Latest Odisha News

ମଣିପୁରରେ ରାଜନୈତିକ ହଲଚଲ, ବୀରେନ ସିଂ ସରକାରରୁ ଓହରିଲେ ୨ କୁକି ବିଧାୟକ

ଇମ୍ଫାଲ: ମଣିପୁରର ରାଜନୈତିକରେ ହଲଚଲ ପରିସ୍ଥିତି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ସହଯୋଗୀ କୁକି ପିପୁଲ୍ସ ଆଲାଏନ୍ସର ୨ ଜଣ ବିଧାୟକ ବୀରେନ୍ ସିଂ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି। ମଣିପୁରର ସାମ୍ପ୍ରତିକ ସ୍ଥିତିକୁ ନେଇ ଉପଯୁକ୍ତ ବିଚାରବିମର୍ଶ ପରେ ଉଭୟେ ସରକାରରୁ ଓହରିଯାଇଥିବା ବିଷୟ ରାଜ୍ୟପାଳ ଅନୁସୂୟା ଉଇକେଙ୍କୁ ପ୍ରଦାନ କରିଥିବା ଏକ ପତ୍ରରେ ଉଲ୍ଲେଖ କରିଛନ୍ତି। ଦୁଇ ବିଧାୟକ ହେଲେ କିମ୍‌ନେଓ ହଙ୍ଗସିଂ ଏବଂ ଚିନ୍‌ଲୁନ୍‌ଥାଙ୍ଗ୍‌।

ବିଜେପି ଶାସିତ ମଣିପୁରରେ ୩ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଲାଗିରହିଥିବା ଜାତିଆଣ ଓ ଯୌନ ହିଂସା ଯୋଗୁଁ ଅଚଳାବସ୍ଥା ଦୂର ହେଉନାହିଁ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ ସିଂଙ୍କ ଉଦାସୀନତା ଓ ସ୍ଥାଣୁତାକୁ ଦାୟୀ କରାଯାଉଛି। କୁକି ପିପୁଲ୍ସ ଆଲାଇନ୍ସ ଏହି ନିଷ୍ପତ୍ତି ନେଇଛି ଯେଉଁ ସମୟରେ ବିରେନ ସିଂଙ୍କ ନେତୃତ୍ୱାଧୀନ ସରକାର ହିଂସାକୁ ନିୟନ୍ତ୍ରଣ କରିବାରେ ଅସମର୍ଥ ଥିବାରୁ ସମାଲୋଚନାର ଶିକାର ହୋଇଥିଲେ। ଏହି ହିଂସାରେ ୧୬୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

୬୦ ଆସନ ବିଶିଷ୍ଟ ମଣିପୁର ବିଧାନସଭାରେ ଭାଜପାର ସର୍ବାଧିକ ୩୨ ବିଧାୟକ ଅଛନ୍ତି। ଏହାଛଡା ନାଗା ପିପୁଲ୍ସ ଫ୍ରଣ୍ଟର ୫ ଏବଂ ଅନ୍ୟ ୩ ସ୍ବାଧୀନ ବିଧାୟକ ମଧ୍ୟ ରାଜ୍ୟ ସରକାରଙ୍କୁ ସମର୍ଥନ ଦେଉଛନ୍ତି। ତେଣୁ କେପିଏରେ ଥିବା ମୋଟ ୨ ବିଧାୟକଙ୍କ ଇସ୍ତଫା ଯୋଗୁଁ ବୀରେନ୍ ସିଂ ସରକାର ଉପରେ ବିପଦ ସୃଷ୍ଟି ହୋଇନାହିଁ। କିନ୍ତୁ ଏହି ପ୍ରତିବାଦର ରାଜନୈତିକ ସଙ୍କେତ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ନକାରାମତ୍କ ପ୍ରଭାବ ପକାଇବ ବୋଲି ବିଶ୍ଳେଷକମାନେ ମତ ଦେଉଛନ୍ତି।

Comments are closed.