Latest Odisha News

BREAKING NEWS

କିଏ ହେବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ? ରେସରେ ସବୁଠୁ ଆଗରେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ଏବେ କିଏ ହେବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି । ଏହାରି ଭିତରେ ସବୁଠୁ ଆଗରେ ରହିଛି ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କ ନାଁ । କେବଳ ମୁର୍ମୁ ନୁହେଁ ଅନେକ ପ୍ରାର୍ଥୀଙ୍କ ନାଁ ଏହାରି ଭିତରେ ଚର୍ଚ୍ଚାରେ ରହିଛି । ହେଲେ ବିଜେପି କାହାକୁ ପ୍ରାର୍ଥୀ କରିବ ସେ ନେଇ ସସପେନ୍ସ ଜାରି ରହିଛି। ସାମ୍ପ୍ରତିକ ପରିସ୍ଥିତିକୁ ଦେଖିଲେ କେନ୍ଦ୍ର ସରକାର ମହିଳା କିମ୍ବା ମୁସଲିମ କାର୍ଡ ଖେଳିବେ ବୋଲି କୁହାଯାଉଛି।

ଏହି ଚର୍ଚ୍ଚା ଭିତରେ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ, କେରଳର ବର୍ତ୍ତମାନ ରାଜ୍ୟପାଳ ଅରଫି ମହମ୍ମଦ ଖାନ୍, ୟୁପିର ରାଜ୍ୟପାଳ ଆନନ୍ଦିବେନ ପଟେଲ, ଛତିଶଗଡ଼ ରାଜ୍ୟପାଳ ଅନୁସୁୟା ୟୁଏକ, କର୍ଣ୍ଣାଟକ ରାଜ୍ୟପାଳ ଥୱାର ଚାନ୍ଦ ଗେହଲଟଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନାଁ ରହିଛି ।

କିନ୍ତୁ ଏମାନଙ୍କ ଭିତରେ ସବୁଠୁ ଆଗରେ ରହିଛନ୍ତି ଦ୍ରୌପଦୀ ମୁର୍ମୁ । ଆଦିବାସୀ ସମ୍ପ୍ରଦାୟ ସହିତ ଜଣେ ମହିଳା ବ୍ୟକ୍ତିତ୍ୱ ହେଉଛନ୍ତି ଝାଡଖଣ୍ଡର ଏହି ପୂର୍ବତନ ରାଜ୍ୟପାଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ବିଜେପିର ବିଚାରଧାରା ଆରଏସଏସ ସହିତ ମଧ୍ୟ ରହିଛି ଦୌପଦୀଙ୍କ ଭଲ ସମ୍ପର୍କ । ଆଗକୁ ୬ ରାଜ୍ୟ ସହ ଲୋକସଭା ନିର୍ବାଚନ ରହିଥିବାରୁ ଆଦିବାସୀ ଭୋଟ୍ ହାତେଇବା ଲାଗି ବିଜେପି ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିପାରେ । ଯଦି ମୂର୍ମୁ ପ୍ରାର୍ଥୀ ହୋଇ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୁଅନ୍ତି ତାହେଲେ ପ୍ରଥମ ଓଡ଼ିଆ ଓ ଆଦିବାସୀ ଭାବେ ମୁର୍ମୁ ସମ୍ବିଧାନର ଏହି ବଡ଼ ପଦରେ ବସିବ।

ତା’ଛଡ଼ା ଆଉ ଏକ ଚର୍ଚ୍ଚା ହେଉଛି ଏବେର କେରଳ ରାଜ୍ୟପାଳ ଅରଫି ମହମ୍ମଦ ଖାନଙ୍କ ନାଁକୁ ନେଇ । ସେ ଯଦି ଉପରାଷ୍ଟ୍ରପତି ହୁଅନ୍ତି ତେବେ ମୁର୍ମୁ ରାଷ୍ଟ୍ରପତି ହେବା ଏକ ପ୍ରକାର ନିଶ୍ଚିତ । ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କଲେ ଜେଏମ୍ଏମର ସମର୍ଥନ ପାଇବ । ତା’ଛଡ଼ା ଦ୍ରୌପଦୀ ମୁର୍ମୁ ଓଡ଼ିଶାର ହୋଇଥିବାରୁ ବିଜେପିକୁ ସମର୍ଥନ କରିପାରେ ବିଜେଡି ।

ଏବେ ନିଜ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଜିତାଇବା ଲାଗି ଏନଡିଏକୁ ଆଉ ୧.୨ ପ୍ରତିଶତ ଭୋଟ୍ ଆବଶ୍ୟକ । ବିଜେଡି ପାଖରେ ୨.୮୮ ପ୍ରତିଶତ ଭୋଟ୍ ଅଛି । ଏସବୁ ଦୃଷ୍ଟିରୁ ଦେଖିଲେ ବିଜେଡି, ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କଲେ ଜିତିବା ସହଜ ହେବ । ତେବେ ବିଜେଡି ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ନା ୟୁପିଏ କାହାକୁ କରିବ ସମର୍ଥନ ? ଏନେଇ କୌଣସି ନିଷ୍ପତ୍ତି ଏଯାଏ ନେଇ ନାହିଁ । ୨୦୧୭ରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ ଦେଇଥିଲା । ଏବେ ଦଳ କାହାକୁ ସମର୍ଥନ କରିବ ସେ ଉପରେ ରହିଛି ସମସ୍ତଙ୍କ ନଜର ।

Leave A Reply

Your email address will not be published.