ଭୁବନେଶ୍ୱର: ଜନତା ଦଳ (ୟୁନାଇଟେଡ୍) ଦାବି କରିଛି ଯେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ବିରୋଧରେ ବିରୋଧୀ ଏକତା ଦଳର ନେତା ହୋଇଛନ୍ତି। ଏହି କ୍ରମରେ ସେ ଦେଶରେ ବିଭିନ୍ନ ନେତାଙ୍କୁ ଭେଟୁଛନ୍ତି। ଆଉ ମଙ୍ଗଳବାର ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି।
ଏହାପରେ ଜେଡିୟୁ ଟ୍ୱିଟ୍ କରି କହିଛି ଯେ ନୀତୀଶ କୁମାର ବିରୋଧୀ ଦଳର ନେତା ହୋଇଛନ୍ତି ଏବଂ ବିନା କୌଣସି ବ୍ୟକ୍ତିଗତ ଅଭିଳାଷରେ ବିରୋଧୀ ଦଳଗୁଡ଼ିକୁ ଏକାଠି କରୁଛନ୍ତି। ଉଭୟ ନେତା ଏକାଠି ମଧ୍ୟାହ୍ନ ଭୋଜନ କରିଥିଲେ। ପାଖାପାଖି ଘଣ୍ଟାଏ ଧରି ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଆଉ ଉଭୟ ନେତା ପ୍ରେସମିଟ କରି ମିଡିଆକୁ ନିଜ ନିଜର ପ୍ରତିକ୍ରିୟା ଦେଇଥିଲେ।
ନବୀନ ପ୍ରଥମେ କହିଲେ, ବିହାର ସରକାରଙ୍କୁ ପୁରୀରେ ବିହାର ଭବନ ନିର୍ମାଣ ପାଇଁ ଜାଗା ଦେବେ ସରକାର। ଏ ବାବଦରେ ବୈଠକରେ ଆଲୋଚନା ହୋଇଛି। ପରେ ଗଣମାଧ୍ୟମ ପ୍ରତିନିଧି ବିରୋଧୀ ଏକତା ବୈଠକ କଥା ଯେତେବେଳେ ପଚାରିଥିଲେ ସେତେବେଳେ ନବୀନ କହିଥିଲେ, ନୀତୀଶଙ୍କ ସହ ତାଙ୍କର କୌଣସି ପ୍ରକାର ରାଜନୈତିକ ଆଲୋଚନା ହୋଇନାହିଁ। ପ୍ରେସମିଟ୍ ବେଳେ ଦ୍ବିତୀୟ ଥର ପାଇଁ ଏହି କଥା ଦୋହରାଇଥିଲେ।
ପରେ ନୀତୀଶଙ୍କୁ ଯେତେବେଳେ ଗଣମାଧ୍ୟମ ପ୍ରତିନିଧି ପଚାରିଥିଲେ ବିରୋଧୀ ଏକତା ବାବଦରେ ସେ କହିଥିଲେ, ସମୟ ଆସିଲେ ସବୁ ଜଣାପଡ଼ିବ। ନୀତୀଶଙ୍କ ଏହି କଥା ପରୋକ୍ଷରେ ଅନେକ କିଛି ସୂଚାଇଛି। ନୀତୀଶ ନିଜ ପ୍ରତିକ୍ରିୟା ରଖିବା ବେଳେ ବନ୍ଧୁତ୍ୱ ପ୍ରସଙ୍ଗକୁ ଗୁରୁତ୍ୱ ଦେଇଛନ୍ତି। ନବୀନ ଏବଂ ବିଜୁ ବାବୁଙ୍କ ସହ ସେମାନଙ୍କର ସମ୍ପର୍କ ବହୁତ ପୁରୁଣା, ଏବଂ ସେମାନଙ୍କର ଭଲ ସମ୍ପର୍କ ରହିଛି, ତେଣୁ କୌଣସି ରାଜନୀତି ଉପରେ ଆଲୋଚନା କରିବାର ଆବଶ୍ୟକତା ନାହିଁ ବୋଲି କହିଥିଲେ।
ହେଲେ ରାଜ୍ୟରେ ବିଜେପି ପୂର୍ବ ଅପେକ୍ଷା ବେଶ ସକ୍ରିୟ ହୋଇଛି, ପୂର୍ବରୁ ବିଜେଡି ବିରୋଧରେ ବିଜେପିର ଆଭିମୁଖ୍ୟ ଯାହା ଥିଲା ତାହା ଏବେ କ୍ରମଶଃ ଅଧିକ ଆକ୍ରମଣାତ୍ମକ ହୋଇଛି। ଯାହାକି ଶାସକ ଦଳକୁ ମଧ୍ୟ ଘାଟାରେ ପକାଉଛି। ହେଲେ ଦିଲ୍ଲୀରେ ବିରୋଧୀ ଦଳର ଶୀର୍ଷ ନେତା ମୋଦୀଙ୍କ ସହ ନବୀନଙ୍କର ସମ୍ପର୍କ ବହୁତ ଭଲ ରହିଛି। ଏପରି ସ୍ଥିତିରେ ରାଜ୍ୟ ବିଜେପିର ଆକ୍ରମଣାତ୍ମକ ଭାବକୁ ଚେକ୍ ଦେବାକୁ ନବୀନ ଜଣେ ପରେ ଜଣେ ବିରୋଧୀ ଦଳର ନେତା ଯେଉଁମାନେ କି ଏକାଠି ହୋଇ ମୋଦୀଙ୍କ ବିରୋଧରେ ଗୋଟିଏ ମେଣ୍ଟ ତିଆରି କରୁଛନ୍ତି ତାଙ୍କୁ ଭେଟିବାକୁ ସୁଯୋଗ ଦେଉଛନ୍ତି ବୋଲି କୁହାଯାଉଛି। ଆଉ ଜାତୀୟ ରାଜନୀତିରେ ରୁଚି ରଖୁନଥିବା ନବୀନ ନିଜ ଆଭିମୁଖ୍ୟକୁ ସ୍ପଷ୍ଟ ନକରି ସମସ୍ତଙ୍କ ସହ ସୁସସମ୍ପର୍କ ରଖିବାକୁ ଚେଷ୍ଟା କରୁଛନ୍ତି ବୋଲି କୁହାଯାଉଛି।
ପୂର୍ବରୁ କେନ୍ଦ୍ରରେ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାର ଥିବା ବେଳେ ଦିଲ୍ଲୀରେ ନବୀନ ସୋନିଆ ଗାନ୍ଧୀଙ୍କ ସହ ସୁସସମ୍ପର୍କ ରଖିଥିବା ଦେଖିବାକୁ ମିଳିଛି। ପରେ ସମାନ ରଣନୀତି ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ମଧ୍ୟ ନବୀନଙ୍କର ରହିଛି। ଏପରି କରି କେନ୍ଦ୍ରର ଅସନ୍ତୁଷ୍ଟ ତାଲିକାରେ ସାମିଲ ନହୋଇ ପରୋକ୍ଷରେ ସରକାର ସହିତ ରହିବାର ଫାଇଦା ନେଇ ଆସୁଛି ବିଜେଡି। ଯାହାକି ବିଜେଡିର ଏହା ଏକ ରଣନୀତି। ଏପରି ହେଲେ ବିଭିନ୍ନ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ରେଡ ବା ଚଢାଉର ଭୟ ସେତେଟା ରହିବ ନାହିଁ। ଯାହାର ପରିଣାମ ରାଜ୍ୟରେ ଥିବା ସେହି ଦଳକୁ ଦୁର୍ବଳ କରିବାରେ ନବୀନ ସମର୍ଥନ ହେଉଛନ୍ତି।
ଯଦି ବିରୋଧୀ ଏକାଠି ହେବେ ତାହେଲେ ବିଜେପି ପାଇଁ ବିଭିନ୍ନ ରାଜ୍ୟରେ ଅଡୁଆ ସୃଷ୍ଟି ହେବା ସୁନିଶ୍ଚିତ। ତେଣୁ ବିରୋଧୀ ଏକାଠି ହୁଅନ୍ତୁ ତାହା କେବେ ଚାହିଁବ ନାହିଁ ବିଜେପି। ଆଉ ନବୀନ ଏହିପରି ନେତାଙ୍କୁ ଭେଟି ପରୋକ୍ଷରେ ବାର୍ତ୍ତା ଦେଇଛନ୍ତି ଯେ ଯଦି ରାଜ୍ୟରେ ବିଜେପି ବେଶୀ ଆକ୍ରାମଣାତ୍ମକ ହୁଏ ତାହେଲେ ସେ ବିରୋଧୀଙ୍କ ହାତକୁ ମଧ୍ୟ ଟାଣ କରିପାରିବେ।
ନବୀନ-ନୀତୀଶଙ୍କ ମଧ୍ୟରେ ଯେଉଁ ଆଲୋଚନା ହୋଇଛି ତାହା ସାଧାରଣ ନିର୍ବାଚନ ପାଇଁ ନିଶ୍ଚୟ ହୋଇଥିବ। ହୁଏତ ନବୀନ ଏ ବାବଦରେ ନିଜେ କିଛି କହି ବିଜେପି ବିରୋଧରେ ନିଜର ଆଭିମୁଖ୍ୟକୁ ସ୍ପଷ୍ଟ କରିବାକୁ ଏବେ ଚାହୁଁନାହନ୍ତି। କିନ୍ତୁ ଉଭୟ ନେତା ବାଜପେୟୀ ସରକାରରେ ଏକାଠି ମନ୍ତ୍ରୀ ଥିଲେ। ଆଉ ପୁରୁଣା ବନ୍ଧୁ ହୋଇଥିବାରୁ କୌଣସି ମୁହୂର୍ତ୍ତରେ ଉଭୟ ଏକାଠି ଯେ ନହେବେ ତାହା ବି କିଏ କହିପାରିବ।
Comments are closed.