେଡି ସଭାପତି ହେବା ନିଶ୍ଚିତ ବୋଲି କୁହାଯାଉଛି। ଦିନ ୧୦ ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଥିଲା। ଏହି ସମୟ ମଧ୍ୟରେ କେବଳ ନବୀନ ପଟ୍ଟନାୟକ ନାମାଙ୍କନ ଭରିଛନ୍ତି। ନବୀନ ନାମାଙ୍କନ ଭରିବା ବେଳେ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ଶଙ୍ଖ ଭବନରେ ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଦେବଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିଛନ୍ତି।

୧୯ ତାରିଖରେ ଘୋଷଣା ହେବ ନୂଆ ସଭାପତିଙ୍କ ନାଁ। ଖୁବ୍‌ ଶୀଘ୍ର ଘୋଷଣା ହେବ ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ। ନବମ ଥର ପାଇଁ ବିଜେଡି ସଭାପତି ନିର୍ବାଚିତ ହେବା ଏକପ୍ରକାର ନିଶ୍ଚିତ। ଏନିର୍ବାଚନ ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା ଷ୍ଟେଟ କାଉନସିଲ ଗଠନ କରାଯାଇଛି। ୩୫୫ ଜଣ ସଦସ୍ୟ ରହିଛନ୍ତି। ୧୯ ତାରିଖରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସି ନବୀନଙ୍କ ନାଁ ଘୋଷଣା ହେବ।

ସେହିପରି ରାଜ୍ୟ କାର୍ଯ୍ୟକାରିଣୀରେ ୮୦ ଜଣ ସଦସ୍ୟ ରହିବେ। ଏହାପରେ ଆସନ୍ତା ୧୯ରେ ବିଧିବଦ୍ଧ ଭାବେ ସଭାପତିଙ୍କ ନାଁ ଘୋଷଣା ହେବ। ୨୦୨୦ ଫେବୃଆରୀରେ ନବୀନ ଅଷ୍ଟମ ଥର ପାଇଁ ବିଜେଡି ସଭାପତି ଭାବେ ନିର୍ବାଚିତ ହୋଇଥିଲେ। କେବଳ ଭୋଟ ପାଇଁ ନିର୍ବାଚନ ଲଢ଼ିବା ନୁହେଁ, ଲୋକଙ୍କ ସେବା କରିବା ବିଜେଡିର ମୂଳଲକ୍ଷ୍ୟ ହେଉ। ବିଜୁବାବୁଙ୍କ କହିବା ଅନୁସାରେ ସରକାର ଗଠନ କରିବା ପାଇଁ ଚିନ୍ତା କରନାହିଁ ବରଂ ଲୋକଙ୍କ ସେବା କରିବା ପାଇଁ ସବୁବେଳେ ଚିନ୍ତା କର ବୋଲି ସେତେବେଳେ ନବୀନ କହିଥିଲେ। ୧୯୯୭ରୁ ବିଜେଡି ସଭାପତି ଭାବେ ଦାୟିତ୍ବ ତୁଲାଇ ଆସିଛନ୍ତି ନବୀନ।

Comments are closed.