Latest Odisha News

BREAKING NEWS

ଘରୋଇ ବିଶ୍ୱବିଦ୍ୟାଳୟ ବିଲ୍ ତରବରିଆ ଭାବେ ପାରିତ ହେବା ସନ୍ଦେହ ବଢାଉଛି: ନରସିଂହ ମିଶ୍ର

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଙ୍ଗଳବାର କହିଛନ୍ତି ଯେ ବିଧାୟକମାନଙ୍କ ସାମ୍ବିଧାନିକ ଅଧିକାରକୁ ଛଡାଇ ନିଆଯାଉଛି। ବିଧାୟକମାନଙ୍କୁ ଆଲୋଚନା ଓ ପାରିତ ହେବା ପୂର୍ବରୁ ବିଲର ଦସ୍ତାବିଜ ଦିଆଯାଇଥାଏ। କିନ୍ତୁ ଏବେ ଏହା ମିଳୁ ନାହିଁ । ଶୂନ୍ୟକାଳରେ ବିଧାନସଭାରେ ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ ଏପରି କିଛି କହିଛନ୍ତି।

ନରସିଂହ ମିଶ୍ର ଘରୋଇ ବିଶ୍ୱବିଦ୍ୟାଳୟ ପାଇଁ ଉଦ୍ଦିଷ୍ଟ ଗାଇଡଲାଇଇନ୍ ସମ୍ପର୍କରେ କହିଥିଲେ ଯେ ଘରୋଇ ବିଶ୍ୱବିଦ୍ୟାଳୟକୁ ମେଡିକାଲ କଲେଜ ଖୋଲିବା ପାଇଁ ସରକାର ଅନୁମତି ଦେବା ଉଚିତ ନୁହେଁ । ଏହା ଦ୍ୱାରା ରାଜ୍ୟ ସରକାର ବୁକ ସର୍କୁଲାର ୪୭ର ଉଲ୍ଲଂଘନ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସରକାରୀ କର୍ମଚାରୀ ଯାଏ କେହି ବି ବିଧାନସଭାରେ ଚିଠି ଲେଖିବା ପରେ ମଧ୍ୟ ଆମ ପ୍ରଶ୍ନର ଉତ୍ତର ଦେଉନାହାନ୍ତି। ବାଚସ୍ପତିଙ୍କ ରୁଲିଂ ଦାବି କରି ନରସିଂହ ମିଶ୍ର କହିଛନ୍ତି, ନିୟମ ଅନୁଯାୟୀ ଶାସକ ଦଳର ବିଧାୟକ ଓ ମୁଖ୍ୟମନ୍ତ୍ରୀ ଆମର ପ୍ରଶ୍ନର ଉତ୍ତର ୧୫ ଦିନ ମଧ୍ୟରେ ଦେବାକୁ ବାଧ୍ୟ । ହେଲେ ଏବେ ଏଠାରେ ଏହା ହେଉନି। ଏହାବ୍ୟତୀତ ଯେତେବେଳେ ବିଧାୟକମାନଙ୍କୁ ପ୍ରଶ୍ନ ପଚରାଯାଉଛି ସେତେବେଳେ ସେମାନେ ଚିରାଚରିତ ଭାବେ କହୁଛନ୍ତି ଏ ବାବଦରେ ତଥ୍ୟ ସଂଗ୍ରହ କରାଯାଉଛି ।

ସୋମବାର ବିଧାନସଭାରେ  ଡ୍ରିମସ୍ ବିଶ୍ଵ ବିଦ୍ୟାଳୟ ଓଡିଶା ବିଲ୍ ୨୦୨୨, ସିଭି ରମଣ ଗ୍ଲୋବାଲ ବିଶ୍ଵ ବିଦ୍ୟାଳୟ ଓଡିଶା ସଂଶୋଧନ ବିଲ ୨୦୨୨ ଏବଂ ଗାନ୍ଧୀ ଯାନ୍ତ୍ରିକ ଓ ପ୍ରଯୁକ୍ତି ବିଦ୍ୟା ଅନୁଷ୍ଠାନ ବିଶ୍ଵ ବିଦ୍ୟାଳୟ ଓଡିଶା ସଂଶୋଧନ ବିଲ ୨୦୨୨ ପାରିତ ହୋଇଥିଲା। ହେଲେ ଏବାବଦରେ କୌଣସି ତଥ୍ୟ ବିଧାୟକଙ୍କ ଟେବୁଲକୁ ଆସିନଥିଲା। ତେଣୁ ନରସିଂହ ମିଶ୍ର ଏପରି ପ୍ରକ୍ରିୟାକୁ ବିରୋଧ କରି ମଙ୍ଗଳବାର ବିଧାନସଭାର ଶୂନ୍ୟକାଳରେ କହିଛନ୍ତି, ବିଧାନସଭାରେ ବିଧାୟକଙ୍କ ଅଧିକାରରୁ ବଞ୍ଚିତ କରାଯାଉଛି।

ବିଲ ଆଲୋଚନା ପୂର୍ବରୁ ବିଧାୟକ ମାନଙ୍କୁ ସେଇ ବିଲର ଡ଼କ୍ୟୁମେଣ୍ଟ ଦିଆଯାଉନି । ଘରୋଇ ବିଶ୍ଵ ବିଦ୍ୟାଳୟ ପାଇଁ କଣ ଗାଇଡ଼ ଲାଇନ ରହିଛି ବୋଲି ବିଧାନସଭାର ଶୁନ୍ୟ କାଳରେ ସେ ପ୍ରଶ୍ନ କରିଥିଲେ । ସରକାର ଏତେ ତରବରିଆ ଭାବେ କାହିଁକି ବିଲକୁ ପାରିତ କଲେ ଯାହାକି ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି । ଏହି ପ୍ରସଙ୍ଗରେ ରାଜ୍ୟ ସରକାର ସନ୍ଦେହ ଘେରକୁ ଆସିବା ସହ ଦୁର୍ନୀତିର ଗନ୍ଧ ବାରି ହେଉଛି । ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଘରୋଇ ବିଶ୍ୱ ବିଦ୍ୟାଳୟ ମାନଙ୍କୁ ଅନୁମତି ଦେବା ଅନୁଚିତ ବୋଲି ସେ କହିଛନ୍ତି ।

ସେପଟେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ବିଧାନସଭା ସଚିବଙ୍କୁ କଂଗ୍ରେସ ବିଧାୟକଙ୍କୁ ଆବଶ୍ୟକ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୁକ ସର୍କୁଲାର ୪୭ର ଉଲ୍ଲଂଘନକୁ ନେଇ ଉଦବେଗ ପ୍ରକାଶ କରି ବାଚସ୍ପତି କହିଛନ୍ତି, “ମୁଖ୍ୟ ଶାସନ ସଚିବ ଓ ସଂସଦୀୟ ବ୍ୟାପାର ସଚିବ ସପ୍ତାହକ ମଧ୍ୟରେ ବୁକ ସର୍କୁଲାର ୪୭ର କାର୍ଯ୍ୟକାରିତା ନକରିବା ପଛର କାରଣ ଖୋଜିବେ । ଓଡ଼ିଶା ସରକାରଙ୍କ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି, ନରସିଂହ ମିଶ୍ର ଉଠାଇଥିବା ସମସ୍ୟାର ସମାଧାନ ପାଇଁ ଆମେ ଉଦ୍ୟମ କରିବୁ। ଗୋଟିଏ ଦିନରେ ସମସ୍ତ ତଥ୍ୟ ପ୍ରଦାନ କରିବା ବିଧାୟକମାନଙ୍କ ପାଇଁ ଅସମ୍ଭବ  ହେଉଛି ।

Leave A Reply

Your email address will not be published.