Latest Odisha News

BREAKING NEWS

ବିବାଦରୁ ବିଶ୍ବାସ…ନିଟ୍ ଚ୍ୟାଲେଞ୍ଜ

ଭୁବନେଶ୍ବର: ନିଟ୍ ବିବାଦ, ଗ୍ରେସ୍ ମାର୍କ ରଦ୍ଦ । ଜୁନ୍ ୨୩ରେ ପୁଣି ପରୀକ୍ଷା। ୧୫୬୩ ପରୀକ୍ଷାର୍ଥୀଙ୍କ ଗ୍ରେସ ମାର୍କ ରଦ୍ଦ କରିଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ। ଏନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି। ଗ୍ରେସ ମାର୍କ ପାଇଥିବା ୧୫୬୩ ପରୀକ୍ଷାର୍ଥୀଙ୍କୁ ପୁଣି ପରୀକ୍ଷାରେ ବସିବାକୁ ବିକଳ୍ପ ଦିଆଯାଇଛି। ପରୀକ୍ଷାର୍ଥୀ ଚାହିଁଲେ ଜୁନ୍ ୨୩ରେ ପୁଣି ପରୀକ୍ଷା ଦେଇପାରିବେ, କିମ୍ବା ବିନା ଗ୍ରେସ୍ ମାର୍କରେ ପୁରୁଣା ସ୍କୋରକାର୍ଡ ସହ କାଉନସେଲିଂରେ ସାମିଲ ହୋଇପାରିବେ । ପୁଣି ପରୀକ୍ଷାରେ ଭଲ ପ୍ରଦର୍ଶନ କରିବାକୁ କନଫିଡେଣ୍ଟ ରହିଥିବା ଛାତ୍ରଛାତ୍ରୀ ଆଉ ଥରେ ପରୀକ୍ଷା ଦେଇପାରିବେ ।

କାଉନସେଲିଂ ଉପରେ ଲାଗିବନି ରୋକ୍

ଜୁନ୍ ୨୩ରେ ପରୀକ୍ଷା ହୋଇ ୩୦ତାରିଖରେ ରେଜଲ୍ଟ ବାହାରିବ। ତେବେ କାଉନସେଲିଂ ପାଇଁ ଯେଉଁ ସମୟ ଧାର୍ଯ୍ୟ କରାଯାଇଛି, ସେଥିରେ ପରିବର୍ତ୍ତନ ହେବନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏମବିବିଏସ୍, ବିଡିଏସ ଓ ଅନ୍ୟ ପାଠ୍ୟକ୍ରମ ପାଇଁ ଜୁଲାଇ ୬ତାରିଖରୁ କାଉନସେଲିଂ ହେବ । ଛାତ୍ରଛାତ୍ରୀଙ୍କ ମନରେ ଥିବା ଆଶଙ୍କା ଦୂର କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଏନଟିଏ କହିଛି । ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୮ତାରିଖରେ ହେବ ।

କାହିଁକି ନିଟ୍ ଫଳାଫଳ ବିବାଦ ?

ଦେଶର ଟପ୍ ମେଡିକାଲ କଲେଜରେ ନାମଲେଖା ପାଇଁ ହୁଏ ନିଟ୍-ୟୁଜି । ଗତ ମେ ୫ତାରିଖରେ ପରୀକ୍ଷା ହୋଇଥିଲା । ପୂର୍ବନିର୍ଦ୍ଧାରିତ ସମୟ ଅନୁସାରେ ପରୀକ୍ଷା ଫଳ ଜୁନ୍ ୧୪ତାରିଖରେ ପ୍ରକାଶ ପାଇବାର ଥିଲା । ତେବେ ଜୁନ୍ ୪ତାରିଖରେ ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ହେବା ଦିନ ହିଁ ନିଟ୍ ରେଜଲ୍ଟ ପ୍ରକାଶ ପାଇଥିଲା। ପରୀକ୍ଷାରେ ୬୭ଜଣ ପରୀକ୍ଷାର୍ଥୀ ଶତ ପ୍ରତିଶତ ମାର୍କ ଅର୍ଥାତ ୭୨୦ରୁ ୭୨୦ ମାର୍କ ରଖି ଟପ୍ପର ହେବା ଘଟଣା ସାମନାକୁ ଆସିବା ପରେ ବିବାଦ ହୋଇଥିଲା। ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ସହ ୧୫ଶହରୁ ଅଧିକ ପରୀକ୍ଷାର୍ଥୀଙ୍କୁ ଗ୍ରେସ୍ ମାର୍କ ପ୍ରଦାନ ବିରୋଧରେ ବିକ୍ଷୋଭ କରିଥିଲେ ଛାତ୍ରଛାତ୍ରୀ ।

କ’ଣ କହିଲେ ସୁପ୍ରିମକୋର୍ଟ ?

ନିଟ୍ ଫଳାଫଳ ବିବାଦକୁ ନେଇ ସୁପ୍ରିମକୋର୍ଟ ସହ ୭ଟି ହାଇକୋର୍ଟରେ ଆବେଦନ ହୋଇଥିଲା। ଅନିୟମିତତାର ତଦନ୍ତ ପାଇଁ ଏସଆଇଟି ଗଠନ ସହ ଯାଞ୍ଚ ଶେଷ ହେବା ପର୍ଯ୍ୟନ୍ତ କାଉନସେଲିଂ ଉପରେ କଟକଣା ଲାଗୁ କରିବାକୁ ଆବେଦନରେ କୁହାଯାଇଥିଲା। ନିଟ୍-ୟୁଜି ୨୦୨୪ ପରୀକ୍ଷା ବାତିଲ୍ କରିବା ପାଇଁ ହୋଇଥିବା ଆବେଦନର ଶୁଣାଣି କରି ମଙ୍ଗଳବାର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହାଦ୍ବାରା ପରୀକ୍ଷାର ପବିତ୍ରତା ପ୍ରଭାବିତ ହୋଇଛି । କେନ୍ଦ୍ର ସରକାର ଓ ଏନଟିଏକୁ ଜବାବ ମାଗିଥିଲେ ସର୍ବୋଚ୍ଚ କୋର୍ଟ।

କ’ଣ କହିଲେ ସରକାର?

ଗ୍ରେସ ମାର୍କ ପାଇଥିବା ୧୫୬୩ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ସମୀକ୍ଷା କରିବା ପାଇଁ ଏକ କମିଟି ଗଠନ କରାଯାଇଥିଲା। ପରୀକ୍ଷାରେ କମ୍ ସମୟ ମିଳିଥିବାରୁ ପରୀକ୍ଷାର୍ଥୀଙ୍କୁ ଗ୍ରେସ ମାର୍କ ଦିଆଯାଇଥିଲା । ତେବେ ସମୀକ୍ଷା ପରେ ଗ୍ରେସ ମାର୍କ ପାଇଥିବା ଛାତ୍ରଛାତ୍ରୀଙ୍କ ସ୍କୋରକାର୍ଡ ରଦ୍ଦ କରିବାକୁ କମିଟି ନିଷ୍ପତ୍ତି ନେଇଛି। ପରୀକ୍ଷାର୍ଥୀ ଚାହିଁଲେ ପୁଣି ପରୀକ୍ଷା ଦେଇପାରିବେ ବୋଲି କେନ୍ଦ୍ର ସରକାର ସର୍ବୋଚ୍ଚ କୋର୍ଟଙ୍କୁ କହିଛନ୍ତି । ସେପଟେ ପରୀକ୍ଷାରେ କୌଣସି ଅନିୟମିତତାକୁ ଅସ୍ବୀକାର କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

୧ଲକ୍ଷ ୯ହଜାର ସିଟ୍ ପାଇଁ ଚଳିତବର୍ଷ ସାରା ଦେଶରେ ପ୍ରାୟ ୨୪ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏହା ମଧ୍ୟରୁ ପ୍ରାୟ ୬୦ହଜାର ସିଟ୍ ସରକାରୀ ମେଡିକାଲ କଲେଜର ରହିଛି । ଘରୋଇ ମେଡିକାଲ କଲେଜରେ ମେଡିକାଲ ପାଠପଢା ବହୁତ ମହଙ୍ଗା ହୋଇଥିବାରୁ ସରକାରୀ କଲେଜରେ ସିଟ୍ ପାଇଁ ଜୋରଦାର ପ୍ରତିଯୋଗିତା ହୁଏ । ତେଣୁ ଡାକ୍ତର ହେବାକୁ ସ୍ବପ୍ନ ଦେଖୁଥିବା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ବିଶ୍ବାସ ଜିତିବାକୁ ହେଲେ ଏନଟିଏକୁ ପରୀକ୍ଷାରେ ସ୍ବଚ୍ଛତା ଆଣିବାକୁ ପଡିବ ।

Leave A Reply

Your email address will not be published.