Latest Odisha News

BREAKING NEWS

ପହଲଗାମ ଆତଙ୍କବାଦୀ ଆକ୍ରମଣ; ୧୨ ଲକ୍ଷ ଆଡଭାନ୍ସ ବୁକିଂ ବାତିଲ କଲେ ପର୍ଯ୍ୟଟକ

ଶ୍ରୀନଗର: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ପର୍ଯ୍ୟଟକମାନେ ନିଜ ସୁରକ୍ଷାକୁ ନେଇ ଚିନ୍ତିତ ହୋଇପଡିଛନ୍ତି।ଯାହା ଫଳରେ ପର୍ଯ୍ୟଟକଙ୍କ ଦ୍ୱାରା କରାଯାଇଥିବା ୧୨ ଲକ୍ଷ ଆଡଭାନ୍ସ ବୁକିଂ ବାତିଲ କରାଯାଇଛି।

କାଶ୍ମୀର ହୋଟେଲ ଏବଂ ରେଷ୍ଟୁରାଣ୍ଟ ସଂଘର ସଭାପତି ବାବର ଚୌଧୁରୀ ଏନେଇ କହିଛନ୍ତି ଯେ ଅଗଷ୍ଟ ମାସ ପର୍ଯ୍ୟନ୍ତ କାଶ୍ମୀରର ମନୋରମ ଦୃଶ୍ୟ ଉପଭୋଗ କରିବାକୁ ଚାହୁଁଥିବା ବିଦେଶୀ ପର୍ଯ୍ୟଟକଙ୍କ ସମେତ ୧୨ ଲକ୍ଷ ପର୍ଯ୍ୟଟକ ଅଗଷ୍ଟ ମାସ ପର୍ଯ୍ୟନ୍ତ ସମସ୍ତ ହୋଟେଲ ଏବଂ ଗେଷ୍ଟ ହାଉସ ଆଗୁଆ ବୁକିଂ କରିଥିଲେ। କିନ୍ତୁ ପହଲଗାମ ଘଟଣା ପରେ ତୁରନ୍ତ ପର୍ଯ୍ୟଟକମାନେ ସେମାନଙ୍କର ବୁକିଂ ବାତିଲ କରିବା ଆରମ୍ଭ କରିଦେଇଥିଲେ।

ସେ ଆହୁରି ମଧ୍ଯ କହିଛନ୍ତି ଯେ ଏହି ମାସର ଶେଷ ସପ୍ତାହ ଅର୍ଥାତ୍ ଏପ୍ରିଲ୍ ଏବଂ ମେ ମାସର ପ୍ରଥମ ସପ୍ତାହ ପାଇଁ କିଛି ବୁକିଂକୁ ବାତିଲ କରିଦେଇଥିଲେ। ନିକଟରେ ରାମବନରେ ଘଟିଥିବା ଭୂସ୍ଖଳନ ଯୋଗୁଁ ପର୍ଯ୍ୟଟକମାନେ ଏଭଳି କରିଥିଲେ। ତେବେ ପହଲଗାମ ଘଟଣା ପରେ ପୁଣିଥରେ ବୁକିଂ ବାତିଲ କରିବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ଏହି ବର୍ଷ ଆମେ ଅନୁମାନ କରୁଥିଲୁ ଯେ ପର୍ଯ୍ୟଟକମାନେ ସମସ୍ତ ପୂର୍ବ ରେକର୍ଡ ଭାଙ୍ଗି ଦେବେ କାରଣ ଶୀତ ଋତୁରେ ମଧ୍ୟ ପର୍ଯ୍ୟଟକଙ୍କ ସଂଖ୍ୟା ବଢିଥିଲା। ଆଉ ବସନ୍ତ ଋତୁ ଆରମ୍ଭରେ ମଧ୍ୟ ଏଠାକୁ ବହୁ ସଂଖ୍ୟକ ପର୍ଯ୍ୟଟକ ଆସିଥିଲେ। ତେବେ ଏହି ସମୟରେ ମଧ୍ୟ ଏଠାରେ ଏକ ଲକ୍ଷରୁ ଅଧିକ ପର୍ଯ୍ୟଟକ ଉପସ୍ଥିତ ଥିଲେ ବୋଲି ବାବର ପ୍ରକାଶ କରିଛନ୍ତି।

 

Comments are closed.