ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳ ତେଲୁଗୁ ଅଞ୍ଚଳରୁ ଜଣେ ପ୍ରାର୍ଥୀଙ୍କୁ ଆଗକୁ ଆଣି ଏନଡିଏକୁ ଅଡ଼ୁଆରେ ପକାଇବାକୁ ଚାହୁଁଥିଲେ। କିନ୍ତୁ ଏହା ସଫଳ ହେବାର ସମ୍ଭାବନା କମ୍। ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶର କୌଣସି ଆଞ୍ଚଳିକ ଦଳ ବିରୋଧୀଙ୍କ ପ୍ରାର୍ଥୀ ଜଷ୍ଟିସ୍ ବି. ସୁଦର୍ଶନ ରେଡ୍ଡୀଙ୍କୁ ସମର୍ଥନ କରିବାକୁ ପ୍ରସ୍ତୁତ ନାହାନ୍ତି।
ସେପ୍ଟେମ୍ବର ୯ରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏର ପ୍ରାର୍ଥୀ ସି. ପି. ରାଧାକୃଷ୍ଣନଙ୍କ ବିରୋଧରେ ବିରୋଧୀ ଇଣ୍ଡିଆ ମେଣ୍ଟ ବି. ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ କରିଛି । କିନ୍ତୁ YSRCP ଓ TDP ଏନଡିଏକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
YSRCP ନେତା ଜଗନ ମୋହନ ରେଡ୍ଡୀ କହିଛନ୍ତି, “କେବଳ ପ୍ରାର୍ଥୀ ଆନ୍ଧ୍ରପ୍ରଦେଶର ହେଉଛନ୍ତି ବୋଲି ଆମେ ନିଷ୍ପତ୍ତି ବଦଳାଇବୁ ନାହିଁ। ଉପରାଷ୍ଟ୍ରପତି ପଦ ସାରା ଦେଶ ପାଇଁ, କେବଳ ଆନ୍ଧ୍ର ପାଇଁ ନୁହେଁ।” ସୂଚନା ଅନୁସାରେ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଫୋନ୍ କଲ୍ ପରେ YSRCP ଏନଡିଏକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି। YSRCPର ଲୋକସଭାରେ ୪ ଜଣ ଓ ରାଜ୍ୟସଭାରେ ୭ ଜଣ ସାଂସଦ ଅଛନ୍ତି।
TDP ମଧ୍ୟ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରୁଛି। TDP ନେତା ନାରା ଲୋକେଶ ଏକ୍ସରେ ପୋଷ୍ଟ କରି କହିଛନ୍ତି, “ଆମେ ଏକଜୁଟ ଅଛୁ। ଏନଡିଏ ସହିତ ଆମର ସମ୍ପର୍କ ଦୃଢ଼।” TDP ସୂତ୍ର ଅନୁସାରେ, ଦଳର ସମସ୍ତ ସାଂସଦ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ୍ ଦେବେ।
ତେଲଙ୍ଗାନାରେ ବିଆରଏସ୍ ଦଳ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହିଁ। ବିଆରଏସ୍ ନେତା ଦାସୋଜୁ ଶ୍ରାବଣ କହିଛନ୍ତି, ଦଳର ମୁଖ୍ୟ କେ. ଚନ୍ଦ୍ରଶେଖର ରାଓ ଶୀଘ୍ର ନିଷ୍ପତ୍ତି ନେବେ। ତେବେ ସୂତ୍ରରୁ ଜଣାପଡ଼ିଛି, ଜଷ୍ଟିସ୍ ରେଡ୍ଡୀ ତେଲଙ୍ଗାନାର ହେଲେ ମଧ୍ୟ ବିଆରଏସ୍ ତାଙ୍କୁ ସମର୍ଥନ କରିବ ନାହିଁ। କାରଣ କଂଗ୍ରେସ ହେଉଛି ବିଆରଏସ୍ର ମୁଖ୍ୟ ପ୍ରତିଦ୍ୱନ୍ଦୀ। ବିଆରଏସ୍ର ରାଜ୍ୟସଭାରେ ୪ ଜଣ ସାଂସଦ ଅଛନ୍ତି।
ନିର୍ବାଚନରେ ଏନଡିଏ ମଜବୁତ ସ୍ଥିତିରେ ରହିଛି। ବିରୋଧୀଙ୍କ ତେଲୁଗୁ ପ୍ରାର୍ଥୀଙ୍କୁ ଆଞ୍ଚଳିକ ଦଳମାନେ ସମର୍ଥନ ନ କରିବା ଦ୍ୱାରା ଏନଡିଏ ପ୍ରାର୍ଥୀଙ୍କ ବିଜୟର ସମ୍ଭାବନା ବଢ଼ିଛି।
କୁହାଯାଉଛି, YSRCP ଓ TDP ବି. ସୁଦର୍ଶନ ରେଡ୍ଡୀଙ୍କୁ ସମର୍ଥନ କରିବେ ବୋଲି ଇଣ୍ଡିଆ ମେଣ୍ଟ ଆଶା କରିଥିଲା । ଆଉ ନିର୍ବାଚନ ବିଜୟ ନହେଲେ ମଧ୍ୟ କଡ଼ା ମୁକାବିଲା କରି କେନ୍ଦ୍ର ବିରୋଧରେ ଲଢେଇ ଆଗକୁ ଆହୁରି ଜୋରଦାର କରିବାକୁ ରଣନୀତି କରିଥିଲା ବିରେଧୀ । କିନ୍ତୁ ବିରୋଧୀ ପ୍ରାର୍ଥୀ ଘୋଷଣା କରିବାର ୨୪ ଘଣ୍ଟା ନପୂରୁଣୁ ସବୁ ଆକଳନ ଫୁସ୍ ହୋଇଗଲା ଭଳି ଅନୁମାନ କରାଯାଉଛି ।
Comments are closed.