ନୂଆଦିଲ୍ଲୀ: ଇସ୍ରାଏଲୀ ସେନା ଗାଜା ଷ୍ଟ୍ରିପର ନାସେର ହସ୍ପିଟାଲ ଉପରେ ଦୁଇଥର ଆକ୍ରମଣ କରିଥିଲା। ଯେଉଁଥିରେ ପାଞ୍ଚ ଜଣ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିସହିତ ହସ୍ପିଟାଲର ଅନେକ ସ୍ୱାସ୍ଥ୍ୟ କର୍ମୀ ଏବଂ ଉଦ୍ଧାରକାରୀ ଦଳ ମଧ୍ୟ ପ୍ରାଣ ହରାଇଛନ୍ତି। ମୃତ୍ୟୁବରଣ କରିଥିବା ସାମ୍ବାଦିକ ମାନେ ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂଗଠନ ପାଇଁ କାମ କରୁଥିଲେ।
ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖାଯାଉଛି ଯେ ଇସ୍ରାଏଲର ପ୍ରଥମ ବୋମାମାଡ଼ ପରେ ସେଠାରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଥିଲା। ଏଥିସହିତ ସ୍ୱାସ୍ଥ୍ୟ କର୍ମୀ ଏବଂ ସାମ୍ବାଦିକଙ୍କ ଏକ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଏହି ସମୟରେ ଇସ୍ରାଏଲ ପୁଣି ଥରେ ବୋମାମାଡ଼ କରିଥିଲା।
ତେବେ ଇସ୍ରାଏଲର ଏପରି ଆକ୍ରମଣ ବର୍ତ୍ତମାନ୍ ସମଗ୍ର ବିଶ୍ୱକୁ ଚକିତ କରିଦେଇଛି।
ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ଏହାକୁ ଏକ “ଭୟଙ୍କର ହତ୍ୟା” ବୋଲି କହିବା ସହ ଏହାର ତୁରନ୍ତ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଚାରି ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ମଧ୍ୟ ହତ୍ୟା କରାଯାଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ସୂଚନା ଦିଆଯାଇଛି। ଗାଜାରେ ଶିଶୁମାନଙ୍କର କ୍ଷୁଧା ଏବଂ ଦୁଃଖଦ ଘଟଣାକୁ ବିଶ୍ୱ ସମ୍ମୁଖରେ ପହଞ୍ଚାଉଥିବା ସାମ୍ବାଦିକ ମାନଙ୍କର ସ୍ୱରକୁ ଏହିପରି ଭାବରେ ନୀରବ କରାଯାଉଥିବା ନେଇ UNRWA ମୁଖ୍ୟ ଫିଲିପ୍ ଲାଜାରିନି କହିଛନ୍ତି। ବ୍ରିଟିଶ ବୈଦେଶିକ ମନ୍ତ୍ରୀ ଡେଭିଡ୍ ଲାମି ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ମଧ୍ୟ ଏହାର କଡା ନିନ୍ଦା କରିଛନ୍ତି।
ଏହି ଘଟଣା ପରେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏହାକୁ ଏକ ‘ଦୁଃଖଦ ଦୁର୍ଘଟଣା’ ବୋଲି କହିବା ସହ ସାମରିକ ଅଧିକାରୀମାନଙ୍କୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ସୂଚନା ଦେଇଛନ୍ତି। ଅକ୍ଟୋବର ୨୦୨୩ ପରେ ଗାଜାରେ ଆରମ୍ଭ ହୋଇଥିବା ଯୁଦ୍ଧରେ ଏପର୍ଯ୍ୟନ୍ତ ପ୍ରାୟ ୨୦୦ରୁ ଅଧିକ ସାମ୍ବାଦିକଙ୍କ ମୃତ୍ୟୁ ହୋଇସାରିଥିବା ରିପୋର୍ଟରୁ ଜଣାପଡ଼ିଛି। ଅପରପକ୍ଷରେ ଗାଜାରେ ହମାସ ନିୟନ୍ତ୍ରିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮ ଜଣଙ୍କ ମୃତଦେହ ହସ୍ପିଟାଲରେ ପହଞ୍ଚିଥିବାବେଳେ ଡଜନ ଡଜନ ଲୋକ ଭଗ୍ନାବଶେଷ ତଳେ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି।
Comments are closed.