Latest Odisha News

BREAKING NEWS

ନେହେରୁ ମେମୋରିଆଲର ନାଁ ବଦଳାଇଲେ ମୋଦୀ ସରକାର, ତାତିଲା କଂଗ୍ରେସ

ନୂଆଦିଲ୍ଲୀ: ନେହେରୁ ମେମୋରିଆଲ୍ ମ୍ୟୁଜିୟମ୍ ଆଣ୍ଡ ଲାଇବ୍ରେରୀ (NMML)କୁ ବର୍ତ୍ତମାନ ପ୍ରାଇମ ମିନିଷ୍ଟର ମ୍ୟୁଜିୟମ ଆଣ୍ଡ ସୋସାଇଟି (PMMS) କୁହାଯିବ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସରକାରୀ ବାସଭବନ ଭାବରେ କାର୍ଯ୍ୟ କରୁଥିବା ତିନ୍ ମୁର୍ତ୍ତୀ ପରିସରରେ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟର ଉଦ୍‌ଘାଟନ କରିବାର ପ୍ରାୟ ଏକ ବର୍ଷ ପରେ କଂଗ୍ରେସ ନେତାଙ୍କ ନାମ ଉକ୍ତ ପରିସରରୁ ହଟାଇ ଦିଆଯାଇଛି। ସେପଟେ ଏନେଇ ପୂର୍ବ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ମନୀଷ ତିୱାରୀ ମୋଦୀ ସରକାର ଉପରେ ବର୍ଷିଛନ୍ତି।

BjdElectrycity

ଗୁରୁବାର ଏନଏମଏମଏଲ ସୋସାଇଟିର ଏକ ସ୍ୱତନ୍ତ୍ର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଯାହାର ଅଧ୍ୟକ୍ଷତା କରିଥିଲେ ସୋସାଇଟିର ଉପାଧ୍ୟକ୍ଷ ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ନେହେରୁ ମେମୋରିଆଲ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ ସୋସାଇଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗଠିତ ହୋଇଛି। ଏହାର ୨୯ ସଦସ୍ୟଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା, ନିର୍ମଳା ସୀତାରମଣ, ଧର୍ମେନ୍ଦ୍ର ପ୍ରଧାନ, ଜି କିଶନ ରେଡ୍ଡୀ, ଅନୁରାଗ ଠାକୁର ଅଛନ୍ତି। ଏଡୱିନ୍ ଲୁଟିନ୍ସ ରୟାଲ୍ କ୍ୟାପିଟାଲ୍‌ର ଅଂଶ ଭାବେ ୧୯୨୯-୩୦ ରେ ନିର୍ମିତ ‘ତିନ୍ ମୁର୍ତ୍ତୀ ହାଉସ’ ଭାରତରେ କମାଣ୍ଡର-ଇନ୍-ଚିଫଙ୍କ ସରକାରୀ ବାସଭବନ ଥିଲା। ଅଗଷ୍ଟ ୧୯୪୮ ରେ ଏହା ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସରକାରୀ ବାସଭବନରେ ପରିଣତ ହୋଇଥିଲା। ୨୭ ମଇ ୧୯୬୪ ରେ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ଅର୍ଥାତ୍ ସେ ଏଠାରେ ୧୬ ବର୍ଷ ପର୍ଯ୍ୟନ୍ତ ରହିଥିଲେ।

ଏହାର ତୁରନ୍ତ ପରେ ତତ୍କାଳୀନ ସରକାର ନିଷ୍ପତ୍ତି ନେଇଥିଲେ ଯେ ତିନ୍ ମୁର୍ତ୍ତୀ ହାଉସ ଜବାହରଲାଲ ନେହେରୁଙ୍କୁ ଉତ୍ସର୍ଗ କରାଯିବା ଉଚିତ ଏବଂ ଏଥିରେ ସଂଗ୍ରହାଳୟ ଏବଂ ଲାଇବ୍ରେରୀ ରହିବା ଉଚିତ। ୧୪ ନଭେମ୍ବର ୧୯୬୪ରେ, ନେହେରୁଙ୍କ ୭୫ତମ ଜନ୍ମ ବାର୍ଷିକୀରେ ତତ୍କାଳୀନ ରାଷ୍ଟ୍ରପତି ଏସ୍. ରାଧାକୃଷ୍ଣନ୍ ତିନ୍ ମୁର୍ତ୍ତୀ ଭବନକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ ଏବଂ ନେହେରୁ ମେମୋରିଆଲ୍ ସଂଗ୍ରହାଳୟର ଉଦଘାଟନ କରିଥିଲେ। ଦୁଇ ବର୍ଷ ପରେ ଅନୁଷ୍ଠାନ ପରିଚାଳନା ପାଇଁ NMML ସୋସାଇଟି ପ୍ରତିଷ୍ଠା କରାଗଲା ଏବଂ ସେବେଠାରୁ ଏହା ଏପରି ରହିଆସିଥିଲା।

ତେବେ ୨୦୧୬ ରେ ପିଏମ ମୋଦୀ ଉକ୍ତ ପରିସରରେ ଭାରତର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ପାଇଁ ଉତ୍ସର୍ଗୀକୃତ ସଂଗ୍ରହାଳୟ ସ୍ଥାପନ କରିବାର ସଂକଳ୍ପ ନେଇଥିଲେ। କଂଗ୍ରେସର ବିରୋଧ ସତ୍ତ୍ୱେ ନେହେରୁ ମେମୋରିଆଲ୍ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ ପରିସରକୁ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଭାବେ ନିର୍ମାଣ କରାଗଲା। ଏହାକୁ ୨୧ ଏପ୍ରିଲ୍ ୨୦୨୨ ରେ ପ୍ରଧାନମନ୍ତ୍ରୀ ମୋଦୀ ଉଦ୍‌ଘାଟନ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ମଧ୍ୟ ପିଏମ ମୋଦୀଙ୍କୁ ଏକ ଚିଠି ଲେଖି ଏନଏମଏମଏଲ ଏବଂ ତିନ୍ ମୁର୍ତ୍ତୀ ପରିସରର “ପ୍ରକୃତି ଏବଂ ଚରିତ୍ର ବଦଳାଇବା” ର ଏଜେଣ୍ଡାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ତେବେ ଏହି ପ୍ରାଇମ ମିନିଷ୍ଟର ମ୍ୟୁଜିୟମ ଆଣ୍ଡ ସୋସାଇଟିର ଏକ ନୂତନ ପରିସରରେ ସ୍ୱାଧୀନ ଭାରତର ଅନ୍ୟ ୧୩ ପ୍ରଧାନମନ୍ତ୍ରୀଙ୍କ କାହାଣୀ ରହିଛି ଯେଉଁଥିରେ ଏହି ସମସ୍ତ ପ୍ରଧାନମନ୍ତ୍ରୀ ବିଭିନ୍ନ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ସତ୍ତ୍ୱେ ସେମାନେ ଦେଶକୁ କିପରି ମାର୍ଗଦର୍ଶନ କରିଥିଲେ ତାହା ଦର୍ଶାଯାଇଛି।

Leave A Reply

Your email address will not be published.