Latest Odisha News

BREAKING NEWS

ଜାତିପ୍ରଥା ସାଜିଲା ବାଧକ: ଅନ୍ୟ ଜାତିରେ ଝିଅ ବାହା ହୋଇଥିବାରୁ ଶବ ଛୁଇଁଲେନି ପଡ଼ୋଶୀ

ନବରଙ୍ଗପୁର: ହଜିଗଲା ମାନବିକତା । ମୃତ ମହିଳାଙ୍କ ଶବକୁ ମିଳିଲାନି ସମ୍ପର୍କୀୟଙ୍କ କାନ୍ଧ । ମୃତ୍ୟୁ ପରେ ବି ପିଛା ଛାଡ଼ିଲାନି ଜାତିପ୍ରଥା । ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପରଜାବାରଙ୍ଗପଦର ପଞ୍ଚାୟତର ଖାତିଗୁଡା ଗାଁରେ । ଝିଅ ଅନ୍ୟ ଜାତିରେ ବିବାହ କରିଥିବାରୁ ମା’ ମୃତଦେହକୁ କାନ୍ଧ ଦେବାକୁ ଆସିଲେନି ଗ୍ରାମବାସୀ। ୧୧ ଘଣ୍ଟା ମୃତଦେହ ପଡ଼ିରହିବା ପରେ ସମାଜସେବୀ ଯୁବକ ମାନଙ୍କ ସହାୟତାରେ ଶବ ସତ୍କାର କରାଯାଇଛି l

ସୂଚନା ଅନୁସାରେ, ଖାତିଗୁଡା ଗ୍ରାମରେ ରହୁଥିବା ବିଧବା ମହିଳା ଲକ୍ଷ୍ମୀ ପାତ୍ରଙ୍କ ଝିଅ ଯମୁନା ପାତ୍ର ପାଇକ ଜାତିର ହୋଇଥିବା ବେଳେ ପ୍ରାୟ ପାଞ୍ଚବର୍ଷ ତଳେ ହରିଜନ ସମ୍ପ୍ରଦାୟର ପିତାମ୍ବର ହରିଜନକୁ ଭଲପାଇ ବିବାହ କରିଥିଲେ। ଯାହାକୁ ନିଜ ଜାତିର ଲୋକେ ବିରୋଧ କରୁଥିଲେ । ଗତକାଲି ରାତି ନବରଙ୍ଗପୁର ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଲକ୍ଷ୍ମୀଙ୍କର ମୃତ୍ୟୁ ହୋଇଥିଲା । ଝିଅ ଯମୁନା ମା’ର ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ଘରକୁ ଆଣିଥିଲେ । କିନ୍ତୁ ଯମୁନା ଅଜାତିରେ ବାହା ହୋଇଥିବାରୁ ଲକ୍ଷ୍ମୀଙ୍କ ଶବକୁ ସମ୍ପର୍କୀୟମାନେ ଛୁଇଁ ନଇଥିଲେ । ପ୍ରାୟ ୧୧ ଘଣ୍ଟା କାଳ ଶବଟି କାନ୍ଧ ଅପେକ୍ଷାରେ ପଡି ରହିରହିଥିଲା । ସ୍ଥାନୀୟ ପରଜାବାରଙ୍ଗପଦର ପୂର୍ବତନ ଜିଲ୍ଲା ପରିଷଦ ସଦା ଜାନି ଘଟଣାସ୍ଥଳକୁ ଆସି ସମ୍ପର୍କୀୟଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ।

ସ୍ଥାନୀୟ ସରପଞ୍ଚ ବନ୍ଦିତା ନାୟକ ଏବଂ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ ପାଣିଗ୍ରାହୀ ଏ ସମ୍ପର୍କରେ ଖବର ପାଇଥିଲେ। ସରପଞ୍ଚଙ୍କ ସ୍ବାମୀ ତଥା ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସଦାଶିବ ଜାନି, ସମାଜସେବୀ ସୁଶାନ୍ତ ବେହେରା, ପ୍ରମୁଖ ପହଞ୍ଚିଥିଲେ l ସରପଞ୍ଚଙ୍କ ସ୍ବାମୀ ଏବଂ କୃପାନିଧି ରାଉତ, ବୃଦ୍ଧାଙ୍କ ପୁଅ ଏବଂ ଜଣେ ସମ୍ପର୍କୀୟ ବୃଦ୍ଧାଙ୍କୁ କାନ୍ଧ ଦେଇଥିଲେ। ଇନ୍ଦ୍ରାବତୀ ନଦୀ କୂଳରେ ବୃଦ୍ଧାଙ୍କ ଶବ ସତ୍କାର ହୋଇଥିଲା।

Comments are closed.