Latest Odisha News

BREAKING NEWS

କଙ୍ଗନାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଫସିଲେ ସୁପ୍ରିୟା, କାର୍ଯ୍ୟାନୁଷ୍ଠାନ ଦାବି

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ମଣ୍ଡିରୁ ଭାଜପା ପ୍ରାର୍ଥୀ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଫସିଲେ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ । ଗତକାଲି ବିଜେପି କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ବେଳେ ଆଜି ମହିଳା ଆୟୋଗ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସର୍ବଦଳୀୟ ସମାଲୋଚନା ପରେ ସେ ଆପତ୍ତିଜନକ ପୋଷ୍ଟକୁ ଡିଲିଟ କରିଥିଲେ ସୁଦ୍ଧା ବର୍ତ୍ତମାନ ମହିଳା ଆୟୋଗ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ସୁପ୍ରିୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ନ୍ୟାସନାଲ କମିଶନ ଫର ଓମେନ (ଏନସିଡବ୍ଲ୍ୟୁ) ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଛନ୍ତି । ଏନସିଡ୍ଲୁ ସୋସିଆଲ ମିଡିଆ ‘ଏକ୍ସ’ ରେ ଲେଖିଛନ୍ତି ଯେ, ‘ସୁପ୍ରିୟା ଶ୍ରୀନେତଙ୍କ ଏପରି ଆଚରଣରେ ଏନସିଡବ୍ଲୁ ସ୍ତବ୍ଧ । ଏହିପରି ଆଚରଣ ଅସହିଷ୍ଣୁ ଏବଂ ମହିଳାଙ୍କ ସମ୍ମାନ ବିରୁଦ୍ଧରେ ଅଟେ । ଆସନ୍ତୁ ସମସ୍ତ ମହିଳାଙ୍କ ପ୍ରତି ସମ୍ମାନ ଏବଂ ମର୍ଯ୍ୟାଦା ବଜାୟ ରଖିବା’।

ଏହି ମନ୍ତବ୍ୟ ଉପରେ ରାଷ୍ଟ୍ରୀୟ ମହିଳା ଆୟୋଗର ମୁଖ୍ୟ ରେଖା ଶର୍ମା ଇସିଆଇ କୁ ଏକ ଚିଠି ଲେଖି ତାଙ୍କ ବିରୋଧରେ ତୁରନ୍ତ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ସୂଚନାଯୋଗ୍ୟ, କଂଗ୍ରେସର ବରିଷ୍ଠ ନେତ୍ରୀ ସୁପ୍ରିୟା ଶ୍ରୀନେତ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କଙ୍ଗନା ରାଣାଓ୍ବତଙ୍କ ଏକ ଫଟୋ ପୋଷ୍ଟ କରି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଯାହା ଦେଖୁ ଦେଖୁ ଖୁବ୍ ଭାଇରାଲ ହେବାରେ ଲାଗିଥିଲା । ଏହି ପୋଷ୍ଟକୁ ନେଇ କଙ୍ଗନାଙ୍କ ଅନେକ ପ୍ରଶଂସକ ଏହାକୁ ବିରୋଧ କରିଥିଲେ । ଏହାପରେ ସୋମବାର ସୁପ୍ରିୟାଙ୍କୁ ଟାର୍ଗେଟ କରିଥିଲା ବିଜେପି । ପୋଷ୍ଟକୁ ନେଇ ସବୁ ଆଡୁ ବିରୋଧ ପ୍ରଦର୍ଶନ ହେବା ପରେ ନିଜ ଆକାଉଣ୍ଟରୁ ପୋଷ୍ଟକୁ ଡିଲିଟ କରିଥିଲେ ସୁପ୍ରିୟା ।

ଏନେଇ ସୁପ୍ରିୟା କହିଥିଲେ ଯେ, ‘ମୁଁ ଏହି ପୋଷ୍ଟ କରିନାହିଁ, ମୁଁ କେବେହେଲେ କୌଣସି ମହିଳାଙ୍କ ବିରୋଧରେ ଏପରି ଅଭଦ୍ର ମନ୍ତବ୍ୟ ଦିଏ ନାହିଁ । ବରଂ ମୋର ମେଟା ଆକାଉଣ୍ଟର ଅପବ୍ୟବହାର କରି ଏପରି ପୋଷ୍ଟ କରାଯାଇଛି । ଘଟଣା ସମ୍ପର୍କରେ ଜଣାପଡିବା ପରେ ମୁଁ ତୁରନ୍ତ ପୋଷ୍ଟକୁ ଡିଲିଟ କରିଛି । ଏଥିରେ କାହାର ହାତ ଅଛି, ସେନେଇ ଜାଣିବାକୁ ମୁଁ ଚେଷ୍ଟା ଚଲାଇଛି’।

Comments are closed.