ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି NCERT ଏବଂ ଶିକ୍ଷା ମନ୍ତ୍ରଣାଳୟ ଉପରେ ପ୍ରବଳ ବର୍ଷିଛନ୍ତି । ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ବହିରେ ‘ନ୍ୟାୟପାଳିକାରେ ଦୁର୍ନୀତି’ ଭଳି ବିଷୟବସ୍ତୁ ସାମିଲ କରିବା ଘଟଣାରେ କୋର୍ଟ କହିଛନ୍ତି- “କେହି ବି ବର୍ତ୍ତିବେ ନାହିଁ”। ମୁଖ୍ୟ ବିଚାରପତିଙ୍କ କଡ଼ା ଚେତାବନୀ ପରେ ଏବେ ଦେଶର ଶିକ୍ଷା ମହଲରେ ହଲଚଲ ସୃଷ୍ଟି ହୋଇଛି ।
ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ଶିକ୍ଷା ମନ୍ତ୍ରଣାଳୟର ସଚିବ ଏବଂ NCERT ନିର୍ଦ୍ଦେଶକ ଦିନେଶ ପ୍ରସାଦ ସକଲାନୀଙ୍କୁ ‘କାରଣ ଦର୍ଶାଅ’ ନୋଟିସ୍ ଜାରି କରିଛନ୍ତି। କୋର୍ଟ ଅବମାନନା ମାମଲାରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ, ସେନେଇ ଜବାବ ମଗାଯାଇଛି।
ଯଦିଓ NCERT କ୍ଷମା ପ୍ରାର୍ଥନା କରିଛି, କିନ୍ତୁ ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତ, ଜୟମାଲ୍ୟ ବାଗଚି ଏବଂ ବିପୁଲ ଏମ୍ ପାଞ୍ଚୋଲିଙ୍କ ଖଣ୍ଡପୀଠ ଏହାକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ପାଠ୍ୟପୁସ୍ତକର ସେହି ନିର୍ଦ୍ଦିଷ୍ଟ ଅଂଶ ଉପରେ କୋର୍ଟ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛନ୍ତି ।
ଏହା ପଛରେ କିଏ ? ଏହି ପାଠ୍ୟକ୍ରମ ପ୍ରସ୍ତୁତ କରିଥିବା କମିଟିର ସଦସ୍ୟଙ୍କ ନାମ, ଯୋଗ୍ୟତା ଏବଂ ସେମାନଙ୍କର ସମ୍ପୂର୍ଣ୍ଣ ବିବରଣୀ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଏହି ମାମଲାରେ ମୁଖ୍ୟ ବିଚାରପତି କଠୋର ଟିପ୍ପଣୀ ଦେଇ କହିଛନ୍ତି କି- ନ୍ୟାୟପାଳିକାକୁ ବଦନାମ କରିବା ପାଇଁ ଏହା ଏକ ଗଭୀର ଷଡ଼ଯନ୍ତ୍ର ଭଳି ମନେହେଉଛି। ଏଥିପାଇଁ କେଉଁମାନେ ଦାୟୀ ସେମାନଙ୍କୁ ଖୋଜାଯିବ, ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। କାହାକୁ ବି ଛଡ଼ାଯିବ ନାହିଁ । ଯଦି ଏହାକୁ ରୋକା ନଯାଏ, ତେବେ ନ୍ୟାୟପାଳିକା ଉପରୁ ଲୋକଙ୍କ ଆସ୍ଥା ତୁଟିଯିବ। ଏଭଳି ଆଚରଣ ‘ଅପରାଧିକ କୋର୍ଟ ଅବମାନନା’ ପରିସରଭୁକ୍ତ ବୋଲି ମୁଖ୍ୟ ବିଚାରପତି କହିଛନ୍ତି ।
ଆସନ୍ତା ମାର୍ଚ୍ଚ ୧୧ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। କୋର୍ଟଙ୍କ ଏହି କଡ଼ା ଆଭିମୁଖ୍ୟ ପରେ ଏବେ NCERT କିଭଳି ଜବାବ ଦେଉଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର।