Latest Odisha News

BREAKING NEWS

ବାନ୍ଧବୀ ଆସିଲା ବାନ୍ଧବଗଡ଼ରୁ: ସାତକୋଶିଆରେ ମହାବଳର ସାଥ୍ ଦେଲା ‘ସୁନ୍ଦରୀ’

 

ଅନୁଗୁଳ : ଏକୁଟିଆ ହୋଇ ପଡ଼ିଥିବା ମହାବଳ ବାଘର ସାଥ୍ ଦେବ ଏବେ ଗୋଟିଏ ବାଘୁଣୀ । ବାଘ ପାଇଁ ବାଘୁଣୀଟିଏ ଖୋଜା ଚାଲିଥିଲା । କିନ୍ତୁ ଏହି ପ୍ରତୀକ୍ଷାର ଅନ୍ତ ଘଟିଛି ସାକକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ । ଅନୁଗୁଳ ଜିଲ୍ଲା ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ପ୍ରାୟ ସପ୍ତାହକ ପୂର୍ବରୁ ମଧ୍ୟପ୍ରଦେଶର ‘କାହ୍ନା’ ବ୍ୟାଘ୍ର ପ୍ରକଳ୍ପରୁ ଏକ ମହାବଳ ବାଘ ଅଣାଯାଇ ଏନକ୍ଲୋଜର୍ ମଧ୍ୟରେ ଯତ୍ନର ସହିତ ବନବିଭାଗ ରଖିଥିଲେ । ତେବେ ଗୁରୁବାର ଦିନ ମଧ୍ୟପ୍ରଦେଶର ବାନ୍ଧବଗଡ଼ ବ୍ୟାଘ୍ର ପ୍ରକଳ୍ପରୁ ଏକ ମହାବଳ ବାଘର ପାଖାପାଖି ବୟସର ଏକ ବାଘୁଣୀ ‘ସୁନ୍ଦରୀ’କୁ ଖାସ୍ ମହାବଳ ସହିତ ବନ୍ଧୁତା ସ୍ଥାପନ ଲାଗି ଅଣାଯାଇଛି ।

ଗୁରୁବାର ସନ୍ଧ୍ୟା ଠିକ୍ ୭:୩୦ ସମୟରେ ଟିକରପଡ଼ାରେ ପହଞ୍ଚିଥିଲା ବନବିଭାଗର ଏକ ସ୍ୱତନ୍ତ୍ର ଯାନ । ଯେଉଁ ଗାଡ଼ିରେ ଆସିଥିଲା ବାଘୁଣୀ ‘ସୁନ୍ଦରୀ’ । ତାପରେ ତାକୁ ସେଠାରୁ ରାଇଗଡ଼ ବ୍ୟାଘ୍ର ପକଳ୍ପ ଆଡ଼କୁ ନିଆଯାଇଥିଲା । ଯେଉଁଠିକି ବାଘୁଣୀକୁ ଏକ ସ୍ୱତନ୍ତ୍ର ଏନକ୍ଲୋଜର୍ ମଧ୍ୟରେ ରଖାଯିବାକୁ ବ୍ୟବସ୍ଥା ହୋଇଛି ।

ସାତକୋଶିଆର ଜଣେ ବରିଷ୍ଠ ବନ ବିଭାଗ ଅଧିକାରୀଙ୍କ କହିବାନୁଯାୟୀ, ୨ ବର୍ଷ ବୟସର ବାଘୁଣୀଟିର ଓଜନ ପ୍ରାୟ ୧୩୪ କେଜି । ବାଘୁଣୀଟି ବେଶ୍ ହୃଷ୍ଟପୃଷ୍ଟ ରହିଥିବା ବେଳେ ଏହାର ସ୍ୱାସ୍ଥ୍ୟ ମଧ୍ୟ ସ୍ୱାଭାବିକ ରହିଛି । ତେବେ ସପ୍ତାହକ ପୂର୍ବରୁ କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ଆସିଥିବା ମହାବଳ ବାଘର ବୟସ ୩ ବର୍ଷ ଏବଂ ଓଜନ ୧୯୫ କେଜି । ତେଣୁ ବାଘୁଣୀ ସୁନ୍ଦରୀ ସହିତ ବନ୍ଧୁତା ସ୍ଥାପନରେ ବାଘର କୌଣସି ଅସୁବିଧା ନାହିଁ । ଦୁହିଁଙ୍କୁ ପାଖାପାଖି ଦୁଇଟି ଭିନ୍ନ ଭିନ୍ନ ସ୍ୱତନ୍ତ୍ର ଏନକ୍ଲୋଜର୍ରେ ରଖାଯାଇଛି ।

ତେବେ ସାତକୋଶିଆର ଅତିରିକ୍ତ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ) ତଥା ସାତକୋଶିଆ ଅଭୟାରଣ୍ୟର ଫିଲ୍ଡ ଡ଼ାଇରେକ୍ଟର ସୁଦର୍ଶନ ପଣ୍ଡାଙ୍କ କହିବା କଥାହେଲା, ବାନ୍ଧବଗଡ଼ ବ୍ୟାଘ୍ର ପ୍ରକଳ୍ପରୁ ଅଣାଯାଇଥିବା ବାଘୁଣୀ ‘ସୁନ୍ଦରୀ’ ଲାଗି ଯେଉଁ ସ୍ୱତନ୍ତ୍ର ଏନକ୍ଲୋଜର ପ୍ରସ୍ତୁତି କରାଯାଇଛି ତାହା ମହାବଳ ବାଘର ଏନକ୍ଲୋଜର ସହିତ ପ୍ରାୟ ସମାନ ।

ଫିଲ୍ଡ ଡ଼ାଇରେକ୍ଟର ସୁଦର୍ଶନ ପଣ୍ଡା ମଧ୍ୟ କହିଛନ୍ତି, ସାଟେଲାଇଟ୍ ଟ୍ରାକର୍ ଦ୍ୱାରା ଦୁଇଟି ବ୍ୟାଘ୍ରଙ୍କୁ ଏନକ୍ଲୋଜର୍ ମଧ୍ୟରେ ନିରିକ୍ଷଣ କରାଯାଉଛି ତଥା ଜିପିଏସ୍ ଟେକ୍ନୋଲୋଜି ଦ୍ୱାରା ବାଘ ଦୁଇଟିଙ୍କର ଗତିବଧିକୁ ଲକ୍ଷ୍ୟ ରଖାଯିବାର ବିଶେଷ ବ୍ୟବସ୍ଥା କରାଯାଇଛି ।

ଟ୍ରାଙ୍କୁଲାଇଜର ଦିଆଯିବା ପରେ କିଛି ଘଣ୍ଟା ପରେ ଏବେ ସ୍ୱାଭାବିକ ଅବସ୍ଥାକୁ ଫେରିଛି ବାଘୁଣୀଟି । ବାଘୁଣୀଟି ସ୍ୱାଭାବିକ ଅବସ୍ଥାକୁ ଫେରିବା ସହିତ ଦୃଢ ନିରାପତ୍ତା ବଳୟ ମଧ୍ୟରେ ରହିଥିବା ଲୁହା ତାର ଜାଲି ବିଶିଷ୍ଟ ଏନକ୍ଲୋଜର୍ ମଧ୍ୟରେ ଚଳପ୍ରଚଳ କରିବାରେ ଲାଗିଛି ।

ମହାବଳ ବାଘ ଓ ବାଘୁଣୀ ଦ୍ୱୟ ଏହି ସାତକୋଶିଆ ପରିବେଶରେ ନୂଆ ଚମକ ସୃଷ୍ଟି କରିପାରିଛନ୍ତି । ଆଗାମୀ ଦିନରେ ମଧ୍ୟପ୍ରଦେଶର ବିଭିନ୍ନ ବ୍ୟାଘ୍ରପ୍ରକଳ୍ପରୁ ମହାବଳ ବାଘ ଅଣାଯିବାର ଯୋଜନା ରହିଛି । ତେବେ କିଛିଦିନ ପରେ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ପ୍ରକଳ୍ପ ଏବଂ ବାନ୍ଧବଗଡ଼ ବ୍ୟାଘ୍ର ପ୍ରକଳ୍ପରୁ ଦୁଇଟି ମହାବଳ ବାଘ ଅଣାଯିବାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି କହିଛନ୍ତି ସାତକୋଶିଆ ଅଭୟାରଣ୍ୟର ଫିଲ୍ଡ ଡ଼ାଇରେକ୍ଟର ସୁଦର୍ଶନ ପଣ୍ଡା ।

Leave A Reply

Your email address will not be published.