Latest Odisha News

BREAKING NEWS

ଆପୋଲୋରେ ରାଜ୍ୟର ପ୍ରଥମ ସଫଳ ରୋବୋର୍ଟିକ ଅସ୍ତ୍ରୋପଚାର

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ ଡା ଭିନ୍ସ ରୋବୋଟିକ୍ ପଦ୍ଧତିରେ ମହିଳାଙ୍କ ଗର୍ଭାଶୟରୁ ଟ୍ୟୁମର ବାହାର କରିବାରେ ସଫଳତା ମିଳିଛି । ରୋବର୍ଟିକ ସର୍ଜରୀ ଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ଗର୍ଭାଶୟରୁ ଟ୍ୟୁମର ବାହାର କରିବାରେ ସଫଳତା ହାସଲ କରିଛି ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲ ।

ଆପୋଲୋ ସ୍ତ୍ରୀ ଓ ପ୍ରସୂତୀ ବିଭାଗର ବରିଷ୍ଠ ସ୍ତ୍ରୀ ଓ ପ୍ରସୂତୀ ରୋଗ ଡାକ୍ତର ଜି.ଏସ୍.ଏସ୍ମହାପାତ୍ର ଓ ଆପୋଲୋ ହସ୍ପିଟାଲ୍, ହାଇଦ୍ରାବାଦର ବରିଷ୍ଠ ଡାକ୍ତର ରୁମାସିହ୍ନାଙ୍କ ଦ୍ୱାରା ମିଳିତ ଭାବେ ଏହି ଅସ୍ତ୍ରୋପଚାର କରାଯାଇଥିଲା ।

ଗତ କିଛି ଦଶନ୍ଧି ମଧ୍ୟରେ ସ୍ତ୍ରୀ ରୋଗର ଅସ୍ତ୍ରୋପଚାର କ୍ଷେତ୍ରରେ ଦ୍ରୁତ ଗତିରେ ବିକାଶ ଘଟିଛି । ଖୋଲା ଅସ୍ତ୍ରୋପଚାର ଠାରୁ ଆରମ୍ଭ ହୋଇ ଗତ ତିନି ଦଶନ୍ଧି ମଧ୍ୟରେ ଧୀରେ ଧୀରେ ଲାପାରୋସ୍କୋପିକ୍ ସର୍ଜରୀ ପ୍ରାୟ ସବୁ କ୍ଷେତ୍ରରେ ଗ୍ରହଣୀୟ ହୋଇଛି ।

ପାରମ୍ପାରିକ ଭାବରେ ଖୋଲା ଅସ୍ତ୍ରୋପଚାର ଦ୍ୱାରା ଶରୀରରେ ବଡ କ୍ଷତ, ଅଧିକ ରକ୍ତ କ୍ଷୟ ଏବଂ ଏଥିଯୋଗୁଁ ଅଧିକ ଯୋଗାଣ, ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଅଧିକ ସମୟ ଆବଶ୍ୟକ ହେବା ଓ ଡାକ୍ତରଖାନାରେ ଅଧିକ ସମୟ ରହି ଚିକିତ୍ସା ଖର୍ଚ୍ଚ ବୃଦ୍ଧି ଭଳି ସମସ୍ୟା ଥିଲା ।

ଲାପାରୋସ୍କୋପିକ୍ ସର୍ଜରୀରେ ମାତ୍ର ଛୋଟ ଛୋଟ କଣା, ଅସ୍ତ୍ରୋପଚାର ପାଇଁ କମ୍ ସମୟ, କମ୍ ରକ୍ତ କ୍ଷୟ ଏବଂ ଶୀଘ୍ର ସୁସ୍ଥତା ସମଗ୍ର ଚିକିତ୍ସା ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ କରାଇଛି ।

ଏହି ସମସ୍ତ ସୁବିଧା ଯୋଗୁଁ ଏବେ ଲାପୋରୋସ୍କୋପିକ୍ ସର୍ଜରୀ ଉଭୟ ରୋଗୀ ଏବଂ ଡାକ୍ତରଙ୍କ ପ୍ରଥମ ପସନ୍ଦରେ ପରିଣତ ହୋଇଛି ବୋଲି କହିଛନ୍ତି ଆପୋଲୋ ସ୍ତ୍ରୀ ଓ ପ୍ରସୂତୀ ବିଭାଗର ବରିଷ୍ଠ ଡାକ୍ତର ଜି.ଏସ୍.ଏସ୍ ମହାପାତ୍ର ।

“ଜଣେ ସର୍ଜନ ଭାବରେ ମୁଁ ଦୃଢ଼ ଭାବରେ ବିଶ୍ୱାସ କରେ ଯେ ଏହି କୌଶଳ ଲାପରୋସ୍କୋପିକ୍ ଚିକିତ୍ସା ପଦ୍ଧତି ଠାରୁ ଯଥେଷ୍ଟ ଉନ୍ନତ । ଗୁରୁତର ଏଣ୍ଡୋମେଟ୍ରିଓସିସ୍ ଅସ୍ତ୍ରୋପଚାର ସମୟରେ ଏହି କୌଶଳ ସବୁଠାରୁ ଅଧିକ ଉପଯୋଗୀ । କାରଣ ଏହି ଅସ୍ତ୍ରୋପଚାର ସମୟରେ ଆମେ ମୂତ୍ରାଶୟ, ଅନ୍ତନଳୀ ଏବଂ ୟୁରେଟର (କିଡନୀରୁ ପରିସ୍ରା ପ୍ରବାହିତ ହେବା) ସଂଲଗ୍ନ ଅଂଶରେ ଅସ୍ତ୍ରୋପଚାର କରିଥାଉ ।

ଯେହେତୁ ରୋବଟ୍ ଅତ୍ୟନ୍ତ ସଠିକ୍ ଏବଂ ନିୟନ୍ତ୍ରିତ ଉପାୟରେ କାର୍ଯ୍ୟ କରେ, ଏହା ଗର୍ଭାଶୟ ଏଣ୍ଡୋମେଟ୍ରିଅମ୍, ସର୍ଭିକ୍ସ, ଓଭାରି ଏବଂ ଟ୍ୟୁବ୍ କର୍କଟ ପାଇଁ କରାଯାଉଥିବା ସର୍ଜରୀରେ ଅତି ଫଳପ୍ରଦ ହୁଏ ବୋଲି ଡକ୍ଟର ମହାପାତ୍ର କହିଛନ୍ତି ।

ରୋବୋଟିକ୍ ଲାପରୋସ୍କୋପିକ୍ ରୋଗୀମାନଙ୍କ ସୁବିଧା ଜନକ ହେବା ସହିତ ସର୍ଜନମାନଙ୍କ ପାଇଁ ଏହା ଅତି ସୂକ୍ଷ୍ମ ସ୍ଥାନକୁ ମଧ୍ୟ ଥ୍ରୀ-ଡି ଭିଜୁଆଲିଜେସନ୍ ମାଧ୍ୟମରେ ସ୍ପଷ୍ଟ ଭାବରେ ଦେଖିବାରେ ସାହାଯ୍ୟ କରେ ।

ଏହା ଦ୍ୱାରା ଅତି ଜଟିଳ ଅସ୍ତ୍ରୋପଚାରଗୁଡିକ ମଧ୍ୟ ଖୁବ୍ ସହଜରେ ଏବଂ କ୍ଷୁଦ୍ର କଣା କରି କରାଯାଇପାରେ । ଏହି ପଦ୍ଧତିରେ ବ୍ୟବହାର ହେଉଥିବା ଯନ୍ତ୍ରର ଉନ୍ନତ ଏର୍ଗୋନୋମିକ୍ସ ଯୋଗୁଁ ଅସ୍ତ୍ରୋପଚାର ସଫଳତା ହାର ମଧ୍ୟ ଅଧିକ ହୋଇଥାଏ ବୋଲି କହିଛନ୍ତି ଆପୋଲୋ ହସ୍ପିଟାଲ ହାଇଦ୍ରାବାଦର ବରିଷ୍ଠ ଡାକ୍ତର ରୁମା ସିହ୍ନା ।

ଅସ୍ତ୍ରୋପଚାର ଦଳକୁ ଅଭିନନ୍ଦନ ଜଣାଇ ଆପୋଲୋ, କେନ୍ଦ୍ରୀୟ ଆଚଂଳିକ ସିଇଓ ସୁଧୀର ଏମ୍ ଡିଗିକର କହିଛନ୍ତି ଯେ ଆପୋଲୋ ହସ୍ପିଟାଲ ଏଂଟରପ୍ରାଇଜ ଲିମିଟେଡ ଚିକତ୍ସା ସେବାରେ ସର୍ବଦା ଉନ୍ନତ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଦଗିରେ ନିଜସ୍ୱ ପରିଚୟ ସୃଷ୍ଟି କରିଛି । ନିକଟ ଭବିଷ୍ୟତରେ ରୋବୋଟିକ୍ ସିଷ୍ଟମ ହସ୍ପିଟାଲରେ ଅଧିକରୁ ଅଧିକ ଉପଲବ୍ଧ ହେବାକୁ ଯାଉଛି ବୋଲି ସେ ମତ ପ୍ରକାଶ କରିଛନ୍ତି ।

ଆପୋଲୋ ହସ୍ପିଟାଲ ସର୍ବଦା ରୋଗୀମାନଙ୍କର ସ୍ୱାସ୍ଥ୍ୟ ଓ ସୁସ୍ଥତାକୁ ଗୁରୁତ୍ୱ ଦେଇ ଆସିଛି । ଚିକତ୍ସା କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ଏବଂ ନବୀକରଣ ପାଇଁ ଆପୋଲୋ ହସ୍ପିଟାଲ ସର୍ବଦା ପ୍ରତିବଦ୍ଧ ।

ଜ୍ଞାନାକୌଶଳ ହେଉ ଅବା ପ୍ରତିଭା ଚୟନ ନିଜ ରୋଗୀଙ୍କୁ ସର୍ବଦା ସର୍ବଶ୍ରେଷ୍ଠ ସେବା ଅଭିଜ୍ଞତା ପ୍ରଦାନ ନିମନ୍ତେ ଆମେ ପତିଶ୍ରୁତିବଦ୍ଧ ବୋଲି ଆପୋଲୋ ହସ୍ପିଟାଲ୍, ଭୁବନେଶ୍ୱରର ସିଇଓ ତଥା ନିର୍ଦ୍ଦେଶକ ମେଡିକାଲ୍ ସର୍ଭିସେସ୍ ଡକ୍ଟର ଆଲୋକ ଶ୍ରୀବାସ୍ତବ କହିଛନ୍ତି ।

Leave A Reply

Your email address will not be published.