Latest Odisha News

BREAKING NEWS

ନିଟ୍ ଅନିୟମିତତା: ଦୁଇ ଜଣଙ୍କୁ ଗିରଫ କଲା ସିବିଆଇ

ପାଟନା: ନିଟ୍ ପେପର୍ ଲିକ୍ ମାମଲାରେ ସିବିଆଇର କାର୍ଯ୍ୟାନୁଷ୍ଠାନ । ୨ ଜଣଙ୍କୁ ଗିରଫ କଲା ସିବିଆଇ। ବିହାରର ପାଟନାରୁ ଏହି ଦୁଇଜଣଙ୍କୁ ଗିରଫ କରିଛି ସିବିଆଇ। ଏହି ଦୁଇ ଜଣ ହେଉଛନ୍ତି ମନିଶ କୁମାର ଏବଂ ଆଶୁତୋଷ କୁମାର। ଗିରଫ ପରେ ଏମାନଙ୍କୁ କୋର୍ଟର ହାଜର କରିଛି ସିବିଆଇ।

ସୂଚନା ଅନୁସାରେ, ଏନ୍‌ଟିଏ (ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି) ଦ୍ବାରା ପରିଚାଳିତ ସ୍ନାତକ ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜି ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ବିବାଦ ଲାଗିରହିଥିବାବେଳେ କେନ୍ଦ୍ର ସରକାର ଏହି ମାମଲାର ତଦନ୍ତ ଭାର ସିବିଆଇକୁ ଦେଇଛନ୍ତି।ନିଟ୍‌-ୟୁଜି ପରୀକ୍ଷାରେ କେତେକ ଅନିୟମିତତା, କପି, ଜାଲିଆତି, ପ୍ରଶ୍ନପତ୍ର ପ୍ରଘଟ ଭଳି ଏକାଧିକ ଅଭିଯୋଗ ଆସିଛି। ଏହାକୁ ନେଇ ସାରା ଦେଶରେ ବ୍ୟାପକ ପ୍ରତିକ୍ରିୟା ପ୍ରକାଶ ପାଇଛି।

କହିରଖୁଛୁ ଯେ, ଗତ ମେ ୫ ତାରିଖରେ ଦେଶର ୪୭୫୦ଟି କେନ୍ଦ୍ରରେ ନିଟ୍-ୟୁଜି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପ୍ରାୟ ୨୪ ଲକ୍ଷ ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ। ଧାର୍ଯ୍ୟ ତାରିଖର ୧୦ ଦିନ ପୂର୍ବରୁ ଅର୍ଥାତ୍ ଜୁନ୍ ୪ ତାରିଖରେ ଫଳାଫଳ ପ୍ରକାଶ ପାଇଥିବା ବେଳେ ଏହାର କିଛି ଦିନ ପରେ ବିହାରରେ ନିଟ୍-ୟୁଜି ପେପର ଲିକ୍ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଏହି ମାମଲାରେ ପାଟନା ପୁଲିସ ୪ ଜଣ ପରୀକ୍ଷାର୍ଥୀଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି। ଗିରଫ ପ୍ରାର୍ଥୀମାନେ ଏକ ଲିଖିତ ସ୍ୱୀକାରୋକ୍ତିରେ କହିଛନ୍ତି ଯେ ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ସେମାନଙ୍କୁ ପ୍ରଶ୍ନପତ୍ର ପ୍ରଦାନ କରାଯାଇଥିଲା।

Comments are closed.