ଘଟଗାଁ : ଆଗକୁ ଆସୁଛି ନୂଆବର୍ଷ । ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଓ ଧର୍ମାନୁଷ୍ଠାନ ଲାଗିବ ପର୍ଯ୍ୟଟକଙ୍କ ଭିଡ଼ । ହେଲେ ଏବେ ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ବଢ଼ିଲାଣି ଲୋକଙ୍କ ଚିନ୍ତା । ଏହାରି ଭିତରୁ ରାଜ୍ୟରୁ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ ତତ୍ପର ହୋଇଛି ପ୍ରଶାସନ । ପର୍ଯ୍ୟଟନ ଋତୁରେ ମା’ ତାରିଣୀ ମନ୍ଦିରରେ ଭିଡକୁ ଦୃଷ୍ଟିରେ ରଖି କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ ।
ମା’ ତାରିଣୀଙ୍କ ମନ୍ଦିରରେ କୋଭିଡ ନିୟମ ଅନୁଯାୟୀ ଭକ୍ତଙ୍କ ସାଧାରଣ ଦର୍ଶନ ବିନା ଭୋଗରେ ଚାଲୁ ରହିଥିଲା । ହେଲେ ପର୍ଯ୍ୟଟନ ଋତୁ ଚାଲୁଥିବାରୁ ମନ୍ଦିରରେ ଭକ୍ତଙ୍କ ଭିଡ ହେବାର ସମ୍ଭାବନା ରହିଛି । ସେହିପରି ଆଗକୁ ବଡଦିନ ଓ ନୂଆ ବର୍ଷ ଥିବାରୁ ତାରିଣୀ ମନ୍ଦିର ପାଇଁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି । ନିଷ୍ପତ୍ତି ଅନୁସାରେ ଆସନ୍ତା ୨୫ ରୁ ୨୬ ତାରିଖ ଦୁଇ ଦିନ ବନ୍ଦ ରହିବ ମନ୍ଦିର । ସେହିପରି ୩୧ ତାରିଖରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ବନ୍ଦ ରହିବ ଘଟଗାଁ ତାରିଣୀ ମନ୍ଦିର । ଏହି ଦିନ ମନ୍ଦିର ପରିସରେ କୌଣସି ଭକ୍ତଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ । ମାତ୍ର ରୀତିନୀତି ଅନୁସାରେ ମା’ଙ୍କ ପୂଜାର୍ଚ୍ଚନା ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।
Comments are closed.