Latest Odisha News

BREAKING NEWS

ଖରାଛୁଟି ସରିବା ପରେ ଆରମ୍ଭ ହେବ ନୂଆ ଶିକ୍ଷାବର୍ଷ

ଭୁବନେଶ୍ୱର: ରାଜ୍ୟରେ ବିଦ୍ୟାଳୟରେ ଏବେ ଖରାଛୁଟି ଚାଲିଛି । ଖରାଛୁଟି ସରିବା ପରେ କିଭଳି ଭାବେ ବିଦ୍ୟାଳୟରେ ପାଠ ପଢ଼ାଯିବ ସେନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ (ଓସେପା) ପକ୍ଷରୁ  ନିୟମାବଳୀ ଜାରି କରାଯାଇଛି । ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଓ ଜିଲା ପ୍ରକଳ୍ପ ସଂଯୋଜକ (ଡିପିସି)ଙ୍କୁ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା ଚିଠି ଲେଖିଛନ୍ତି ।

ଚିଠିରେ ଉଲ୍ଲେଖ କରିଛନ୍ତି, ଖରାଛୁଟି ସରିବା ପରେ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ । ଠିକଣା ଢଙ୍ଗରେ ଶିକ୍ଷାଦାନ ଆରମ୍ଭ କରିବାକୁ ନିୟମାବଳୀ ଦିଆଯାଇଛି । ଶତପ୍ରତିଶତ ପାଠ୍ୟ ଖସଡ଼ା ସାରିବା ଦିଗରେ ପଦକ୍ଷେପ ନେବାକୁ ସମସ୍ତ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ସମସ୍ତ ଶିକ୍ଷକଙ୍କ ସହ ପାଠ୍ୟକ୍ରମ, ପାଠପଢ଼ା ସମୟ ସମ୍ବନ୍ଧରେ ଆଲୋଚନା କରିବେ । କିଭଳି ଭାବେ ସଠିକ୍‌ ଭାବେ ବିଦ୍ୟାର୍ଥୀ ଶିକ୍ଷା ପାଇବେ ସେ ଦିଗରେ ଯୋଜନା ପ୍ରସ୍ତୁତ କରିବେ ।

କରୋନା କାଳରେ କ୍ଷତି ଭରଣା ପାଇଁ ପ୍ରସ୍ତୁତ ହୋଇଥିବା ପୁସ୍ତକ ସହ ପାଠ୍ୟକ୍ରମର ପୁସ୍ତକ ପଠାଯିବ । ସବୁ ବିଦ୍ୟାର୍ଥୀ ଯେଭଳି ଦୁଇ ପ୍ରକାର ପୁସ୍ତକ ପାଇବେ ସେ ଦିଗରେ ପ୍ରଧାନଶିକ୍ଷକ ଧ୍ୟାନ ଦେବେ । ଶ୍ରେଣୀ ଓ ବିଷୟଭିତ୍ତିକ ପାଠପଢ଼ା ସମୟ ସାରଣୀ ପ୍ରତି ଶ୍ରେଣୀଗୃହରେ ବିଦ୍ୟାର୍ଥୀଙ୍କ ପାଇଁ ଲଗାଯିବ । ଛାତ୍ରଛାତ୍ରୀଙ୍କ ଦକ୍ଷତା ଯାଞ୍ଚ ପରେ ଖରାପ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରୟାସ କରାଯିବ । ସେମାନଙ୍କୁ ପୃଥକ ଭାବେ ଅତିରିକ୍ତ ପାଠ ପଢାଯିବା ସହ ନିୟମିତ ପାଠ ମଧ୍ୟ ପ୍ରଦାନ କରାଯିବ ।

ଶିକ୍ଷକମାନେ ପାଠପଢ଼ାରେ ହୋଇଥିବା କ୍ଷତି ଭରଣା ପାଇଁ ସ୍ୱତନ୍ତ୍ର ଯୋଜନା କରିବେ । ସିଆରସିସି ମାନେ ନିଜ କ୍ଲଷ୍ଟରରେ ପାଠପଢା ଉପରେ ତୀକ୍ଷଣ ନଜର ରଖିବା ସହ ରୀତିମତ ଯାଞ୍ଚ କରିବେ । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ପ୍ରାଥମିକତା ଦେବେ । ବିଦ୍ୟାର୍ଥୀଙ୍କ ଉପଯୋଗୀ ପରିବେଶ ବିଦ୍ୟାଳୟରେ ସୃଷ୍ଟି କରାଯିବ । ଶିକ୍ଷକଶିକ୍ଷୟିତ୍ରୀ ଠିକ୍‌ ଭାବେ ପଢାଉଛନ୍ତି କି ନାହିଁ ସେ ଦିଗରେ ପ୍ରଧାନଶିକ୍ଷକ ଧ୍ୟାନ ଦେବେ । ଶିକ୍ଷକଙ୍କ ପାଠପଢ଼ା ତଥ୍ୟ ବିଦ୍ୟାଳୟରେ ସ୍ୱତନ୍ତ୍ର ରେଜିଷ୍ଟରରେ ଉଲ୍ଲେଖ ରହିବ । ପ୍ରତି ପାଠ୍ୟକ୍ରମର ବିଷୟଗତ ନୋଟ୍ ପିଲାଙ୍କୁ ପ୍ରଦାନ ପୂର୍ବରୁ ପ୍ରଧାନଶିକ୍ଷକ ତାକୁ ଯାଞ୍ଚ କରିବେ । ଏଦିଗରେ ପଦକ୍ଷେପ ନେବାକୁ ସବୁ ଡିଇଓ ଓ ଡିପିସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

Leave A Reply

Your email address will not be published.