Latest Odisha News

ଏନଡିଏକୁ ରାଜ୍ୟସଭା ଟନିକ

ନୂଆଦିଲ୍ଲୀ: ରାଜ୍ୟସଭାରେ ବିଜେପିକୁ ବଡ ଆଶ୍ୱସ୍ତି । ବିଜେପି ନେତୃତ୍ୱାଧିନ ଏନଡିଏକୁ ମିଳିଛି ରାଜ୍ୟସଭାରେ ବହୁମତ । ୯ ରାଜ୍ୟର ୧୨ଟି ରାଜ୍ୟସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ସମସ୍ତ ପ୍ରାର୍ଥୀ । ଏନଡିଏ ୧୧ ଆସନ ହାତେଇଥିବା ବେଳେ କଂଗ୍ରେସ ଗୋଟିଏ ଆସନରେ କବଜା କରିଛି । ଏନଡିଏ ଅଂଶୀଦାରଙ୍କ ମଧ୍ୟରୁ ବିଜେପିକୁ ୯, ଏନସିପି ଅଜିତ ପାୱାର ଗୋଷ୍ଠୀକୁ ୧ ଓ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚାକୁ ଗୋଟିଏ ଆସନ ମିଳିଛି ।

ରାଜ୍ୟସଭାରେ ଏନଡିଏ ଓ ଇଣ୍ଡି ମେଂଟର ସ୍ଥିତି 

ରାଜ୍ୟସଭାରେ ପ୍ରଥମ ଥର ପାଇଁ ସଂଖ୍ୟାଗରିଷ୍ଠତା ହାସଲ କରିଛି ଏନଡିଏ । ୨୪୫ ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ ଏବେ ବି ଖାଲି ପଡିଛି ୮ଟି ଆସନ । ଏଥିମଧ୍ୟରୁ ଜାମ୍ମୁ ଓ କାଶ୍ମୀରରୁ ୪ ଆସନ ସହ ମନୋନୀତ ସଦସ୍ୟଙ୍କ ୪ ଆସନ ମଧ୍ୟ ଖାଲି ପଡିଛି । ରାଜ୍ୟସଭାରେ ବର୍ତ୍ତମାନ ସଦସ୍ୟ ସଂଖ୍ୟା ୨୩୭ ଓ ମ୍ୟାଜିକ ନମ୍ବର ହେଉଛି ୧୧୯ । ଏବେ ଏନଡିଏର ସଦସ୍ୟ ସଂଖ୍ୟା ୧୧୨ରେ ପହଂଚିଛି । ୬ ମନୋନୀତ ସଦସ୍ୟ ଓ ଜଣେ ନିର୍ଦ୍ଦଳୀୟଙ୍କ ସମର୍ଥନ ସହ ଏନଡିଏର ସଂଖ୍ୟା ୧୧୯କୁ ବୃଦ୍ଧି ପାଇଛି । ଗୃହରେ ବିଜେପିର ସଦସ୍ୟ ସଂଖ୍ୟା ୯୬ରେ ପହଂଚିଛି ।

କଂଗ୍ରେସ ପାଇଁ ଆଶ୍ୱସ୍ତି, ବଜାୟ ରଖିବ ବିରୋଧୀ ଦଳ ନେତା ପଦ 

ରାଜ୍ୟସଭାରେ ଏବେ କଂଗ୍ରେସ ସଦସ୍ୟ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି । କଂଗ୍ରେସ ସହଯୋଗୀଙ୍କ ସଂଖ୍ୟା ହେଉଛି ୫୮ । ଏସବୁ ମିଶାଇ ବିରୋଧୀ ମେଂଟର ସଦସ୍ୟ ସଂଖ୍ୟା ରହିଛି ୮୫ । ୧୧ ସଦସ୍ୟ ଥିବା ୱାଇଏସଆର୍ କଂଗ୍ରେସ ପାର୍ଟି ଓ ୮ ସଦସ୍ୟ ବିଶିଷ୍ଟ ବିଜେଡି କୌଣସି ମେଂଟରେ ନାହାନ୍ତି । କଂଗ୍ରେସ ପାଇଁ ଆଶ୍ୱସ୍ତିର ବିଷୟ ଯେ, ରାଜ୍ୟସଭା ରେ ଦଳ ଏବେ ବିରୋଧୀ ଦଳ ନେତା ପଦ ବଜାୟ ରଖିବ । ଏଥିପାଇଁ କଂଗ୍ରେସ ପାଖରେ ଆବଶ୍ୟକ ସଂଖ୍ୟାଠୁ ଦୁଇ ଅଧିକ ରହିଛି ।

ନିଜ ଦମରେ ବିଲ୍ ପାସ କରିପାରିବ ଏନଡିଏ

ସଂଖ୍ୟାଗରିଷ୍ଠତା ହାସଲ କରିଥିବାରୁ ଏନଡିଏ ସରକାର ପାଇଁ ଏଣିକି ରାଜ୍ୟସଭାରେ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ କରାଇବା ସହଜ ହେବ । ଏଥିପାଇଁ ଅନ୍ୟ କୌଣସି ଦଳ ଉପରେ ନିର୍ଭର କରିବ ନାହିଁ ଏନଡିଏ । ପୂର୍ବରୁ ବହୁମତ ନଥିବାରୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ ପାଇଁ ବିଜେଡି, ବିଆରଏସ, ୱାଇଏସଆର୍ କଂଗ୍ରେସ ଓ ଏଆଇଏଡିମକେର ସମର୍ଥନ ଦରକାର କରୁଥିଲ। ଏନଡିଏ । ଏବେ ବଦଳି ଯାଇଛି ସମୀକରଣ । ବିଜେଡି ଓ ୱାଇଏସଆର୍ କଂଗ୍ରେସ ଏବେ ଆଉ ଶାସନ କ୍ଷମତାରେ ନାହାନ୍ତି । ଓଡିଶା ଓ ଆନ୍ଧ୍ରରେ ଏବେ ବିଜେପି ଓ ଏନଡିଏ ସରକାର।

 

 

Comments are closed.