ନୂଆଦିଲ୍ଲୀ: ଯୁଦ୍ଧ ନୁହେଁ କୁଟନୀତି । ଭାରତ ସହ ଯୁଦ୍ଧ ନହେଲେ ହିଁ ପାକିସ୍ତାନ ପାଇଁ ଭଲ । ଭାରତ ସହ ଅଶାନ୍ତି କମ୍ କର । ସାନ ଭାଇଙ୍କୁ ନଓ୍ବାଜ ସରିଫଙ୍କ ପରାମର୍ଶ । ପହଲଗାମ ଆକ୍ରମଣ ପରେ ଭାରତ ସିନ୍ଧୁ ନଦୀ ଜଳ ଚୁକ୍ତି ରଦ୍ଦ କରିଛି । ଏହାପରଠୁ ଦୁଇ ଦେଇ ମଧ୍ୟରେ ଜୋରଦାର ଅଶାନ୍ତି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କୁ କୁଟନୀତିରେ ସମସ୍ୟାର ସମାଧାନ ପାଇଁ ପରାମର୍ଶ ଦେଇଛନ୍ତି ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ । ପାକିସ୍ତାନୀ ରାଜନେତା ଭାରତ ବିରୋଧରେ ଆକ୍ରମଣାତ୍ମକ ବୟାନ ଦେଉଥିବା ବେଳେ ଯୁଦ୍ଧ ନୁହେଁ ବରଂ କୁଟନୈତିକ ଆଲୋଚନା ପାଇଁ କହିଛନ୍ତି ସିନିୟର ସରିଫ ।
କ’ଣ କହିଲେ ନଓ୍ବାଜ ସରିଫ?
ଭାରତ ଓ ପାକିସ୍ତାନ ମଧ୍ୟରେ ଅଶାନ୍ତି ଚରମରେ ରହିଥିବା ବେଳେ ରାଷ୍ଟ୍ରୀୟ ସୁରକ୍ଷା ନେଇ ଭାଇ ନଓ୍ବାଜ ସରିଫଙ୍କ ସହ ଆଲୋଚନା କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ । ପାରିବାରିକ ଆବାସ ଜତି ଉମରାହରେ ନଓ୍ବାଜଙ୍କୁ ଭେଟିଛନ୍ତି ଶହବାଜ । ବୈଠକରେ ପାକ୍ ପଞ୍ଜାବ ମୁଖ୍ୟମନ୍ତ୍ରୀ ମରିୟମ ନଓ୍ବାଜ ମଧ୍ୟ ଉପସ୍ଥିତ ଥିଲେ । ଭାରତ ସିନ୍ଧୁ ନଦୀ ଜଳ ଚୁକ୍ତି ରଦ୍ଦ କରିବା ପରେ ପାକିସ୍ତାନ ରାଷ୍ଟ୍ରୀୟ ସୁରକ୍ଷା ସମିତି ନେଇଥିବା ନିଷ୍ପତ୍ତି ନେଇ ନଓ୍ବାଜଙ୍କୁ ଜଣାଇଥିଲେ । ସେଠାରେ ନଓ୍ବାଜ ଭାରତ ସହ ସଂଘର୍ଷ ନବଢାଇବାକୁ ଶହବାଜଙ୍କୁ ପରାମର୍ଶ ଦେଇଥିବା ପାକିସ୍ତାନ ଗଣମାଧ୍ୟମରେ ପ୍ରକାଶ ପାଇଛି । ଦୁଇ ପରମାଣୁ ଶକ୍ତି ସଂପନ୍ନ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ କୁଟନୈତିକ ଆଲୋଚନା କରିବାକୁ କହିଛନ୍ତି ନଓ୍ବାଜ । ଏହାସହ ଭାରତ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ନରଖିବାକୁ କହିଛନ୍ତି ।
ମିଛ ଅପରେସନ୍ ଅଭିଯୋଗ
ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ମିଛ କହୁଥିବା ଶହବାଜ ଭାଇଙ୍କୁ କହିଛନ୍ତି । ଆକ୍ରମଣ ଘଟଣାରେ ପାକିସ୍ତାନର ହାତ ନାହିଁ । କ୍ଷେତ୍ରୀୟ ଅଶାନ୍ତି ସୃଷ୍ଟି କରିବା ଆକ୍ରମଣର ଲକ୍ଷ୍ୟ । ଭାରତ ଏକତରଫା ସିନ୍ଧୁ ନଦୀ ଜଳ ଚୁକ୍ତି ରଦ୍ଦ କରିବାକୁ ଘୋଷଣା କରିଛି । ଏହା ପାକିସ୍ତାନ ପାଇଁ ବଡ଼ ସଂକଟ ସୃଷ୍ଟି କରିପାରେ । ସିନ୍ଧୁ ଚୁକ୍ତି ରଦ୍ଦ କରିବା ପରେ ହିଁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆଶଙ୍କା ବଢିଥିବା ଶହବାଜ ନଓ୍ବାଜଙ୍କୁ ଜଣାଇଛନ୍ତି । ଏହାସହ ଦୁଇ ପରାମଣୁ ଶକ୍ତି ସଂପନ୍ନ ଦେଶ ମଧ୍ୟରେ ଯୁଦ୍ଧ ସଂକଟ ବଢିଥିବା କହିଛନ୍ତି ।
ଯୁଦ୍ଧ ନୁହେଁ କୁଟନୀତି
ଭାରତ ସହ ଯୁଦ୍ଧ ନକରିବାକୁ ପରାମର୍ଶ ଦେଇଛନ୍ତି ନଓ୍ବାଜ ସରିଫ । ଏପରିକି ଭାରତ ସହ ଅଶାନ୍ତି କମ୍ କରିବାକୁ ଓ ଯୁଦ୍ଧ ରୋକିବାକୁ ପାକିସ୍ତାନ କୁଟନୈତିକ ବାଟ ଆପଣାଇବା ଉଚିତ୍ । କୌଣସି ପ୍ରକାରର ଆକ୍ରମଣାତ୍ମକ ଆଭିମୁଖ୍ୟ ନେବାକୁ ଚାହୁଁନାହାନ୍ତି ନଓ୍ବାଜ । କ୍ଷତ୍ରିୟ ସ୍ଥିରତା ଲଗାତର ଦୁର୍ବଳ ହେବାରେ ଲାଗିଥିବା ବେଳେ ଶାନ୍ତି ସ୍ଥାପନ ଦିଗରେ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି । ସେପଟେ ନଓ୍ବାଜଙ୍କ ପରାମର୍ଶରେ ପାକିସ୍ତାନ ଶାନ୍ତି ସ୍ଥାପନ ପାଇଁ ପ୍ରତିବଦ୍ଧ । ତେବେ ଭାରତ କୌଣସି ପ୍ରକାରର ଆକ୍ସନ ନେଲେ ତାର ଜବାବ ଦେବ ପାକିସ୍ତାନ । ଶହବାଜ ସରିଫଙ୍କ ସରକାର ପହଲଗାମ ଆକ୍ରମଣର ଯାଞ୍ଚ ପାଇଁ ଭାରତକୁ ଅନ୍ତରାଷ୍ଟ୍ରୀୟ କମିଶନ ବନାଇବାକୁ ପ୍ରସ୍ତାବ ଦେଇଥିବା କହିଛନ୍ତି । ତେଣୁ ଯୁଦ୍ଧ ନୁହେଁ ବରଂ ଶାନ୍ତି ସ୍ଥାପନ ପାଇଁ ଉଭୟ ଦେଶ ପରସ୍ପର ସହ ଆଲୋଚନା କରିବା ଜରୁରୀ ବୋଲି ନଓ୍ବାଜ ସରିଫ କହିଛନ୍ତି ।
Comments are closed.