Latest Odisha News

BREAKING NEWS

ରାଷ୍ଟ୍ରପତି ପ୍ରାର୍ଥୀ ଏନଡିଏର, ବଳ କଷୁଛି ବିଜେଡି; ହାଇଯାକ ହୋଇଯିବ ବିଜେପିର ଲକ୍ଷ୍ୟ ?

ଭୁବନେଶ୍ୱର: ମଙ୍ଗଳବାର ରାଜ୍ୟ ବିଜେପି ସଭାପତି ସାମ୍ବାଦିକ ସମ୍ମିଳନୀ କରି କହିଲେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁ ଆଠ ତାରିଖ (ଶୁକ୍ରବାର) ଓଡ଼ିଶା ଆସିବେ । ଏହାପରେ ପୂର୍ବ ଅପେକ୍ଷା ବିଜେଡି ଅଧିକ ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି । କାରଣ ଏହାପରେ ପରେ ବିଜେଡି ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କୁ ଭେଟିଥିଲେ । ଆଉ ଫୋନ ଯୋଗେ ନରସିଂହଙ୍କ ସହ ନବୀନ କଥା ହୋଇ ମାଟିର ଝିଅକୁ ଭୋଟ୍ ଦେବାକୁ ନିବେଦନ କରିଥିବା ସୂଚନା ରହିଛି । ଏହାପରେ ପରେ ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚ୍ଚୀ ନାୟକ, ବିଭୂତି ବଳବନ୍ତରାୟ ଦ୍ରୌପଦୀଙ୍କ ସମର୍ଥନରେ ଦଳୀୟ ବିଧାୟକଙ୍କୁ ଭୋଟ୍ ଦେବାକୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି ।

ସେହିପରି ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ମଧ୍ୟ ଆଜି ନବୀନଙ୍କୁ ଭେଟିଛନ୍ତି । ଯାହାର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ମୁଖ୍ୟମନ୍ତ୍ରୀ ବିଧାୟକଙ୍କୁ ଦ୍ରୌପଦୀଙ୍କୁ ଭୋଟ୍ ଦେବାକୁ ନିବେଦନ କରୁଛନ୍ତି । ପରେ ବିଧାୟକ ମକରନ୍ଦ ମଧ୍ୟ ଭୋଟ୍ ଦେବେ ବୋଲି କହିଥିବା ସୂଚନା ରହିଛି । ଏହି ଭିଡିଓରେ ବିଧାୟକ ଚେୟାରରେ ବସିବା ପୂର୍ବରୁ ନବୀନ ବିଧାୟକଙ୍କୁ ଭୋଟ୍ ଦେବାକୁ କହୁଥିବା ଦେଖିବାକୁ ମିଳୁଛି ? ଯାହାର ଉଦ୍ଦେଶ୍ୟକୁ ନେଇ ମଧ୍ୟ ଦ୍ୱିମତ ପ୍ରକାଶ ପାଇଛି ।

ବଡ଼ କଥା ହେଲା ଏନଡିଏର ନେତୃତ୍ୱ ନେଉଛି ବିଜେପି । ଏନଡିଏର ଅଂଶୀଦାର ନୁହଁ ବିଜେଡି । ତେଣୁ ରାଜ୍ୟ ବିଜେପି ଅଧିକ ସକ୍ରିୟ ହୋଇ ଦୌପଦୀଙ୍କ ପାଇଁ ବିଜେଡି, କଂଗ୍ରେସ ଏବଂ ଅନ୍ୟାନ୍ୟ ବିଧାୟକଙ୍କୁ ଏକାଠି କରି ଭୋଟ୍ ଦେବାକୁ ନିବେଦନ କରି ବଡ ଭାଇର ଭୂମିକା ଲିଭାଇବା କଥା। କିନ୍ତୁ ରାଜ୍ୟରେ ବିଜେପି ସେପରି କିଛି କରୁନାହିଁ । କେବେଳ ବିଜେପି ବିଧାୟକ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଚୁପ ହୋଇ ବସୁଛନ୍ତି । କାରଣ ଦ୍ରୌପଦୀ ଆସିବା କଥା ନେଇ ଚର୍ଚ୍ଚା ହେବା ପରେ କଂଗ୍ରେସ ନେତା କହିସାରିଛନ୍ତି ଦଳର ନିଷ୍ପତ୍ତି ଆଗ । ଦ୍ରୌପଦୀ ମାଟିର ଝିଅ ହୋଇଥାଇପାରନ୍ତି କିନ୍ତୁ ଦଳର ନିଷ୍ପତ୍ତିକୁ ସେମାନେ ଉଲ୍ଲଂଘନ କରିବେ ନାହିଁ। ହେଲେ ବିଜେଡି ବିଜେପିର ନିରବତାର ଫାଇଦା ନେବାକୁ ଯାଇ କଂଗ୍ରେସ ନେତାଙ୍କ ସହ କଥା ହୋଇ ଗୋଟିଏ ବଡ ବାର୍ତ୍ତା ଦେବାକୁ ପ୍ରୟାସ କରୁଛି। ପରେ ଦଳ ଏକ ବାର୍ତ୍ତା ଦେଇପାରିବ ଯେ ନବୀନ ଦ୍ରୌପଦୀଙ୍କୁ ବିଜୟୀ କରିବାକୁ ଆରମ୍ଭରୁ ସମସ୍ତ ପ୍ରୟାସ କରୁଛନ୍ତି ।

ଅନ୍ୟପଟେ ମହାରାଷ୍ଟ୍ରରେ ସରକାର ବଦଳିବା ପରେ ଏବେ ଦ୍ରୌପଦୀ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନାଙ୍କଠୁ ବଡ ବ୍ୟବଧାନରେ ବିଜୟୀ ହେବାର ସମ୍ଭାବନା ରହିଛି। ଏହାଜାଣି ସତ୍ତ୍ୱେ ଏନଡିଏର ଅଂଶୀଦାର ନହୋଇ ଜଣେ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡି ଏତେ କାହିଁକି ସମର୍ଥନ କରୁଛି ତାକୁ ନେଇ ଏବେ ଚର୍ଚ୍ଚା ବଢିଛି। କୁହାଯାଉଛି ଦ୍ରୌପଦୀଙ୍କୁ ପ୍ରାର୍ଥୀ କରି ବିଜେପି ଆଦିବାସୀଙ୍କର ଗୋଟିଏ ବଡ ଚେହେରା ସାରା ଦେଶରେ ତିଆରି କରିବାରେ ସଫଳ ହେବ ଯଦି ଦ୍ରୌପଦୀ ରାଇସେନା ହିଲରେ ବସିବେ। ଦ୍ରୌପଦୀଙ୍କୁ ପ୍ରାର୍ଥୀ କରି ବିଜେପି ଏବେ ଓଡ଼ିଶା, ଛତିଶଗଡ ଏବଂ ପଶ୍ଚିମବଙ୍ଗର ଆଦିବାସୀ ଭୋଟ୍ ବ୍ୟାଙ୍କ ଉପରେ ନଜର ରଖିଛି ବୋଲି କୁହାଯାଉଛି । ରାଜ୍ୟର ପ୍ରାୟ ୨୩ ପ୍ରତିଶତ ଲୋକ ଆଦିବାସୀ ଭୋଟ ରହିଛି । ମୟୂରଭଞ୍ଜ, ପଡୋଶୀ ଜିଲ୍ଲା କେନ୍ଦୁଝର ଏବଂ ଦକ୍ଷିଣ ଓଡିଶାର ଅନେକ ଜିଲ୍ଲାରେ ଆଦିବାସୀଙ୍କ ସଂଖ୍ୟା ଅଧିକ ରହିଛି । ତେଣୁ ଆଗାମୀ ଦିନରେ ନିର୍ବାଚନ ହେଲେ ବିଜେପି ଆଦିବାସୀଙ୍କ ଭୋଟ୍ ଅଧିକ ପାଇବାକୁ ଲକ୍ଷ୍ୟ ରଖିଥିବା କୁହାଯାଉଛି । ଯାହାକୁ ବିଜେଡି ଏବେ ଠଉରାଇ ସାରିଛି । ତେଣୁ ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ହେବା ମାତ୍ରେ ନବୀନ ଏବଂ ବିଜେଡି ରାଜ୍ୟ ବିଜେପି ତୁଳନାରେ ଫ୍ରଣ୍ଟଫୁଟରେ ଆସି ତାଙ୍କ ପାଇଁ ସମର୍ଥନ ମାଗିବା ଆରମ୍ଭ କରିଦେଇଛନ୍ତି ବୋଲି କୁହାଯାଉଛି। ଦ୍ରୌପଦୀ ମୁର୍ମୁ ଜଣେ ଆଦିବାସୀ ସହିତ ମହିଳା ପ୍ରାର୍ଥୀ। ତେଣୁ ଦ୍ରୌପଦୀ ଦିଲ୍ଲୀରେ ନାମାଙ୍କନ ପତ୍ର ଦାଖଲ କରିବା ବେଳେ ମୁଖ୍ୟମନ୍ତ୍ରୀ ସମର୍ଥକ ଭାବେ ନିଜ ସରକାରର କ୍ୟାବିନେଟ ମନ୍ତ୍ରୀ ତଥା ଜଗନ୍ନାଥ ସାରକା (ଆଦିବାସୀ ନେତା) ଏବଂ ଟୁକୁନି ସାହୁଙ୍କୁ ପଠାଇଥିଲେ। ଅର୍ଥାତ ବିଜେପି ଯେଉଁ ମହିଳା ଏବଂ ଆଦିବାସୀ କାର୍ଡ ଖେଳିଲା ନବୀନ ମଧ୍ୟ ସମାନ କାର୍ଡ ଖେଳିଛି ।

୨୦୧୭ ପଞ୍ଚାୟତ ନିର୍ବାଚନରେ ମୟୂରଭଞ୍ଜରେ ବିଜେପି ସର୍ବାଧିକ ଆସନ ଜିତିଥିଲା । ଯାହାକି ବିଜେଡି ପାଇଁ ଚିନ୍ତା ବଢାଇଥିଲା । ଏହାପରେ ପରେ ଆଦିବାସୀ ଭୋଟ୍ ହାତେଇବାକୁ ଯାଇ ମୟୂରଭଞ୍ଜର ପ୍ରଭାରୀ ଭାବେ ଅରୁଣ ସାହୁ, ପ୍ରଣବ ପ୍ରକାଶ ଦାଶଙ୍କ ଭଳି ଟାଣୁଆ ନେତାଙ୍କୁ ଗଡ ଜଗାଇଥିଲା। ଯାହାର ପରିଣାମ ଉଭୟ ୨୦୧୯ ବିଧାନସଭା ନିର୍ବାଚନ ଏବଂ ନିକଟରେ ହୋଇଥିବା ପଞ୍ଜାୟତ ନିର୍ବାଚନ ଫଳାଫଳରେ ପ୍ରଦର୍ଶିତ ହୋଇଛି । ଆଉ ଏହି ଆଦିବାସୀ ଅଞ୍ଚଳ ମୟୂରଭଞ୍ଜରେ ବିଜେପି ଚିତପଟାଙ୍ଗ ମାରିଛି ।

Leave A Reply

Your email address will not be published.