Latest Odisha News

BREAKING NEWS

ଦେଶରୁ ହଟାଇଦେବେ ଗାନ୍ଧୀ ନେହେରୁଙ୍କ ନାଁ!

ଭୁବନେଶ୍ୱର: ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ନାଁରେ ଦିଲ୍ଲୀରେ ଥିବା ନେହେରୁ ମେମୋରିଆଲ ନାଁ ପରିବର୍ତ୍ତନକୁ ନେଇ ରାଜନୀତି ଜୋର ଧରିଛି। କେନ୍ଦ୍ରର ବିଜେପି ସରକାରଙ୍କ ପକ୍ଷରୁ ନେହେରୁ ମେମୋରିଆଲକୁ ପରିବର୍ତ୍ତନ କରି ପିଏମ ମେମୋରିଆଲ କରିଦିଆଯାଇଛି।

ଏହି ନାଁ ପରିବର୍ତ୍ତନକୁ ନେଇ କଂଗ୍ରେସ କେନ୍ଦ୍ରକୁ ଟାର୍ଗେଟ କରିଛି। ଏହି ନାଁ ବଦଳାଇବା ବିଜେପିର ସଂକୀର୍ଣ୍ଣ ଓ ପ୍ରତିଶୋଧକୁ ଦର୍ଶାଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

ସେପଟେ କିନ୍ତୁ ନାମ ପରିବର୍ତ୍ତନ ପରେ ନେହେରୁ ମେମୋରିଆଲ ମ୍ୟୁଜିୟମ ଓ ଲାଇବ୍ରେରୀ ଏବେ ପ୍ରଧାନମନ୍ତ୍ରୀ ମ୍ୟୁଜିୟମ ଓ ସୋସାଇଟି ନାଁରେ ପରିଚୟ ପାଇବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନାମ ପରିବର୍ତ୍ତନ ନିଷ୍ପତ୍ତି ଉପରେ ମୋହର ଲାଗିଛି।

ରାଜନାଥ ସିଂ ନେହେରୁ ମେମୋରିଆଲ ମ୍ୟୁଜିୟମର ଉପାଧ୍ୟକ୍ଷ ଅଛନ୍ତି। ପ୍ରଧାନମନ୍ତ୍ରୀ ଏହାର ଅଧ୍ୟକ୍ଷ। ଏଥିସହିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ନିର୍ମଳା ସିତାରମଣ, ଧର୍ମେନ୍ଦ୍ର ପ୍ରଧାନ, ଅନୁରାଗ ଠାକୁରଙ୍କ ସମେତ ୨୯ ଜଣ ଏହାର ସଦସ୍ୟ ରହିଛନ୍ତି। ଏହି ମ୍ୟୁଜିୟମ ସହ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କର ବହୁ ସ୍ମୃତି ଜଡିତ ଅଛି।

ଇଂରେଜ ଶାସନ ସମୟରେ ତିନି ମୂର୍ତ୍ତି ଭବନ ଭାରତର କମାଣ୍ଡର ଇନ ଚିଫଙ୍କ ବାସଭବନ ଥିଲା। ନେହେରୁ ଯେତେବେଳେ ଭାରତର ପ୍ରଧାନମନ୍ତ୍ରୀ ହେଲେ ସେତେବେଳେ ତିନି ମୂର୍ତି ଭବନ ନେହେରୁଙ୍କର ବାସଭବନ ହେଲା।

ପଣ୍ଡିତ ନେହେରୁ ୧୬ ବର୍ଷ ଧରି ଏହି ଘରେ ରହିଥିଲେ। ଏପିରିକି ଏହି ସ୍ଥାନରେ ପଣ୍ଡିତ ନେହେରୁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏହା ପରେ ତିନି ମୂର୍ତି ଭବନକୁ ପଣ୍ଡିତ ନେହେରୁଙ୍କ ଉଦେଶ୍ୟରେ ସମର୍ପିତ କରାଯିବା ସହ ଏହା ପଣ୍ଡିତ ନେହେରୁ ମ୍ୟୁଜିୟମ ମେମୋରିଆଲ ନାଁ ରେ ଜଣାଶୁଣା।

ଏବେ କେନ୍ଦ୍ରର ବିଜେପି ସରକାର ପକ୍ଷରୁ ଏହାର ନାମ ବଦଳାଇ ପିଏମ ମ୍ୟୁଜିଅମ ଏବଂ ସୋସାଇଟି କରାଯାଇଛି। ତେଣୁ କଂଗ୍ରେସ ଏହାର ପ୍ରତିବାଦ କରିବା ସହ ଏହାକୁ ସଂକୀର୍ଣ୍ଣତା ବୋଲି ଟ୍ୱିଟ ମାଧ୍ୟମରେ କହିଛନ୍ତି ଜୟରାମ ରମେଶ।

ବିଗତ ୫୯ ବର୍ଷ ଧରି ନେହେରୁ ମେମୋରିଆଲ ମ୍ୟୁଜିୟମ ବହିର ଖଜାନା ବୋଲି କୁହାଯାଏ। ତେଣୁ ବିଶ୍ୱର ଏଭଳି ଏକ ପରିଚିତ ସ୍ଥାନର ନାଁ ପରିବର୍ତ୍ତନକୁ ତୀଵ୍ର ସମାଲୋଚନା କରିଛି ଦଳ।

ବିଜେପି କେନ୍ଦ୍ରରେ ଶାସନକୁ ଆସିବା ପରେ ପୂର୍ବରୁ ଦେଶର କିଛି ପ୍ରମୁଖ ସ୍ଥାନ ଓ ଅନୁଷ୍ଠାନର ନାଁ ପରିବର୍ତ୍ତନକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଏବେ ନେହେରୁ ମେମୋରିଆଲ ଭଳି ଏକ ପ୍ରମୁଖ ଅନୁଷ୍ଠାନର ନାଁ ପରିବର୍ତ୍ତନ ଦେଶବ୍ୟାପୀ ରାଜନୈତିକ ଚର୍ଚ୍ଚାକୁ ତୀଵ୍ର କରିଛି।

Leave A Reply

Your email address will not be published.