Latest Odisha News

BREAKING NEWS

ଦେଶରେ ନୂଆ ଆଇନ, ଭାରତୀୟ ନ୍ୟାୟ ସଂହିତାରେ ରୁଜ୍ଜୁ ହେଲା ପ୍ରଥମ ମାମଲା

ନୂଆଦିଲ୍ଲୀ: ହଟିଲା ୧୮୬୦ରୁ ଚାଲିଆସୁଥିବା ବ୍ରିଟିଶ ଆଇନ । ଆଜିଠୁ ସାରା ଦେଶରେ ଲାଗୁ ହେଲା ତିନୋଟି ନୂଆ ଅପରାଧିକ ଆଇନ । ତିନି ଫୌଜଦାରୀ ଆଇନ ଆଇପିସି, ସିଆରପିସି ଓ ଏଭିଡେଣ୍ଟ ଆକ୍ଟ ହଟାଇ ଲାଗୁ ହେଲା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ । ଏହାରି ଭିତରେ ଭାରତୀୟ ନ୍ୟାୟ ସଂହିତାରେ ଦିଲ୍ଲୀରେ ପ୍ରଥମ ମାମଲା ରୁଜ୍ଜୁ ହୋଇସାରିଛି । ଦିଲ୍ଲୀ କମଳା ମାର୍କେଟ ଥାନାରେ ଜଣେ ଭେଣ୍ଡର ବିରୋଧରେ ଫୁଟ୍‌ ଓଭର ବ୍ରିଜ ଅବରୋଧ ଅଭିଯୋଗରେ ଏହି ମାମଲା ରୁଜୁ କରାଯାଇଛି।

ଇତିହାସ ପାଲଟିଲା ଭାରତୀୟ ପେନାଲ କୋଡ(ଆଇପିସି), କୋହ ଅଫ କ୍ରିମିନାଲ ପ୍ରୋସିଜର(ସିଆରପିସି) ଓ ଭାରତୀୟ ଏଭିଡେନ୍ସ ଆକ୍ଟ । ଏହା ବଦଳରେ ତିନୋଟି ନୂଆ ଆଇନ ଭାରତୀୟ ନ୍ୟାୟ ସଂହିତା(ବିଏନଏସ), ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନଏସଏସ) ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ(ବିଏସଏ) ଲାଗୁ ହୋଇଯାଇଛି । ଯାହା ସ୍ବାଧୀନ ଭାରତର ନିଜସ୍ବ ଆଇନ। ଏଥିରେ ଦୁଇଟି ଭଲ ଦିଗ ରହିଛି। ପ୍ରଥମଟି ହେଲା ତଦନ୍ତ ଓ ନ୍ୟାୟ ପ୍ରଦାନ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ କରିବ। ଦ୍ୱିତୀୟଟି ହେଲା ବିଭିନ୍ନ ମାମଲାରେ ସମାଧାନ ପାଇଁ ସମୟ ନିର୍ଦ୍ଧାରଣ କରିବା। ପୂର୍ବରୁ ଥିବା ବ୍ୟବସ୍ଥାରେ ନ୍ୟାୟ ପ୍ରଦାନରେ ବିଳମ୍ବ ହେଉଥିଲା। ତାରିଖ ପରେ ତାରିଖ ଗଡି ଚାଲିଥିଲା। କିନ୍ତୁ ନୂଆ ଆଇନରେ ମାମଲାର ତଦନ୍ତ ଓ ନ୍ୟାୟ ପ୍ରଦାନ ପାଇଁ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରଣ କରାଯାଇଛି, ଯାହା ନ୍ୟାୟ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବ।

ଏହି ନୂତନ ଆଇନ ବ୍ରିଟିଶ ସମୟଠାରୁ ପ୍ରଚଳିତ ହେଉଥିବା ଆଇନକୂ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବା ସହ ଏହାଦ୍ବାରା ଆତଙ୍କବାଦ, ରାଜଦ୍ରୋହ ଏବଂ ଦେଶ ବିରୋଧରେ କାର୍ଯ୍ୟର ସଂଜ୍ଞାକୁ ଭଲ ଭାବେ ବାଖ୍ୟା କରିବାରେ ସକ୍ଷମ ହେବ। ତେବେ ଏହି ୩ଟି ନୂଆ ଆଇନକୁ ଗତ ବର୍ଷ ଡିସେମ୍ବର ୨୧ରେ ସଂସଦରେ ପାରିତ କରାଯାଇଥିଲା । ଏହା ପରେ, ଡିସେମ୍ବର ୨୫ରେ ଏଥିରେ ରାଷ୍ଟ୍ରପତିଙ୍କ ମୋହର ବାଜି ଏହା ପୂର୍ଣ୍ଣାଙ୍ଗ ଆଇନରେ ପରିଣତ ହୋଇଥିଲା । ଯାହାକୁ ଆଜି ଠାରୁ ଲାଗୁ କରାଯାଇଛି ।

ଜାଣନ୍ତୁ ନୂଆ ଆଇନରେ ରହିଛି କ’ଣ କ’ଣ?

ନୂଆ ଆଇନରେ ମାମଲାର ତଦନ୍ତ ପ୍ରକ୍ରିୟାକୁ ରେକର୍ଡିଂ କରିବାର ବ୍ୟବସ୍ଥା ଫଳରେ ତଦନ୍ତ ପ୍ରକ୍ରିୟା ଅଧିକ ପ୍ରଭାବୀ ହେବ। ୭ବର୍ଷରୁ କମ୍‌ ଦଣ୍ଡବିଧାନ ବ୍ୟବସ୍ଥା ରହିଥିବା ଛୋଟ ଅପରାଧ ସ୍ବୀକାର କରିବା କ୍ଷେତ୍ରରେ ଦୋଷୀଙ୍କ ଜେଲ ଦଣ୍ଡାଦେଶ ହ୍ରାସ କରିବା ଲାଗି ବ୍ୟବସ୍ଥା ହୋଇଛି। ମହିଳାଙ୍କୁ କାର୍ଯ୍ୟ କ୍ଷେତ୍ରରେ ଯୌନ ନିର୍ଯାତନା, ଶିଶୁ ଓ ମହିଳା ଚାଲାଣ, ଆତଙ୍କବାଦ, ଭିଡ଼ ହିଂସା, ଏସିଡ୍‌ ଆକ୍ରମଣ, ସାଇବର ଅପରାଧ, ବାଲି ମାଫିଆ, ପଥର ମାଫିଆ ଭଳି ସଂଗଠିତ ଅପରାଧ ଓ ଛିନତାଇ ବିରୋଧରେ ଆଇନକୁ କଠୋର କରାଯାଇଛି। ଜିରୋ ଏଫ୍‌ଆଇଆର୍‌ ବ୍ୟବସ୍ଥା ଦ୍ୱାରା ଯେକୌଣସି ଥାନାରେ ମାମଲା ରୁଜୁ କରାଯାଇପାରିବ।

ନାବାଳିକା ଦୁଷ୍କର୍ମୀକୁ ମୃତ୍ୟୁଦଣ୍ଡ ଓ ମହିଳା ଗଣଦୁଷ୍କର୍ମକାରୀଙ୍କୁ ଆଜୀବନ ସଜା ବ୍ୟବସ୍ଥା ରହିଛି । ମବ୍ ଲିଞ୍ଚିଂ ବା ଭିଡ଼ ହିଂସା ମୃତ୍ୟୁ ମାମଲାରେ ଦୋଷୀଙ୍କୁ ୭ ବର୍ଷ ଜେଲରୁ ମୃତ୍ୟୁଦଣ୍ଡ ଯାଏଁ ପ୍ରାବଧାନ ରହିଛି। ସେହିପରି ଦେଶଦ୍ରୋହ ଆଇନରେ ବ୍ୟାପକ ପରିବର୍ତ୍ତନ ଆସିବା ସହ ଏହାର ସଂଜ୍ଞା ବି ବଦଳିବ। ଦେଶ ବିଭାଜନ, ସଶସ୍ତ୍ର ବିଦ୍ରୋହ, ବିଚ୍ଛିନ୍ନତାବାଦୀ କାମ, ଦେଶର ସାର୍ବଭୌମତ୍ବ ଓ ଏକତାକୁ କ୍ଷୂର୍ଣ୍ଣ କରିବା ଭଳି ଅପରାଧ ପାଇଁ ଆଇନରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ନୂଆ ଆଇନରେ ଆତଙ୍କବାଦକୁ ପରିଭାଷିତ କରାଯାଇଛି ଏବଂ ଏହାକୁ ଦଣ୍ଡନୀୟ ଅପରାଧ ଶ୍ରେଣୀଭୁକ୍ତ କରାଯାଇଛି ।

ପୂର୍ବରୁ ସିଆର୍‌ପିସିରେ ୪୮୪ଟି ଧାରା ରହିଥିଲାବେଳେ ନୂଆ ଆଇନର ଭାରତୀୟ ନାଗରିକ ସୁରକ୍ଷା ସଂହିତାରେ ୫୩୧ଟି ଧାରା ରହିଛି। ଆଇପିସିରେ ୫୧୧ଟି ଧାରାରୁ ଭାରତୀୟ ନ୍ୟାୟ ସଂହିତାରେ ୩୫୮ଟି ଓ ପୁରୁଣା ଇଣ୍ଡିଆନ ଏଭିଡେନ୍ସ ଆକ୍ଟରେ ୧୭୦ଟି ଧାରା ରହିଥିବାବେଳେ ଭାରତୀୟ ସାକ୍ଷ୍ୟ ଅଧିନିୟମରେ ୧୬୭ ଧାରା ରହିଛି।

ଏହାସହିତ କେହି ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କଲେ, ସାଧାରଣ ଜନତା କିମ୍ବା କୌଣସି ବର୍ଗକୁ ଆତଙ୍କିତ କଲେ, ଭାରତ ବା ଅନ୍ୟ କୌଣସି ଦେଶରେ ସାର୍ବଜନୀନ ବ୍ୟବସ୍ଥା ବିଗାଡ଼ିବା ଉଦ୍ଦେଶ୍ୟରେ କାର୍ଯ୍ୟ କଲେ ଏହାକୁ ଆତଙ୍କବାଦ ଶ୍ରେଣୀଭୁକ୍ତ କରାଯିବାର ବ୍ୟବସ୍ଥା ରହିଛି।

ଭାରତୀୟ ନ୍ୟାୟ ସଂହିତା ଧାରା ୪୩ (୩) ଅନୁସାରେ, କେବଳ ଅଭ୍ୟାସଗତ ଅପରାଧୀ, ପୂର୍ବରୁ ଫେରାର୍ ହୋଇଥିବା ଅଭିଯୁକ୍ତ, କିମ୍ବା ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତଙ୍କୁ ହାତକଡ଼ି ଲଗାଇପାରିବ। ଏଥିସହ ହତ୍ୟା, ଦୁଷ୍କର୍ମ, ଏସିଡ୍ ଆଟାକ, ମାନବଚାଲାଣ, ଡ୍ରଗ୍ସ ଓ ଶିଶୁଙ୍କୁ ଯୌନ ଶୋଷଣ ଆଦି ମାମଲାର ଅଭିଯୁକ୍ତଙ୍କୁ ହାତକଡ଼ି ପକାଇହେବ। ଜଣେ ଚାହିଁଲେ ଅନଲାଇନରେ କିମ୍ବା ଜିରୋ-ଏଫ୍ଆଇଆର୍ ବ୍ୟବସ୍ଥା ଅନୁସାରେ ଦେଶର ଯେକୌଣସି ଥାନାରେ ଏତଲା ଦେଇପାରିବେ ।

୯୦ ଦିନ ଭିତରେ ପୋଲିସକୁ ଚାର୍ଜସିଟ୍ ଦାଖଲ କରିବାକୁ ପଡ଼ିବ ଏବଂ କୋର୍ଟ ଚାହିଁଲେ ଏହାକୁ ବଢ଼ାଇପାରିବେ। ଚାର୍ଜସିଟ୍ ଦାଖଲର ୬୦ ଦିନ ଭିତରେ ଚାର୍ଜଫ୍ରେମ୍ ହେବ। ଶୁଣାଣି ସରିବାର ୩୦ଦିନ ଭିତରେ କୋର୍ଟ ରାୟ ଶୁଣାଇବେ ଏବଂ ଆଉ ୭ ଦିନ ଭିତରେ ଦଣ୍ଡାଦେଶ ଦେବେ। ପୂରା ପ୍ରକ୍ରିୟା ସର୍ବାଧିକ ୩ ବର୍ଷ ଭିତରେ ସରିବ। ୩ ମାସ କିମ୍ବା ତାଠୁ କମ୍ ଜେଲ୍ ଦଣ୍ଡାଦେଶ ଏବଂ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନାକୁ ଚାଲେଞ୍ଜ କରି ଉପରକୋର୍ଟକୁ ଯାଇହେବ ନାହିଁ ।

Leave A Reply

Your email address will not be published.