Latest Odisha News

ଆଉ ପିନ୍ଧିବାକୁ ପଡ଼ିବନି ଚଷମା, ଭାରତରେ ଆଇ ଡ୍ରପ୍‌କୁ ମିଳିଲା ଅନୁମତି

ମୁମ୍ବାଇ: ଆଜିକାଲି ପ୍ରାୟ ସମସ୍ତେ ଚଷମା ବ୍ୟବହାର କରନ୍ତି। ଦୂରଦୃଷ୍ଟି କାରଣରୁ ହେଉ କିମ୍ବା ଚକ୍ଷୁଜନୀତ ଯେକୌଣସି ସମସ୍ୟା, ସମସ୍ତେ ଚଷମା ଉପରେ ନିର୍ଭରଶୀଳ। ବୟସ ଅଧିକ ହେବା ପରେ ପଢ଼ାପଢ଼ିରେ ସମସ୍ୟାର ସମ୍ମୁଖୀନ ହୁଅନ୍ତି ଲୋକେ। ପଢ଼ିବା ପାଇଁ ରିଡିଂ ଗ୍ଲାସ ବା ଚଷମା ବ୍ୟବହାର କରିବାକୁ ପଡ଼ୁଛି। ଏବେଠାରୁ ଆଉ ଆପଣଙ୍କୁ ଚଷମା ପିନ୍ଧିବାକୁ ପଡ଼ିବ ନାହିଁ। କାରଣ ଏହି ସମସ୍ୟାକୁ ଦୂର କରିବା ପାଇଁ ଆସିଯାଇଛି ସ୍ୱତନ୍ତ୍ର ଆଇ ଡ୍ରପ।

ଏହି ଆଇ ଡ୍ରପ୍‌ ଚଷମାର ସ୍ଥାନ ନେବ। ନୂଆ ଆଇ ଡ୍ରପ୍‌କୁ ଭାରତ ସରକାରଙ୍କ ଡିସିଜିଆଇ ବ୍ୟବହାର ପାଇଁ ଅନୁମତି ଦେଇଛି। ମୁମ୍ବାଇ ଭିତ୍ତିକ ଏଣ୍ଟୋଡ (Entod) ଫାର୍ମାସିଟ୍ୟୁକାଲ୍ସ ପକ୍ଷରୁ ବିକଶିତ କରାଯାଇଛି। ଏହାର ନାଁ PresVu Eye Drops ରହିଛି। ଏହାକୁ Presbyopia ସମସ୍ୟାର ଚିକିତ୍ସା ପାଇଁ ବ୍ୟବହାର କରାଯିବ। ଅର୍ଥାତ ପଢ଼ିବା ପାଇଁ ବ୍ୟବହାର ହେଉଥିବା ଚଷମା ବଦଳରେ ଏହି ଆଇ ଡ୍ରପକୁ ବ୍ୟବହାର କରାଯାଇ ପାରିବ। ଏହି ସମସ୍ୟାରେ ପୂରା ବିଶ୍ୱରେ ୧୦୯ କୋଟିରୁ ୧୮୦ କୋଟି ଲୋକ ପୀଡ଼ିତ।

ପ୍ରେସବୋପିଆ (Presbyopia) କ’ଣ ?

ବୟସ ବଢିବା ସହିତ ଜଣେ ବ୍ୟକ୍ତିଙ୍କୁ ପ୍ରେସବୋପିୟା ସମସ୍ୟାର ସାମ୍ନା କରିବାକୁ ପଡେ। ଯାହା ସ୍ୱାଭାବିକ। ଏହି ସମସ୍ୟାରେ ପୀଡିତ ବ୍ୟକ୍ତି ପାଖରେ ଥିବା ବସ୍ତୁଗୁଡ଼ିକୁ ଦେଖିବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏହି ସମସ୍ୟା ପ୍ରାୟତଃ ୪୦ ବର୍ଷରୁ ଆରମ୍ଭ ହୋଇ ୬୦ ବର୍ଷ ଅତିକ୍ରମ କରିବା ଯାଏ ରହିଥାଏ। ଅଧିକ ଲୋକଙ୍କୁ ପ୍ରଭାବିତ କରିଥାଏ। ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସକୋ) ର ବିଷୟ ବିଶେଷଜ୍ଞ କମିଟି (SEC) ଙ୍କ ସୁପାରିଶ ପରେ ENTOD ଫାର୍ମାସ୍ୟୁଟିକାଲ୍ସ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ରୁ ଉତ୍ପାଦ ପାଇଁ ଚୂଡ଼ାନ୍ତ ଅନୁମୋଦନ ମିଳିଛି।

୧୫ ମିନିଟରେ ଏହାର କାର୍ଯ୍ୟ ଆରମ୍ଭ କରେ-

ଏଣ୍ଟୋଡ ଫାର୍ମାସ୍ୟୁଟିକାଲ୍ସର ସିଇଓ ନିଖିଲ କେ ମାସୁରକର କହିଛନ୍ତି ଯେ ପ୍ରେସଭ୍ୟୁ ଆଇ ଡ୍ରପ୍ ବହୁ ବର୍ଷର ପରିଶ୍ରମ ଏବଂ ଅନୁସନ୍ଧାନର ଫଳାଫଳ ଅଟେ। ଏହା ଲକ୍ଷ ଲକ୍ଷ ଲୋକଙ୍କୁ ସେମାନଙ୍କର ଜୀବନରେ ଉନ୍ନତି ଆଣିବା ସହିତ ଦେଖିବାକୁ ସ୍ୱାଧୀନତା ପ୍ରଦାନ କରିବାରେ ସାହାଯ୍ୟ କରିବାକୁ ଯାଉଛି। ଏହି ଆଇ ଡ୍ରପର ଗୋଟିଏ ବୁନ୍ଦା ମାତ୍ର ୧୫ ମିନିଟରେ କାମ ଆରମ୍ଭ କରେ। ଯାହାର ପ୍ରଭାବ ପରବର୍ତ୍ତୀ ଛଅ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ। ଯଦି ପ୍ରଥମ ଡ୍ରପ୍ ତିନି ରୁ ଛଅ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଡ୍ରପ୍ ଯୋଡାଯାଏ, ଏହାର ପ୍ରଭାବ ଆହୁରି ଅଧିକ ସମୟ ରହିଥାଏ। କୁହାଯାଉଛି ଯେ PresVu ଭାରତର ପ୍ରଥମ ଆଇ ଡ୍ରପ୍‌ ଯାହା ଚଷମା ବ୍ୟବହାରର ଆବଶ୍ୟକତାକୁ ହ୍ରାସ କରିବ।

ଆଖି ବୁନ୍ଦା ମୂଲ୍ୟ କେତେ?
ଅକ୍ଟୋବର ପ୍ରଥମ ସପ୍ତାହରୁ ଏହା ବଜାରରେ ଉପଲବ୍ଧ ହେବ। ଡାକ୍ତରଙ୍କ ପ୍ରେସକ୍ରିପସନ ଆଧାରରେ ଲୋକଙ୍କ ପାଇଁ ଔଷଧ ଦୋକାନରେ ମିଳିବ। ଏହି ଆଇ ଡ୍ରପ୍‌ର ଦାମ ୩୫୦ ଟଙ୍କା ରହିବ। ସ୍ୱଳ୍ପରୁ ମଧ୍ୟମ ଧରଣର Presbyopiaର ସମ୍ମୁଖୀନ ହେଉଥିବା ବ୍ୟକ୍ତିବିଶେଷଙ୍କୁ ଏହା ଫାଇଦା ଦେବ। ୪୦ରୁ ୫୫ ବର୍ଷ ବୟସ ମଧ୍ୟରେ ଥିବା ଲୋକମାନେ ଆଇ ଡ୍ରପ୍‌ରୁ ଲାଭ ପାଇପାରିବେ ବୋଲି କମ୍ପାନୀ କହିଛି।

Comments are closed.