ଭୁବନେଶ୍ୱର: ବଦଳିବ ଶିକ୍ଷା ବ୍ୟବସ୍ଥା । ଶିକ୍ଷକ ନିଯୁକ୍ତି ନିୟମରେ ହେବ ବଡ଼ ପରିବର୍ତ୍ତନ ! ଏଣିକି ୨ ବର୍ଷିଆ B.Ed ବନ୍ଦ । +୨ ପରେ ଛାତ୍ରଛାତ୍ରୀ ସିଧାସଳଖ ୪ ବର୍ଷିଆ ITEP କରିପାରିବେ। ଗ୍ରାଜୁଏସନ୍ ସହ ମିଳିବ B.Ed ଡିଗ୍ରୀ । କେନ୍ଦ୍ର ସରକାର ଏବଂ National Council for Teacher Education, NCTE ଶିକ୍ଷକ ପ୍ରଶିକ୍ଷଣ ନିୟମରେ ବ୍ୟାପକ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ନୂଆ ଶିକ୍ଷା ନୀତି, NEP 2020 ଅନୁଯାୟୀ, ୨୦୨୬-୨୭ ଶିକ୍ଷାବର୍ଷରୁ ଲାଗୁ ହେବ ନୂଆ ନିୟମ। ଯାହାର ସିଧାସଳଖ ପ୍ରଭାବ ଲକ୍ଷ ଲକ୍ଷ B.Ed ଏବଂ D.El.Ed ଆଶାୟୀଙ୍କ ଉପରେ ପଡ଼ିବ।
ତେବେ କ’ଣ ଏହି ନୂଆ ନିୟମ ? କେଉଁମାନେ ହୋଇପାରିବେ ଶିକ୍ଷକ ? ଆସନ୍ତୁ ତା ଉପରେ ନଜର ପକାଇବା । ଦେଶରେ ଶିକ୍ଷାର ମାନ ବଢ଼ାଇବା ପାଇଁ ସରକାର ଏବେ ଶିକ୍ଷକ ପ୍ରଶିକ୍ଷଣ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିଛନ୍ତି।
ଏଣିକି ପୁରୁଣା ପାଠ୍ୟକ୍ରମ ବଦଳରେ ଆଧୁନିକ ଏବଂ ବୈଷୟିକ ଜ୍ଞାନକୌଶଳ ଆଧାରିତ ଶିକ୍ଷାକୁ ଗୁରୁତ୍ୱ ଦିଆଯିବ । ଯେଉଁମାନେ ପୋଷ୍ଟ ଗ୍ରାଜୁଏସନ୍, MA/ MSc/ MCom କରିଛନ୍ତି, ସେମାନେ ୧ ବର୍ଷିଆ B.Ed କରିବେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପାଇଁ B.Ed ଆଉ ଗ୍ରହଣୀୟ ହେବନାହିଁ। ଏଥିପାଇଁ D.El.Ed କିମ୍ବା ITEP ବାଧ୍ୟତାମୂଳକ। ତେବେ ଯେଉଁମାନେ ପୂର୍ବରୁ B.Ed କିମ୍ବା D.El.Ed କରିସାରିଛନ୍ତି ସେମାନେ ଭୟଭୀତ ହେବାର ଆବଶ୍ୟକତା ନାହିଁ ।
NCTE ସ୍ପଷ୍ଟ କରିଛି ଯେ:
-ଯେଉଁମାନେ ବର୍ତ୍ତମାନ B.Ed କରୁଛନ୍ତି ବା କରିସାରିଛନ୍ତି, ସେମାନଙ୍କ ଡିଗ୍ରୀ ସଂପୂର୍ଣ୍ଣ ବୈଧ ରହିବ।
-ନୂଆ ନିୟମ କେବଳ ୨୦୨୬-୨୭ ବର୍ଷର ନୂଆ ଆଡମିଶନ ଉପରେ ଲାଗୁ ହେବ।
-୧ ବର୍ଷିଆ B.Ed ପାଇଁ ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷା, NCET ଦେବାକୁ ପଡ଼ିପାରେ।
ଏହାସହ ନକଲି ଏବଂ ନିମ୍ନମାନର ଶିକ୍ଷକ ପ୍ରଶିକ୍ଷଣ କଲେଜଗୁଡ଼ିକ ଉପରେ ସରକାର କଡ଼ା ନଜର ରଖିବେ। ୨୦୩୦ ସୁଦ୍ଧା ଶିକ୍ଷକ ହେବା ପାଇଁ ସର୍ବନିମ୍ନ ଯୋଗ୍ୟତା ୪ ବର୍ଷିଆ ITEP କରିବାକୁ ଲକ୍ଷ୍ୟ ରଖାଯାଇଛି।