Latest Odisha News

BREAKING NEWS

ଅଙ୍କୁର ତରଫରୁ ‘ପକ୍ଷୀ ପାଇଁ ବସାଟିଏ’ କାର୍ଯ୍ୟକ୍ରମ

ଭୁବନେଶ୍ୱର: ବ୍ୟାପକ ସହରୀକରଣ ଓ କଂକ୍ରିଟ ବଳୟ ଭିତରେ ପକ୍ଷୀମାନଙ୍କ ପାଇଁ ବସା ବାନ୍ଧିବାର ସୁଯୋଗ ସଙ୍କୁଚିତ ହୋଇ ଚାଲିଛି । ପକ୍ଷୀମାନଙ୍କୁ ସୁରକ୍ଷିତ ଭାବରେ ବସା ବାନ୍ଧି ରହିବାର ସୁଯୋଗ ସୃଷ୍ଟି କରିବାକୁ ରାଜଧାନୀର ପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ ‘ଅଙ୍କୁର ଫାଉଣ୍ଡେସନ’ ତରଫରୁ ‘ପକ୍ଷୀ ପାଇଁ ବସାଟିଏ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଆଇଆରସି ଭିଲେଜ ସ୍ଥିତ ବିଏମସି ପାର୍କରେ ଆୟୋଜିତ ଏହି ଅଭିନବ କାର୍ଯକ୍ରମକୁ ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ ଉଦଘାଟନ କରିଥିଲେ । ପକ୍ଷୀଙ୍କୁ ସୁରକ୍ଷିତ ଆବାସ ଦେବା ଲାଗି ଏହି ଯୋଜନା ସମସ୍ତଙ୍କ ଲାଗି ଅନୁକରଣୀୟ ହେବା ଉଚିତ ବୋଲି କହିଥିଲେ ମେୟର ।

ଉତ୍ସବର ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଶାସନ ସଚିବ ମଧୁସୂଦନ ଦାସ ଏହି କାର୍ଯକ୍ରମ ପରିବେଶ ସୁରକ୍ଷା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି କହିଥିଲେ । ଆଗାମୀ ଦିନରେ ପକ୍ଷୀଙ୍କ ବସା ଓ ଆହାର ଯୋଗାଇବାକୁ ରାଜଧାନୀର ବିଭିନ୍ନ ପାର୍କରେ ଏହି କାର୍ଯକ୍ରମକୁ ସମ୍ପ୍ରସାରିତ କରାଯିବ ବୋଲି ଅଙ୍କୁର ଫାଉଣ୍ଡେସନର ପ୍ରତିଷ୍ଠାତା ସମ୍ପାଦିକା ଚିନ୍ମୟୀ ପଣ୍ଡା କହିଥିଲେ ।

ରାଜଧାନୀ ସମେତ ରାଜ୍ୟରେ ଏହାକୁ ଏକ ଜନ ଆନ୍ଦୋଳନର ରୂପ ଦେବାକୁ ଆମେ ପ୍ରୟାସ କରିବୁ ବୋଲି ଶ୍ରୀମତୀ ପଣ୍ଡା ଏହି ଅବସରରେ ଘୋଷଣା କହିଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ମାନସୀରାଣୀ ସୁନ୍ଦରରାୟ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ଥାନୀୟ ଅଞ୍ଚଳର ଅନେକ ବରିଷ୍ଠ ନାଗରିକ ଓ ସଂଗଠକ ଏଥିରେ ଭାଗ ନେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅୟସ୍କାନ୍ତ ମିଶ୍ର, ସୁମିତ୍ରା ପାଢୀ ପ୍ରମୁଖ ସହଯୋଗ କରିଥିଲେ ।

Comments are closed.