ପୁରୀ: ଆସନ୍ତାକାଲି ଓଡିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ହରିବାବୁ କମ୍ଭମପତି । ସେନେଇ ଆଜି ଅପରାହ୍ନ ୩ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ପୁରୀ ଯାଇ ସପରିବାର ସହ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ନବନିଯୁକ୍ତ ରାଜ୍ୟପାଳ ହରିବାବୁ କମ୍ଭମପତି ।
ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ସହ ବିମଳା ମନ୍ଦିର, ମୁକ୍ତି ମଣ୍ଡପ, ଲକ୍ଷ୍ମୀ ମନ୍ଦିର ଦର୍ଶନ କରିବା ପରେ ଭିତର ବେଢ଼ା ପରିକ୍ରମା କରିଥିଲେ । ସିଂହଦ୍ୱାରରେ ପହଞ୍ଚିବା ପରେ ଶ୍ରୀମନ୍ଦିର ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ତାଙ୍କୁ ଲାଗି ଖଣ୍ଡୁଆ ଦେଇ ସ୍ବାଗତ କରାଯାଇଥିଲା । ପ୍ରାୟ ୪୫ ମିନିଟ୍ ଶ୍ରୀମନ୍ଦିର ଭିତରେ ପରିବାର ସହ ଦର୍ଶନ କାଳରେ ମହାପ୍ରଭୁଙ୍କ ମହାପ୍ରସାଦ ସେବନ କରିଥିଲେ ।
ଦର୍ଶନ ସାରି ଫେରିବା ପରେ ଜୟ ଜଗନ୍ନାଥ କହି ଭାବବିହ୍ୱଳ ହେବା ସହ ଦର୍ଶନ ଅନୁଭୁତି କୁ ସୌଭାଗ୍ୟର କଥା ବୋଲି ବଖାଣି ଥିଲେ । ତେବେ ଆସନ୍ତାକାଲି ଶପଥ ନେବାପରେ ରାଜ୍ୟବାସୀଙ୍କ କଣ ସବୁ କରାଯିବ ସେନେଇ ପ୍ରତିକ୍ରିୟା ରଖିବି ବୋଲି ସେ କହିଛନ୍ତି । ତେବେ ପୂର୍ବରୁ ୨୦୧୫ରେ ସେ ଶ୍ରୀମନ୍ଦିର ଗସ୍ତ କରିଥିଲେ । ସେହିସମୟରେ ସେ ଗର୍ଭ ଗୃହ ଦର୍ଶନ କରିଥିଲେ । ଏବେ କାହିଁକି ଦର୍ଶନ ହେଉନାହିଁ ସେ ବିଷୟରେ ସେବାୟତଙ୍କ ଠାରୁ ପଚାରି ବୁଝିଥିଲେ ବୋଲି ସେବାୟତ ସୋମନାଥ ଖୁଣ୍ଟିଆ କହିଛନ୍ତି ।
Comments are closed.