Latest Odisha News

BREAKING NEWS

ସୋଲ ଶିଳ୍ପ ପରମ୍ପରା

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର”

ଓଡ଼ିଶାର ପ୍ରାୟ ସମସ୍ତ ପାରମ୍ପରିକ ହସ୍ତଶିଳ୍ପଗୁଡ଼ିକ ଶ୍ରୀମନ୍ଦିରର ରୀତିନୀତି ସହିତ ବହୁଳ ଭାବେ ସମ୍ପୃକ୍ତ । ଶ୍ରୀକ୍ଷେତ୍ର ହିଁ ଏହି ହସ୍ତଶିଳ୍ପଗୁଡ଼ିକର ଷଠୀଘର ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଶ୍ରୀମନ୍ଦିରରେ ପାଳିତ ସମସ୍ତ ଜାନିଯାତ୍ରା, ପର୍ବପର୍ବାଣୀରେ ବ୍ୟବହୃତ ସାଜସଜ୍ଜା ଉପକରକଣଗୁଡ଼ିକ ସ୍ଥାନୀୟ ହସ୍ତଶିଳ୍ପୀମାନଙ୍କ ଦ୍ୱାରା ନିର୍ମିିତ ହୋଇଥାଏ । ବହୁ ପୂର୍ବରୁ ଏହି ଶିଳ୍ପୀମାନେ ନିୟମିତ ଅଭ୍ୟାସ ଦ୍ୱାରା ଏହି ପରମ୍ପରାକୁ ଜୀବିତ ରଖିବାରେ ସଫଳ ହୋଇଛନ୍ତି । ରୂପକାରଙ୍କ ଦ୍ୱାରା କାଠ ଖୋଦେଇ, ଚିତ୍ରକାରଙ୍କ ଅଙ୍କିତ ପଟଚିତ୍ର ଓ ତାଳପତ୍ର ଖୋଦେଇ, ଦରଜୀଙ୍କ ଦ୍ୱାରା ଚାନ୍ଦୁଆ କାମ ସିଲେଇ, କୁମ୍ଭକାରଙ୍କ ମୃଣ୍ମୟ ଶିଳ୍ପ ଓ ସୋଲ ଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ,ଏହି ପାରମ୍ପରିକ ଶିଳ୍ପର ଅନ୍ତର୍ଭୁକ୍ତ । ଏଥି ମଧ୍ୟରୁ ସୋଲ ଶିଳ୍ପର ବ୍ୟବହାର ଅନେକ ସ୍ୱତନ୍ତ୍ର ଦିନମାନଙ୍କରେ ହୋଇଥାଏ ।

 

ଚତୁର୍ଦ୍ଧା ମୂର୍ତ୍ତିଙ୍କଠାରେ ହେଉଥିବା ଅନେକ ବେଶ ଯଥା ପଦ୍ମବେଶ, ହାତୀ ବେଶ, ଗଜଉଦ୍ଧାରଣ ବେଶ, ପ୍ରଳମ୍ବାସୁର ବଧ ବେଶ ଓ କାଳିୟ ଦଳନ ବେଶ ଇତ୍ୟାଦି ଅବସରରେ ଲାଗୁଥିବା ଉପକରଣ, ଝୁଲଣଯାତ୍ରାରେ ବିଭିନ୍ନ ରୂପସଜ୍ଜା ଓ ଅଳଙ୍କରଣ ଆଦିରେ ଏହି ଶିଳ୍ପଯାତ ସାମଗ୍ରୀ ବହୁଳ ଭାବରେ ବ୍ୟବହୃତ । ସେଥି ମଧ୍ୟରୁ ସ୍ନାନଯାତ୍ରାରେ ହାତୀ ବେଶରେ ଲାଗୁଥିବା ସାଜ ତଥା ସର୍ବୋପରି ସ୍ନାନପୂର୍ଣ୍ଣିମାଠାରୁ ଆରମ୍ଭ କରି ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଦାରୁବିଗ୍ରହଙ୍କ ପହଣ୍ଡି ଲୀଳାରେ ଲାଗି ହେଉଥିବା ସୁଦୃଶ୍ୟ ଟାହିଆ, ଏହି ଶିଳ୍ପର ସର୍ବୋତ୍ତମ ନମୁନା । ଏହା ବ୍ୟତୀତ ଅନ୍ୟ ଉତ୍ସବରେ ମଧ୍ୟ ସୋଲ ପ୍ରସ୍ତୁତ ବିିଭିନ୍ନ ଉପକରଣ ବହୁଳ ଭାବେ ବ୍ୟବହୃତ ହୋଇଥାଏ । ସୂକ୍ଷ୍ମତା ଏହାର ଆଧାର ଏବଂ କାରିଗରର ଧୈର୍ଯ୍ୟ ଓ ଅଧ୍ୟବସାୟ ବଳରେ ଏହି ଶିଳ୍ପର କାରୁକାର୍ଯ୍ୟରେ ସୌନ୍ଦର୍ଯ୍ୟ ଫୁଟି ଉଠିଥାଏ ।

ଶ୍ରୀମନ୍ଦିରରେ ଏହି ସେବା ପାଇଁ ନିର୍ଦ୍ଦିଷ୍ଟ ଭାବେ କୌଣସି ବର୍ଗର ସେବକ ନିଯୁକ୍ତନଥିଲେ ମଧ୍ୟ ଏହି କାର୍ଯ୍ୟ ସାମୟିକ ସେବକଙ୍କ ଦ୍ୱାରା ଏହି ଆକର୍ଷଣୀୟ ଉତ୍ପାଦଗୁଡ଼ିକ ବିପୁଳ କଳାତ୍ମକ ପାରଦର୍ଶିତା ସହ ସମ୍ପନ୍ନ ହୋଇଥାଏ । ଗୁରୁଙ୍କଠାରୁ ଜଣେ ଶିଷ୍ୟ ମୌଳିକ ଶିକ୍ଷାଲାଭ କରିବା ପରେ ନିଜର ସୃଜନଶୀଳତା ତଥା ଅଭ୍ୟାସ ଓ ଅନୁଭୂତିର ଆଧାରରେ ଏହି କାର୍ଯ୍ୟ ସମ୍ପାଦନ କରିଥାଆନ୍ତି । ତେବେ ଭକ୍ତି ଓ ବିପୁଳ ସମର୍ପଣ ଭାବ ଦ୍ୱାରା ସଫଳତା ହାସଲ କରିବା ସମ୍ଭବ ହୋଇଥାଏ । କେବଳ ଜରି, ସୋଲ, ସୂତା, ପଇତା, କଦଳୀ ପଟୁକା, କାଗଜ ଓ ଅଠାର ବ୍ୟବହାରରେ ବିିଭିନ୍ନ ଆକୃତିର ନମୁନା ଓ ଅବୟବ ସୃଷ୍ଟି କରି ଶିଳ୍ପୀମାନେ ଏହି
ପାରମ୍ପରିକ ଶିଳ୍ପକୁ ବଞ୍ଚାଇ ରଖି ଆସିଛନ୍ତି । ଏହି ସେବା ପଞ୍ଜିକୃତ ସେବା ନ ହୋଇଥିଲେ ମଧ୍ୟ ଅନେକ ସେବାୟତ ବର୍ଗର ବ୍ୟକ୍ତି ଏହି ସେବାରେ ପେଶାଦାର ଶିଳ୍ପକାର ଭାବରେ କାର୍ଯ୍ୟ କରି ଆସୁଛନ୍ତି । ମୁଖ୍ୟତଃ ଗୋଚ୍ଛିକାର, ପୁଷ୍ପାଳକ, ସିଂହାରୀ, ପ୍ରତିହାରୀ, ପଣ୍ଡା, ରଣା, ଦୀକ୍ଷିିତ, ପ୍ରଭୃତି ସେବାୟତ ବର୍ଗର ଶିଳ୍ପୀମାନେ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଅନେକ ଚିତ୍ରକାର ବର୍ଗର ଶିଳ୍ପୀ ମଧ୍ୟ ସୋଲ ଶିଳ୍ପରେ ପାରଙ୍ଗମ ରହିଥିବାର ଜଣାଯାଏ ମାତ୍ର ଯୁବବର୍ଗର ଶିଳ୍ପୀମାନଙ୍କଠାରେ ଏହି ଶିଳ୍ପର ଅଭ୍ୟାସ ପାଇଁ ବିଶେଷ ଆଗ୍ରହ ରହିନଥିବା ଦେଖାଯାଏ । ଏଣୁ ଶିଳ୍ପର ନିୟମିତ ଉତ୍ପାଦନ ପାଇଁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନମୂଳକ ପଦକ୍ଷେପ ନିଆଯିବା ଜରୁରୀ ।

ହସ୍ତଶିଳ୍ପର ବିକାଶ ସହିତ କାଳକ୍ରମେ ଜରି ଓ ସୋଲ ପ୍ରସ୍ତୁତ ଅନେକ ବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟ ଦେଖିବାକୁ ମିଳେ । ବିବାହ, ବ୍ରତ ଇତ୍ୟାଦିରେ ବ୍ୟବହୃତ ମକୁଟ ଏହି
ଶିଳ୍ପର ଅନ୍ୟତମ ଉତ୍ପାଦ ଅଟେ । ବହୁ ଗ୍ରାମାଞ୍ଚଳରେ ଏହି ମକୁଟ ତିଆରି କରି ଅନେକ କାରିଗର ଜୀବିକା ନିର୍ବାହ କରୁଥିବାର ଜଣାଯାଏ । ଏହାଛଡ଼ା ରାକ୍ଷୀ ଓ
ସଭା ସମିତିରେ ବ୍ୟବହୃତ ସୁନ୍ଦର ବ୍ୟାଚ ସହିତ ଆହୁରି ଅନେକ ଉପହାର ଭଳି ଆକର୍ଷଣୀୟ ସାମଗ୍ରୀ ପ୍ରସ୍ତୁତ ହେଉଅଛି । ସୋଲ ଏକ ଜଳଜାତ ପ୍ରାକୃତିକ ଉତ୍ପାଦ । ବର୍ଷାଦିନରେ ପାଣି ଜମି କିଛି ନିର୍ଦ୍ଦିଷ୍ଟ ପରିବେଶରେ ରହିଲେ ସେଥିରେ ସମ୍ପୂର୍ଣ୍ଣ ଜୈବିକ ଉପାୟରେ ଏହା ବିକଶିତ ହୋଇଥାଏ । ଶୀତ ଋତୁର ପ୍ରାରମ୍ଭରେ ଏହି ତନ୍ତୁ ଜାତୀୟ ଫସଲକୁ ଅମଳ କରାଯାଏ । ଏବେ ବାୟୂମଣ୍ଡଳର ଉତ୍ତାପ ମାତ୍ରା ବୃଦ୍ଧି ପାଇବାରୁ ଏବଂ ଋତୁଚକ୍ରରେ ପରିବର୍ତ୍ତନ ଆସିବାରୁ ସୋଲ ଉତ୍ପାଦନ ପ୍ରକ୍ରିୟାରେ ବ୍ୟତିକ୍ରମ ଲକ୍ଷ୍ୟ କରାଯାଏ । ଫଳରେ ସୋଲ ଉପରେ ନିର୍ଭରଶୀଳ କାରିଗରମାନେ ନିରୁତ୍ସାହିତ ହେବା ସ୍ୱାଭାବିକ ।

ହାତୀ ବେଶ :
ସୋଲ କାମର ଶିଳ୍ପୀମାନଙ୍କ ଦ୍ୱାରା ନିର୍ମିତ ଶ୍ରୀଜୀଉଙ୍କ ହାତୀ ବେଶ ସାଜ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସ୍ନାନ ପୂର୍ଣ୍ଣମୀ ଦିନ ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଯେଉଁ ହାତୀବେଶ ଅନୁଷ୍ଠିତ ହୁଏ ସେଥିରେ ଜରିସୋଲ ପ୍ରସ୍ତୁତ ବେଶ ସାଜ ଅନେକ ଆକର୍ଷଣୀୟ ହୋଇଥାଏ । ଏହି ବେଶରେ ଶ୍ରୀ ବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କୁ ପ୍ରାୟ ବାର ହାତ ଉଚ୍ଚତା
ବିଶିଷ୍ଟ ଏକ ହାତୀ ସଦୃଶ୍ୟ ମୁଖା ଭଳି ଆକାରର ସାଜ ଲାଗି କରାଯାଉଥିବା ବେଳେ ମା’ ସୁଭଦ୍ରାଙ୍କୁ ସୋଲ ନିର୍ମିତ ଛତି, ତରାସ ଓ ଚିତା ନାକଚଣା ଏବଂ ଶ୍ରୀ ସୁଦର୍ଶନଙ୍କୁ ଏକ ନୀଳଚକ୍ର, ଓ ଛତି ଲାଗି କରାଯାଇଥାଏ । ହାତୀ ବେଶର ଆକାର ଦୃଷ୍ଟିରୁ ଏହାକୁ କେତେଗୁଡ଼ିଏ ଭାଗରେ ପ୍ରସ୍ତୁତ କରି ଶେଷରେ ଯୋଡ଼ାଯାଏ । ଏହା ଦ୍ୱାରା ସାଜ ମଜବୁତ ରହେ । ହାତୀ ବେଶ ସାଜର ବିଭିନ୍ନ ଉପାଶଂଗୁଡ଼ିକର ନାମ ଉପରୁ ତଳକୁ ଏହିପରି, ଯଥା: ହାଣ୍ଡିଆ, ତୋରଣା, ସାନ ତରାସ, ବଡ଼ ତରାସ, କରପଲ୍ଲବ, ପାନ ଓ ଥାଡ଼ । ଅଧର, ଗଜଖମ୍ବ, ଚିତା, ନାକୁଆସି ଇତ୍ୟାଦି । ଶ୍ରୀମୁଖର ଆଖି ସ୍ଥାନଟି ଫାଙ୍କ ରହି ମହାପ୍ରଭୁଙ୍କ ଚକା ଆଖି ଖାପ ଖାଇ ବେଶରେ ସାଜ ଲାଗିହୁଏ ।

ଏହି ସାଜ ପ୍ରସ୍ତୁତିରେ ପଇତା ସୂତା ଓ କଦଳୀ ପଟୁକା ବ୍ୟତୀତ ଅନ୍ୟ କୌଣସି ସୂତା ଲାଗେ ନାହିଁ ଏବଂ ଯୋଡ଼ିବା ପାଇଁ କେବଳ କଇଁଥ ଅଠା ବ୍ୟବହାର କରାଯାଏ । ଶ୍ରୀ ବଳଭଦ୍ରଙ୍କ ବେଶ ସାଜ ଗୋପାଳ ତୀର୍ଥ ମଠ ସୌଜନ୍ୟରୁ ଆସୁଥିଲା । ମାତ୍ର ୨୦୧୫ ନବକଳେବର ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଏହି ମଠକୁ ନିଜ ମାଲିକାନାକୁ ଆଣିବା ପରେ ଏହାର ସମସ୍ତ ଖର୍ଚ୍ଚ ବହନ କରୁଛନ୍ତି । ଶ୍ରୀ ଜଗନ୍ନାଥଙ୍କ ସାଜ ରାଘବ ଦାସ ମଠ ପକ୍ଷରୁ ପ୍ରସ୍ତୁତ ହେଇଥାଏ ।

 

କୁଣ୍ଢେଇବେଣ୍ଟ ସାହି, ପୁରୀ
ମୋ: ୯୪୩୭୧୬୬୩୬୯

Leave A Reply

Your email address will not be published.