Latest Odisha News

BREAKING NEWS

କିପରି ଦିଶୁଛି ଜହ୍ନମାମୁଁ ? ଚନ୍ଦ୍ରର ପ୍ରଥମ ଫଟୋ ଓ ଭିଡିଓ ପଠାଇଲା ଚନ୍ଦ୍ରଯାନ-୩, ଟ୍ୱିଟ୍ କରି ସୂଚନା ଦେଲା ଇସ୍ରୋ

ଶ୍ରୀହରିକୋଟା: ଚନ୍ଦ୍ର କକ୍ଷ ପଥରେ ପ୍ରବେଶ କରିବା ପରେ ଚନ୍ଦ୍ରର ପ୍ରଥମ ଫଟୋ ଓ ଭିଡିଓ ପ୍ରକାଶ ପାଇଛି । ଗତକାଲି ପ୍ରଥମ କରି ଭରତୀୟ ମହାକାଶ ଗବେଷଣା ସଂସ୍ଥା(ISRO) ଚନ୍ଦ୍ରଯାନ-୩ କ୍ୟାମେରାରେ କଏଦ ହୋଇଥିବା ଫଟୋ ଓ ଭିଡ଼ିଓକୁ ଶେୟାର କରିଛି ।  ଆଗକୁ ଆହୁରି ସ୍ପଷ୍ଟ ଚିତ୍ର ସହିତ ଅଧିକ ତଥ୍ୟ ପଠାଇବ ବୋଲି ଆଶା ପ୍ରକାଶ କରିଛନ୍ତି ବୈଜ୍ଞାନିକ ।

ISRO ପକ୍ଷରୁ ଟୁଇଟରରେ ଏହି ଫଟୋ ଓ ଭିଡ଼ିଓ ଜାରି କରାଯାଇଛି । ସେଥିରେ ଲେଖାଯାଇଛି ଯେ, ଚନ୍ଦ୍ରଯାନ-୩ ମିଶନରୁ ଚନ୍ଦ୍ରର ଦୃଶ୍ୟ । ସେଥିରେ ଚନ୍ଦ୍ରର ରଙ୍ଗ ନୀଳ ଓ ସବୁଜ ଦେଖାଯାଇଥିବା ବେଳେ ଚନ୍ଦ୍ରପୃଷ୍ଠରେ ଗର୍ତ୍ତ ମଧ୍ୟ ରହିଛି । ଏଯାଏଁ ଚନ୍ଦ୍ରଯାନ-୩ର ସମସ୍ତ ପର୍ଯ୍ୟାୟ ସଫଳତାର ସହିତ ଜାରି ରହିଛି । ଚନ୍ଦ୍ରଯାନ-୩ ଏବେ ଚନ୍ଦ୍ରର ଦୁଇ ତୃତୀୟାଂଶରୁ ଅଧିକ ଦୂର ଅତିକ୍ରମ କରିସାରିଲାଣି । ଏବେ ଚନ୍ଦ୍ରପୃଷ୍ଠରୁ ୧୦ରୁ ୧୨ ହଜାର କିଲୋମିଟର ବିଶିଷ୍ଟ କକ୍ଷପଥରେ ଘୁରୁଛି । ୯ ଅଗଷ୍ଟରେ ଏହା ୪ରୁ ୫ ହଜାର କିମି ବିଶିଷ୍ଟ କକ୍ଷପଥରେ ପ୍ରବେଶ କରିବ। ଅଗଷ୍ଟ ୧୮-୧୯ ଆଡକୁ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରୁ ୧୦୦ କିଲୋମିଟର ଉଚ୍ଚତାରେ ଏକ ବୃତ୍ତାକାର ପଥରେ ଚନ୍ଦ୍ରକୁ ପରିକ୍ରମା କରିବ । ଅଗଷ୍ଟ ୨୩ ଆଡ଼କୁ ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଯୋଜନା ରହିଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର୍ ସଫ୍ଟଲ୍ୟାଣ୍ଡିଂ କରିବ ଏବଂ ସେଥିରୁ ରୋଭର ବାହାରି ଚନ୍ଦ୍ରପୃଷ୍ଠରେ ୧୪ ଦିନ ବିଚରଣ କରିବ ବୋଲି ଯୋଜନା ରଖାଯାଇଛି ।

ସୂଚନା ଅନୁଯାୟୀ, ଗତ ଜୁଲାଇ ୧୪ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଚନ୍ଦ୍ରଯାନ-୩କୁ ଉତକ୍ଷେପଣ କରାଯାଇଥିଲା । ତାପରେ ଏହା ପୃଥିବୀକୁ ଦୀର୍ଘ ୨ ସପ୍ତାହ ଧରି ପରିକ୍ରମା କରିଥିଲା ଏବଂ ଗତ ୧ ତାରିଖରେ ଚନ୍ଦ୍ରଯାନକୁ ଚନ୍ଦ୍ରର କକ୍ଷପଥ ଆଡ଼କୁ ପଠାଇଥିଲା ଇସ୍ରୋ ।

Leave A Reply

Your email address will not be published.