ଅମୃତସର: ନବଜୋତ ସିଂହ ସିଦ୍ଧୁଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ତାଙ୍କ ଭଉଣୀ ସୁମନ ତୁର୍ । ସିଦ୍ଧୁ ଜଣେ ନିଷ୍ଠୁର ବ୍ୟକ୍ତି । ଟଙ୍କା ପାଇଁ ସେ ଘରୁ ମା’ଙ୍କୁ ତଡି ଦେଇଥିଲେ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସିଦ୍ଧୁଙ୍କ ବିରୋଧରେ ସୁମନ ଏଭଳି ମନ୍ତବ୍ୟ ଦେଇଛନ୍ତି ।
ସୁମନ ଆମେରିକାରେ ରୁହନ୍ତି । କିଛିଦିନ ପୂର୍ବରୁ ସେ ଚଣ୍ଡିଗଡ଼ ଆସିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡ଼ାକି ସୁମନ କହିଥିଲେ ‘ବାପାଙ୍କ ଦେହାନ୍ତ ପରେ, ୧୯୮୬ ମସିହାରେ ସିଦ୍ଧୁ ତାଙ୍କୁ ଓ ତାଙ୍କ ମା’ଙ୍କୁ ଘରୁ ବାହାର କରି ଦେଇଥିଲେ । ଏହି କାରଣରୁ ୧୯୮୯ ମସିହାରେ ଏକ ରେଳ ଷ୍ଟେସନରେ ମା’ଙ୍କ ମୃତ୍ୟୁ ଘଟିଥିଲା ବୋଲି ଅଭିଯୋଗ କରିଛନ୍ତି ।
ସୁମନ ଆହୁରି ମଧ୍ୟ କହିଛନ୍ତି କି, ସମ୍ପତ୍ତି ପାଇଁ ସିଦ୍ଧୁ ଆମ ସହ ସମ୍ପର୍କ ତୁଟାଇ ଦେଲେ । ମୋ ବାପା ଆମ ପାଇଁ ଗୋଟିଏ ଘର ଓ ଜମି ସମେତ ପେନସନ ଛାଡ଼ି ଯାଇଥିଲେ । ଟଙ୍କା ପାଇଁ ସିଦ୍ଧୁ ମା’ଙ୍କୁ ବାହାର କରି ଦେଇଥିଲେ । ହେଲେ ତାଙ୍କଠାରୁ କୌଣସି ଟଙ୍କା ଦରକାର ନାହିଁ ।
ନବଜୋତ ସିଂହ ଜଣେ ନିଷ୍ଠୁର ବ୍ୟକ୍ତି। ଜାନୁଆରୀ ୨୦ରେ ମୁଁ ତାଙ୍କୁ ଦେଖା କରିବାକୁ ଚାହିଁଥିଲି। ହେଲେ ସେ ମୋତେ ଦେଖା କରିବାକୁ ମନା କରି ଦେଇଥିଲେ। ତାଙ୍କ ସହ ଯୋଗାଯୋଗ କରିବାକୁ ମୁଁ ଏପରି ସାମ୍ବାଦିକ ସମ୍ମିଳନୀ କରିଛି। ସେ ମୋ ଫୋନ ନମ୍ବରକୁ ବ୍ଲକ କରିଛନ୍ତି। ତାଙ୍କ ଘରେ କାମ କରୁଥିବା ଲୋକମାନେ ମୋ ପାଇଁ କବାଟ ଖୋଲୁ ନାହାନ୍ତି। ମୁଁ ମୋ ମା’ ପାଇଁ ନ୍ୟାୟ ଚାହେଁ। ମୋତେ ଏବେ ୭୦ ବର୍ଷ। ଏ ବୟସରେ ମୁଁ ସମସ୍ତଙ୍କ ଆଗରେ ପରିବାର ବିଷୟରେ ଖୁଲାସା କରୁଛି। ଏହା ମୋତେ କଷ୍ଟ ଦେଉଛି। ହେଲେ ମୋ ପାଖରେ ଆଉ କୌଣସି ଉପାୟ ନାହିଁ। ସୁମନ ତୁର ସିଦ୍ଧୁଙ୍କ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଥିଲେ ମଧ୍ୟ ଏ ସମ୍ପର୍କରେ ସିଦ୍ଧୁଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
Comments are closed.