Latest Odisha News

BREAKING NEWS

ପାଣ୍ଡିଆନ ଉତ୍ତରାଧିକାରୀ ନୁହଁନ୍ତି: ନବୀନଙ୍କୁ ବିଜେପି ପଚାରିଲା ତାହେଲେ ସେ ସବୁବେଳେ ପାଖାପାଖି କାହିଁକି?

ଭୁବନେଶ୍ୱର: ବିଜେଡିର ନମ୍ବର ଟୁ ନେତା ଭିକେ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରାଧିକାରୀ ନୁହନ୍ତି। ଏଏନଆଇକୁ ସେ ସାକ୍ଷାତକାର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି କହିବା ପରେ ବିଜେପି କଡା ଜବାବ ଦେବା ସହ କିଛି ପ୍ରଶ୍ନ କରିଛି। ବିଜେପି ନେତା ଅନୀଲ ବିଶ୍ବାଳ ପଚାରିଛନ୍ତି,  ଯଦି ଭିକେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରାଧିକାରୀ ନୁହଁନ୍ତି, ତେବେ ତାଙ୍କୁ କାହିଁକି ସମସ୍ତ କ୍ଷମତା ଦିଆଗଲା? ୫ଟି ନାମକ ଅସାମ୍ବିଧାନିକ ବ୍ୟବସ୍ଥା ଆରମ୍ଭ କରି ସେ କାହିଁକି ଓଡ଼ିଶାରେ ଗଣତନ୍ତ୍ରକୁ ହତ୍ୟା କଲେ? କାହା ସ୍ୱାର୍ଥରେ ଭିକେ ପାଣ୍ଡିଆନଙ୍କୁ କେବଳ ୫ଟିରେ ଦାୟିତ୍ୱ ଦିଆଯାଇଥିଲା? ଯଦି ନବୀନ ବାବୁ ପ୍ରକୃତରେ ଚାହୁଁଛନ୍ତି ଯେ ଜନତା ତାଙ୍କ ଉତ୍ତରାଧିକାରୀ ଚୟନ କରନ୍ତୁ, ତେବେ ଓଡ଼ିଶାବାସୀ କଣ ପାଣ୍ଡିଆନଙ୍କୁ ସମସ୍ତ କ୍ଷମତା ଦେବାକୁ କହିଥିଲେ କି? 

ସେ ଆହୁରି କହିଛନ୍ତି, ସାକ୍ଷାତକାର ଜରିର୍ଆରେ ମୁଖ୍ୟମନ୍ତ୍ରୀ ପୁଣି ମିଛ କହିଛନ୍ତି। ନିର୍ବାଚନ ହାରିବେ ବୋଲି ମୁଖ୍ୟମନ୍ତ୍ରୀ ଜାଣିବା ପରେ ସେ ପୁଣି ମିଛ କହି ଷଡ଼ଯନ୍ତ୍ରକୁ ଆହୁରି ଜୋରଦାର କରିଛନ୍ତି। ପାଣ୍ଡିଆନ ଦଳକୁ ଅକ୍ତିଆର କରିଛନ୍ତି ଏବଂ ଏହା ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ ପ୍ରଭାବିତ କରୁଛି ବୋଲି ବିରୋଧୀଙ୍କ ତୀବ୍ର ଆକ୍ରମଣର ଶିକାର ହେବାପରେ ନବୀନ ଏଭଳି ବୟାନ ଦେଇଛନ୍ତି କି? ପାଣ୍ଡିଆନ ଯଦି ନବୀନଙ୍କ ଉତ୍ତରାଧିକାରୀ ନୁହଁନ୍ତି, ତେବେ ଦଳରେ ଅନେକ ବରିଷ୍ଠ ନେତାଙ୍କ ଉପସ୍ଥିତି ସତ୍ତ୍ୱେ ତାଙ୍କୁ କାହିଁକି ମୁଖ୍ୟମନ୍ତ୍ରୀଙ୍କ ସହ ସବୁଠି ଦେଖିବାକୁ ମିଳୁଛି ବୋଲି ପ୍ରଶ୍ନ କରିଛି।

ଭିକେ ପାଣ୍ଡିଆନଙ୍କ ପାଇଁ ଓଡ଼ିଶାର ମନ୍ତ୍ରୀ ଓ ବିଧାୟକମାନେ  ଟ୍ରାଫିକ୍ ପୁଲିସ ପାଲଟିଥିବା ବେଳେ ନବୀନ ବାବୁ କାହିଁକି ଚୁପ୍ ରହିଲେ? ଯଦି ନବୀନ ବାବୁ ପ୍ରକୃତରେ ଗଣତନ୍ତ୍ରରେ ବିଶ୍ୱାସ କରନ୍ତି, ତେବେ କେବଳ ଜଣେ ବ୍ୟକ୍ତିଙ୍କୁ କାହିଁକି ସବୁ କ୍ଷମତା ଦିଆଗଲା? ଯଦି ନବୀନ ବାବୁ ଓଡ଼ିଆ ଲୋକଙ୍କ ଭାବନାକୁ ସମ୍ମାନ ଦିଅନ୍ତି, ତେବେ ଜଣେ ବି ଓଡ଼ିଆ କାହିଁକି ପ୍ରଚାର ପାଇଁ ଯୋଗ୍ୟ ହେଲେ ନାହିଁ? ପାଣ୍ଡିଆନଙ୍କ ବିନା ଅନୁମତିରେ କାହିଁକି କୌଣସି ଓଡ଼ିଆ ନେତା ନବୀନ ନିବାସକୁ ପ୍ରବେଶ କରିପାରିବେ ନାହିଁ ବୋଲି ଦଳୀୟ ନେତା ପ୍ରଶ୍ନ କରିଛନ୍ତି।

ପାଣ୍ଡିଆନଙ୍କୁ ନେଇ ନବୀନଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ପାଣ୍ଡିଆନଙ୍କୁ ନବୀନଙ୍କ ଉତ୍ତରାଧିକାରୀ ଭାବେ ପ୍ରସ୍ତୁତ କରାଯାଉଛି ବୋଲି ଓଡ଼ିଶାରେ ହେଉଥିବା ଆଲୋଚନାକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ଏଭଳି ବୟାନ ଦେଇଛନ୍ତି।

ପାଣ୍ଡିଆନ ଓଡ଼ିଶାରେ କ୍ଷମତା ଅପହରଣ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ସେ ମୁଖ୍ୟମନ୍ତ୍ରୀଙ୍କୁ ବନ୍ଧକ ରଖିଛନ୍ତି ବୋଲି କହି ବିରୋଧୀ ଦଳମାନେ ବିଜେଡିକୁ ତୀବ୍ର ସମାଲୋଚନା କରୁଛନ୍ତି। ଶାସକ ଦଳକୁ ଘେରିବା ପାଇଁ ବିରୋଧୀ ଦଳ ଉଠାଇଥିବା ପ୍ରସଙ୍ଗର ଜବାବ ଦେବା ପାଇଁ ନବୀନ ଏଭଳି ବୟାନ ଦେଇଛନ୍ତି ବୋଲି ରାଜନୈତିତ ବିଶେଷଜ୍ଞମାନେ ଏପରି କହିଛନ୍ତି।

ପୂର୍ବରୁ ବିଜେଡିର ଅନ୍ୟ ବରିଷ୍ଠ ନେତାମାନେ ବିଭିନ୍ନ ନିର୍ବାଚନ ପ୍ରଚାର ସମୟରେ ନବୀନଙ୍କ ସହ ରହୁଥିଲେ। ତେବେ ୨୦୨୪ ସାଧାରଣ ନିର୍ବାଚନରେ କେବଳ ପାଣ୍ଡିଆନଙ୍କୁ ହିଁ ଦଳର ଷ୍ଟାର ପ୍ରଚାରକ ଭାବେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦେଖିବାକୁ ମିଳୁଛି।

Comments are closed.