Latest Odisha News

BREAKING NEWS

ବିପର୍ଯ୍ୟସ୍ତ ଅବସ୍ଥାରେ ଡାକ୍ତରଖାନା

ରାଜଗାଙ୍ଗପୁର: ବିପର୍ଯ୍ୟସ୍ତ ଅବସ୍ଥାରେ ଡାକ୍ତରଖାନା । ରାଜଗାଙ୍ଗପୁର ଆଇଟି କଲୋନୀ ଠାରେ ରାଜ୍ୟ ସ୍ୱାସ୍ଥ୍ୟ ବୀମା କର୍ମାଚାରୀଙ୍କ ପାଇଁ ଏକ ଇଏସଆଇ ଡାକ୍ତରଖାନା ରହିଛି । ସରକାରଙ୍କ ବୈମାତୃକ ମନୋଭାବ ଯୋଗୁ ଜର୍ଜରିତ ଅବସ୍ଥାରେ ପଡିରହିଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୫ ହଜାର ପାଖାପାଖି ସ୍ୱାସ୍ଥ୍ୟ ବୀମା କର୍ମଚରୀ ବା ବୀମା ଧାରୀ ନିର୍ଭର କରୁଛନ୍ତି । ୭ ଜଣ ଡାକ୍ତର ବଦଳରେ ୨ ଡାକ୍ତର ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି । କେତେବେଳେ ଦୁଇ ଡାକ୍ତର ଛୁଟିରେ ରହିଲେ ଫାର୍ମାସିଷ୍ଟ ଡାକ୍ତର ଭୂମିକା ନିର୍ବାହ କରିଥାନ୍ତି ।

ରୋଗୀ ନେବା ଆଣିବା ପାଇଁ ଆମ୍ବୁଲାନ୍ସ ଅଛି କିନ୍ତୁ ଚାଳକ ନାହାନ୍ତି । ଅନ୍ୟ ପଟେ ରକ୍ଷଣାବେକ୍ଷଣ ଅଭାବ ଯୋଗୁ ସ୍ୱାସ୍ଥ୍ୟ କେନ୍ଦ୍ରର ଛାତ ଫାଟି ଆଁ କଲାଣି, ବର୍ଷା ହେଲେ ସ୍ୱାସ୍ଥ୍ୟ କେନ୍ଦ୍ରର ସବୁ ଗୃହ ଛାତରୁ ପାଣି ଗଳୁଛି । ବିପଦ ସଂକୁଳ ଅବସ୍ଥାରେ ଥିବା ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ କର୍ମଚରୀ ହେଲମେଟ ପିନ୍ଧି ଅଫିସରେ କାର୍ଯ୍ୟ କରୁଛନ୍ତି । ବର୍ଷା ଦିନେ ଫାଇଲ ପତ୍ର ଉପରେ ପ୍ଲାଷ୍ଟିକ ଢାଙ୍କିବାକୁ ପଡୁଛି। ଡାକ୍ତର କର୍ମଚାରୀ ସମୟରେ ଆସୁନାହାନ୍ତି ବୋଲି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀ ଅଭିଯୋଗ କରୁଛନ୍ତି।

ପ୍ରତିଦିନ ୨୫୦ ରୁ ଅଧିକ ବୀମା ଥିବା ରୋଗୀ ଆସୁଥିବା ବେଳେ ସେମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କିଛି ବର୍ଷ ପୂର୍ବେ ୫୦ ଲକ୍ଷର ଅନୁଦାନ ସ୍ୱାସ୍ଥ୍ୟ କେନ୍ଦ୍ରର ମରାମତି ପାଇଁ ଆସିଥିବା ବେଳେ ତାହା ଏ ପର୍ଯ୍ୟନ୍ତ ଫାଇଲ ଭିତରେ ଅଟକି ରହିଛି । କାରଖାନାରେ କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀଙ୍କ ଠାରୁ ଏସଆଇ ( ESI) ବାବଦରେ ସରକାର ପ୍ରତି ମାସ ଦରମା ରୁ ଟଙ୍କା କାଟୁଛନ୍ତି । କିନ୍ତୁ କର୍ମଚାରୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାରେ ଇଏସଆଇ ସ୍ୱାସ୍ଥ୍ୟ କେନ୍ଦ୍ର ବିଫଳ ହୋଇଛି ।

Comments are closed.