Latest Odisha News

BREAKING NEWS

ନବୀନଙ୍କ ନୂଆ ଟିମର ଶପଥ ଗ୍ରହଣ ଉତ୍ସବ : ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ

ଆଜି ନବୀନଙ୍କ ନୂଆ ଟିମ୍ ଶପଥ ଗ୍ରହଣ କରିଛନ୍ତି। ପୁରା ମନ୍ତ୍ରିମଣ୍ଡଳର ନବକଳେବର ହୋଇଛି । ଆଜି ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଦିନ ୧୧ଟା ୪୫ରେ ଲୋକସେବା ଭବନ କନଭେନସନ୍ ହଲ୍‌ରେ ଶପଥଗ୍ରହଣ ଉତ୍ସବ ଆୟୋଜିତ ହୋଇଥିଲା। ଏହି ଅବସରରେ ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପରେ ରାଜ୍ୟପାଳ ଲୋକସେବା ଭବନରେ ପହଞ୍ଚିଥିଲେ।

ମୋଟ୍ ୨୧ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କୁ କ୍ୟାବିନେଟ୍ ଓ ୮ ଜଣଙ୍କୁ ସ୍ୱାଧୀନ ରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ସବୁ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।

ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ଚେହେରା ପ୍ରମିଳା ମଲ୍ଳିକ ପୁଣି ଥରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଯାଜପୁର ବିଞ୍ଝାରପୁର ବିଧାୟିକା ଭାବେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପୂର୍ବରୁ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇସାରିଛନ୍ତି । ତେବେ ନବୀନଙ୍କ ଚତୁର୍ଥ ପାଳିରେ ସରକାରୀ ଦଳ ମୁଖ୍ୟ ସଚେତକ ଭାବେ ଦାୟିତ୍ୱ ତୁଲାଇଥିବା ପ୍ରମିଳାଙ୍କୁ ପଞ୍ଚମ ପାଳିର ମନ୍ତ୍ରୀ ମଣ୍ଡଳରେ ସାମିଲ କରିଛନ୍ତି ନବୀନ ପଟ୍ଟନାୟକ ।

ପୁଣି ଥରେ ମନ୍ତ୍ରୀ ଭାବେ ଶପଥ ନେଲେ ନିରଞ୍ଜନ ପୂଜାରୀ । ପୂର୍ବରୁ ନବୀନ ସରକାରରେ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ନିରଞ୍ଜନ । ସୋନପୁର ବିଧାୟକ ଭାବେ ବିଜେଡିର ଗଡ଼ ବଜାୟ ରଖି ନବୀନଙ୍କ ଭରସା ଜିତି ପୁଣି ଥରେ ନବୀନଙ୍କ ନୂଆ ଟିମରେ ସାମିଲ ହୋଇଛନ୍ତି ନିରଞ୍ଜନ ପୂଜାରୀ ।

ନବୀନଙ୍କ ନୂଆ ଟିମରେ ମନ୍ତ୍ରୀ ଭାବେ ଶପଥ ନେଲେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜା ସ୍ୱାଇଁଙ୍କୁ ନବୀନ ନିଜ ନୂଆ ମନ୍ତ୍ରୀମଣ୍ଡଳରେ ପୁଣି ଥରେ ରିପିଟ୍ କରିଛନ୍ତି । ପୂର୍ବରୁ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇ ସମବାୟ ଦାୟିତ୍ୱ ତୁଲାଇଥିବା ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ପୁଣି ଥରେ କ୍ୟାବିନେଟରେ ସାମିଲ କରିଛନ୍ତି ନବୀନ ।

ପୁଣି ଥରେ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ଶପଥ ନେଲେ ଉଷା ଦେବୀ । ପୂର୍ବରୁ ୨୦୧୧ରେ ନବୀନ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ଉଷାଦେବୀ । ଗଞ୍ଜାମର ହେଭିୱେଟ୍ ନେତ୍ରୀ ଚିକିଟି ବିଧାୟିକା ଭାବେ ରାଜ୍ୟ ରାଜନୀତିରେ ବେଶ୍ ଦବଦବା ରଖିଛନ୍ତି । ୧୯୯୦ରେ ପ୍ରଥମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟିକାଙ୍କୁ ନବୀନ ପଞ୍ଚମ ପାଳିରେ ନିଜ ନୂଆ ଟିମକୁ ଉଷାଦେବୀଙ୍କୁ ଭରସିଛନ୍ତି ।

ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ଚେହେରା ପ୍ରଫୁଲ୍ଲ ମଲ୍ଲିକ ପୁଣିଥରେ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଛନ୍ତି । ପୂର୍ବରୁ ଖଣି ଓ ଇସ୍ପାତ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବା ଅଭିଜ୍ଞ ରାଜନେତାଙ୍କୁ ପଞ୍ଚମ ପାଳିରେ ଭରସିଛନ୍ତି ନବୀନ ପଟ୍ଟନାୟକ । ଢ଼େଙ୍କାନାଳ କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକଙ୍କର ରାଜ୍ୟ ରାଜନୀତିରେ ବେଶ୍ ଦକ୍ଷତା ରହିଛି । ଏଥର ନୂଆ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇ ଖୁସିବ୍ୟକ୍ତ କରି କୃତଜ୍ଞତା ଜଣାଇଛନ୍ତି ପ୍ରଫୁଲ୍ଲ ।

ନବୀନଙ୍କ ନୂଆ ଟିମରେ ଶପଥ ନେଲେ କେନ୍ଦ୍ରାପଡ଼ା ଆଳି ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ପ୍ରତାପ ଦେବ । ୨୦୧୭ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ପ୍ରତାପ । ଆଉ ୨୦୧୯ରେ ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ପ୍ରତାପ ଦେବ । ତେବେ ପ୍ରତାପ ଦେବ ନବୀନଙ୍କ ନୂଆ ଟିମର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ବିଷମକଟ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ଜଗନ୍ନାଥ ସାରକା ନବୀନଙ୍କ ନୂଆ ଟିମ୍ ର ପ୍ରଥମ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ୨୦୧୪ରେ ପ୍ରଥମଥର ପାଇଁ ବିଷମକଟକ ବିଧାନସଭା କ୍ଷେତ୍ରରୁ ବିଧାୟକଭାବେ ନିର୍ବାଚିତ ହୋଥିଲେ ଜଗନ୍ନାଥ ସାରକା । ଆଉ ପୂର୍ବରୁ ନବୀନଙ୍କ ଚତୁର୍ଥ ପାଳିର ମନ୍ତ୍ରୀମଣ୍ଡଳରେ ରାଷ୍ଟ୍ରପାହ୍ୟା ପାଇଥିଲେ ଜଗନ୍ନାଥ ସାରକା । ତେବେ ପ୍ରଥମ ଥର ପାଇଁ କ୍ୟାବିନେଟ ପାହ୍ୟା ପାଇ ମନ୍ତ୍ରୀପଦ ଶପଥ ନେଉଛନ୍ତି ସରକା ।

ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ଚେହେରା ଅତନୁ ସବ୍ୟାସାଚ୍ଚୀ ନାୟକ ପୁଣିଥରେ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଛନ୍ତି । ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ଭଳି ପଦପଦବୀରେ ଦାୟିତ୍ୱ ତୁଲାଇଥିବା ଅଭିଜ୍ଞ ରାଜନେତାଙ୍କୁ ପଞ୍ଚମ ପାଳିରେ ଭରସିଛନ୍ତି ନବୀନ ପଟ୍ଟନାୟକ । ପୂର୍ବରୁ ୨୦୦୯ରୁ ୨୦୧୨ ଓ ୨୦୧୪ରୁ ୨୦୧୬ ପର୍ଯ୍ୟନ୍ତ ମନ୍ତ୍ରୀ ରହି ଆସିଥିଲେ ଅତନୁ । କେନ୍ଦ୍ରାପଡ଼ା ମହାକାଳପଡ଼ା ବିଧାୟକ ଅତନୁଙ୍କ ରାଜ୍ୟ ରାଜନୀତିରେ ବେଶ୍ ଦକ୍ଷତା ରହିଛି । ତେଣୁ ଏଥର ନୂଆ ମନ୍ତ୍ରୀମଣ୍ଡଳରେ ସାମିଲ କରିଛନ୍ତି ନବୀନ ।

ସେହିଭଳି  ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ଝାରସୁଗୁଡା ବିଧାୟକ ନବ କିଶୋର ଦାସ, ଭୁବନେଶ୍ବର ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ, ନୂଆପଡା ରାଜେନ୍ଦ୍ର ଢୋଲକିଆ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

କ୍ୟାବିନେଟ ମନ୍ତ୍ରୀଙ୍କ ଶପଥ ଗ୍ରହଣ ପରେ ରାଷ୍ଟ୍ର ମନ୍ତ୍ରୀମାନେ ଶପଥ ନେଇଥିଲେ । ପ୍ରଥମେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ଶପଥ ନେଇଥିଲେ । ଏହାପରେ ଜଳେଶ୍ବର ବିଧାୟକ ଅଶ୍ବନୀ କୁମାର ପାତ୍ର, ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, କାକଟପୁର ତୁଷାରକାନ୍ତି ବେହେରା, ରେଢାଖୋଲ ବିଧାୟକ ରୋହିତ ପୂଜାରୀ, ବିଜେପୁର ବିଧାୟିକା ରିତା ସାହୁ ଏବଂ କରଞ୍ଜିଆ ବିଧାୟିକ ବାସନ୍ତି ହେମ୍ବ୍ରମ ରାଷ୍ଟ୍ର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

ନବୀନଙ୍କ ନୂଆ ଟିମ୍‌ରେ ରାଷ୍ଟ୍ର ମନ୍ତ୍ରୀ : 

  1. ସମୀର ରଞ୍ଜନ ଦାଶ-ରାଷ୍ଟ୍ର ମନ୍ତ୍ରୀ(ସ୍ୱାଧୀନ)
  2. ଅଶ୍ୱିନୀ କୁମାର ପାତ୍ର-ରାଷ୍ଟ୍ର ମନ୍ତ୍ରୀ(ସ୍ୱାଧୀନ)
  3. ପ୍ରୀତି ରଞ୍ଜନ ଘଡ଼େଇ-ରାଷ୍ଟ୍ର ମନ୍ତ୍ରୀ(ସ୍ୱାଧୀନ)
  4. ଶ୍ରୀକାନ୍ତ ସାହୁ-ରାଷ୍ଟ୍ର ମନ୍ତ୍ରୀ(ସ୍ୱାଧୀନ)
  5. ତୁଷାରକାନ୍ତି ବେହେରା-ରାଷ୍ଟ୍ର ମନ୍ତ୍ରୀ(ସ୍ୱାଧୀନ)
  6. ରୋହିତ ପୂଜାରୀ-ରାଷ୍ଟ୍ର ମନ୍ତ୍ରୀ(ସ୍ୱାଧୀନ)
  7. ରୀତା ସାହୁ-ରାଷ୍ଟ୍ର ମନ୍ତ୍ରୀ(ସ୍ୱାଧୀନ)
  8. ବାସନ୍ତୀ ହେମ୍ବ୍ରମ୍‌-ରାଷ୍ଟ୍ର ମନ୍ତ୍ରୀ(ସ୍ୱାଧୀନ)

ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ୧୩ ଜଣ କ୍ୟାବିନେଟ, ୮ ଜଣ ରାଷ୍ଟ୍ର ମନ୍ତ୍ରୀ (ସ୍ବାଧୀନ ପାହ୍ୟା) ଭାବେ ଶପଥ ନେଇଛନ୍ତି । ମନ୍ତ୍ରିମଣ୍ଡଳରେ ୭ ଜଣ ନୂଆ ମୁହଁ ସ୍ଥାନ ପାଇଛନ୍ତି । ୯ ଜଣ ମନ୍ତ୍ରୀଙ୍କୁ ପୁଣି ମନ୍ତ୍ରୀପଦ ମିଳିଛି । ଏହାସହ ୫ ଜଣ ପୂର୍ବତନ ମନ୍ତ୍ରୀ ମନ୍ତ୍ରିମଣ୍ଡଳକୁ ଫେରିଛନ୍ତି ।

 

 

 

 

Leave A Reply

Your email address will not be published.